ଭାରତରୁ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପ୍ରତ୍ୟର୍ପଣ ଆରମ୍ଭ, ପ୍ରଥମ ଦଫାରେ ମିଆଁମାର ଗଲେ ୧୫୦ ଜଣ

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରର ଉତ୍ତର ସୀମାରେ ବେଆଇନ ଭାବେ ବସବାସ କରୁଥିବା ୧୫୦ରୁ ଅଧିକ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଆଜି ମିଆଁମାର ପ୍ରତ୍ୟର୍ପଣ କରାଯିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ମୁସଲିମ୍‌ ସମ୍ପ୍ରଦାୟର ଏହି ରୋହିଙ୍ଗ୍ୟାମାନେ ଜମ୍ମୁର ହିରାନଗର ସ୍ଥିତ ଏକ ଅଟକ କେନ୍ଦ୍ରରେ ରହୁଥିବା ବେଳେ ସେମାନଙ୍କ ପରିଚୟ ପ୍ରମାଣ ପାଇଁ ବିଭିନ୍ନ କୌଶଳ ଆପଣାଯାଇଛି। ତେବେ ସର୍ବୋପରି କୌଣସି ବୈଧ କାଗଜାତ ନଥାଇ ଜାମ୍ମୁକାଶ୍ମୀରରେ ବସବାସ କରୁଥିବା ବିଦେଶୀମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟାର ଏହା ଅଂଶବିଶେଷ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ମିଆଁମାର ସେନା ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟ ଉପରେ ଆକ୍ରମଣ କରିବାରୁ ୧୦ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ଦେଶ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବାଂଲାଦେଶ ସୀମାରେ ଅସ୍ଥାୟୀ ଶରଣାର୍ଥୀ ଶିବିରରେ ରହୁଛନ୍ତି। ତେବେ ବାଂଲାଦେଶ ବାହାରେ ଭାରତରେ ହିଁ ସର୍ବାଧିକ ରୋହିଙ୍ଗ୍ୟା ଏଣେତେଣେ ରହୁଥିବା ଜଣାଯାଇଛି। ଅପରପକ୍ଷେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହିନ୍ଦୁ ଜାତୀୟତାବାଦୀ ସରକାର ରୋହିଙ୍ଗ୍ୟାମାନଙ୍କୁ ଅବୈଧ ପ୍ରବାସୀ ଭାବେ ବିବେଚନା କରିବା ସହ ସେମାନଙ୍କ ରହଣି ଦେଶର ସୁରକ୍ଷା ପ୍ରତି ବିପଦ ବୋଲି ଆଶଙ୍କା କରୁଛନ୍ତି। ତେଣୁ ଏଭଳି ବେଆଇନ ଭାବେ ଦେଶର ବିଭିନ୍ନ ଅଞ୍ଚଳରେ ବିକ୍ଷିପ୍ତ ହୋଇ ରହୁଥିବା ହଜାର ହଜାର ପ୍ରବାସୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସେମାନଙ୍କ ଦେଶକୁ ପ୍ରତ୍ୟର୍ପଣ କରିବା ଲାଗି ସରକାର ନିର୍ଦ୍ଦେଶ କରିଛନ୍ତି।

ସମ୍ବନ୍ଧିତ ଖବର