ନୂଆଦିଲ୍ଲୀ : ବିଶ୍ବ ସମୁଦାୟ ଚାପରେ ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା କହିଥି‌ଲେ ମଧ୍ୟ ଅସଲରେ ଏହା ଭାରତ ବିରୋଧରେ ଲଗାତାର ଷଡ଼ଯନ୍ତ୍ର କରିଚାଲିଛି। ଭାରତରେ ଅନୁପ୍ରବେଶ ପାଇଁ ୧୫୦ରୁ ଅଧିକ ଜୈସ୍‌ ଏବଂ ଲସ୍କର ଆତଙ୍କବାଦୀ ଠୁଳ ହୋଇଛନ୍ତି ଏବଂ ସେମାନଙ୍କୁ ପାକ୍‌ ସେନା ଭାରତରେ ଅନୁପ୍ରବେଶ କରାଇବାକୁ ସବୁ ସହାୟତା ଯୋଗାଇ ଦେଉଛି। ସେହିପରି ଆତଙ୍କବାଦୀଙ୍କୁ ଅର୍ଥ ଓ ଅସ୍ତ୍ର ଯୋଗାଣ ମାମଲାରେ ଅନ୍ତର୍ଜାତୀୟ ସଂସ୍ଥା ଏଫ୍‌ଏଟିଏଫ୍‌ ପାକିସ୍ତାନକୁ ଦେଇଥିବା ସମୟସୀମା ଶେଷ ହେବାକୁ ଯାଉଥିଲେ ମଧ୍ୟ ପାକିସ୍ତାନ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ବିଶ୍ବ ସମୁଦାୟକୁ ବିଭ୍ରାନ୍ତ କରିବା ପାଇଁ ପାକିସ୍ତାନ ଗୋଟିଏ ପଟେ ଆତଙ୍କବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କହୁଥିବା ବେଳେ ଅନ୍ୟପଟେ ଏହା ନିଜ ମାଟିରେ ଆତଙ୍କବାଦର କାୟାବିସ୍ତାର କରିଚାଲିଛି। ପାକିସ୍ତାନରେ ୪୦ ହଜାରରୁ ଅଧିକ ଆତଙ୍କବାଦୀ ସକ୍ରିୟ ଥିବା ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସ୍ବୀକାର କରିଛନ୍ତି। ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି ଯେ ପାକିସ୍ତାନ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପୂର୍ବାପେକ୍ଷା ଆହୁରି ଆହୁରି ବ୍ୟାପକ କରିବାର ପ୍ରୟାସ କରୁଛି। ପା‌କିସ୍ତାନ ପକ୍ଷରୁ ଏବଂ ଜମ୍ମୁ କଶ୍ମୀର ସୀମା ସଂଲଗ୍ନ ଆନ୍ତର୍ଜାତୀୟ ସୀମା ନିକଟସ୍ଥ ପିଓକେ (ପାକିସ୍ତାନ ଅଧିକୃତ କଶ୍ମୀର)ରେ ୧୩ଟି ଆତଙ୍କବାଦୀ ଶିବିର ସକ୍ରିୟ ରହିଛି। ନିୟନ୍ତ୍ରଣ ରେଖା‌ ନିକଟସ୍ଥ ପିଓକେର ‌‌କୋଟ୍‌ଲି, ରାୱଲକୋଟ୍‌, ବାଗ୍‌ ଏବଂ ମୁଜାଫରବାଦ୍‌ରେ ପାକିସ୍ତାନ ସେନା ସହାୟତାରେ ଅନେକ ଆତଙ୍କବାଦୀ ଶିବିର ସକ୍ରିୟ ରହିଛି।

Advertisment

ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି ‌ଯେ ମୁଜାଫରବାଦ୍‌ର କୋଟ୍‌ଲି, ଶବାଇ ନଲା ନିକଟସ୍ଥ ଫାଗୁସ୍‌ ଏବଂ କୁଣ୍ଡ୍‌ , ଅବଦୁଲ୍ଲା ବିନ୍‌ ମସୁଦ୍‌ ଶିବିର ନିକଟରେ ୧୫୦ରୁ ଅଧିକ ଜେଇଏମ୍‌, ଏଲଇଟି ଏବଂ ତାଲିବାନ୍‌ ଆତଙ୍କବାଦୀ ଭାରତରେ ପ୍ରବେଶ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଜେଇଏମ୍‌ ମୁଖିଆ ମୌଲାନା ମସୁଦ୍‌ ଆଝାରର ଭାଇ ଇବ୍ରାହିମ ଆଝାରକୁ ମଧ୍ୟ ପିଓକେରେ ଠାବ କରାଯାଇଥିବା ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। ଗୁଇନ୍ଦା ରି‌ପୋର୍ଟ ଆସିବାପରେ ଜମ୍ମୁ କଶ୍ମୀରରେ ଏବେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏନ୍‌ଏସ୍ଏ ଅଜିତ ଡୋଭାଲ୍‌ ଆଜି ଆଇବି ନିର୍ଦ୍ଦେଶକ ଅରବିନ୍ଦ କୁମାର, ଜମ୍ମୁ କଶ୍ମୀର ପୁଲିସ ଡିଜି ଦିଲବାଗ୍‌ ସିଂହ ଏବଂ ସେନାର ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ସପ୍ତାହରେ ଏଲ୍‌ଓସି ନିକଟରେ ପାକିସ୍ତାନର ବ୍ୟାଟ୍‌ ଟିମ୍‌ ଦ୍ବାରା ଅନୁପ୍ରବେଶ ଉଦ୍ୟମ ହୋଇଥିବାବେଳେ ଭାରତୀୟ ସେନା ଏହାକୁ ପଣ୍ଡ କରିଦେଇଥିଲା। ପାକିସ୍ତାନ ନିଜ ବ୍ୟାଟ୍‌ ଟିମ୍‌ର ୭ ଜଣ କମାଣ୍ଡୋଙ୍କ ଶବ ମଧ୍ୟ ଗ୍ରହଣ କରିବାକୁ ମନା କରିଦେଇଥି‌ଲା।