ଭାରତର ଅନୁପ୍ରବେଶ ପାଇଁ ପ୍ରସ୍ତୁତହୋଇ ରହିଛନ୍ତି ୧୫୦ ଆତଙ୍କବାଦୀ

ଶ୍ରୀନଗର : ଏବେ କଶ୍ମୀରରେ ଗ୍ରୀଷ୍ମଋତୁ ଚାଲିଥିବାରୁ ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ଏହାର ସୁଯୋଗ ନେଇ ପ୍ରାୟ ୧୫୦ରୁ ଅଧିକ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ନିୟନ୍ତ୍ରଣ ରେଖା ସେପଟେ ଥିବା ଲଞ୍ଚ୍ ପ୍ୟାଡଗୁଡ଼ିକରେ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।

ନିଜର ନାମ ଗୋପନ ରଖି ସଂପୃକ୍ତ ସେନା ଅଧିକାରୀ କହିଛନ୍ତି ଯେ କେବଳ ଏହି ୧୫୦ ଆତଙ୍କବାଦୀ ନୁହନ୍ତି, ପ୍ରାୟ ୫୦୦ ରୁ ୭୦୦ ଆତଙ୍କବାଦୀ ନିୟନ୍ତ୍ରଣରେଖା ସେପଟେ ଥିବା ଚାଲିମକେନ୍ଦ୍ରଗୁଡ଼ିକରେ ତାଲିମ ନେଉଛନ୍ତି । ଏସବୁ ତାଲିମକେନ୍ଦ୍ର ପାକ-ଅଧିକୃତ କଶ୍ମୀରର ମୁଜାଫରାବାଜ,କୋଟଲି, ମନସେରା ଆଦି ସ୍ଥାନରେ ଅବସ୍ଥିତ । ତେବେ ନିକଟରେ ଆତଙ୍କବାଦୀଙ୍କ ଦ୍ବାରା କରାଯାଇଥିବା କେତେକ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ସଫଳତାର ସହ ବିଫଳ କରିଦେଇଥିଲା । ଏହି କାରଣରୁ ଚଳିତ ବର୍ଷ ଏପର୍ୟ୍ୟନ୍ତ ଭାରତରେ କୌଣସି ଅନୁପ୍ରବେଶ କରାଯାଇନାହିଁ ।
ତେବେ ପୂର୍ବରୁ ଅନୁପ୍ରବେଶ କରିସାରିଥିବା ଆତଙ୍କବାଦୀଙ୍କ ‘କଥା ବୁଝାଯାଇଛି’ ବୋଲି ସେ କହିଛନ୍ତି । ଗତ ମେ ମାସରେ ସାପୋରେ ଓ ବାନ୍ଦିପୁରାରେ ହୋଇଥିବା ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା କେତେକ ଆଫଗାନ ଆତଙ୍କବାଦୀଙ୍କଆଡ଼କୁ ଇସାରା କରି ସେ ଏକଥା କହିଥିଲେ ।

କଶ୍ମୀର ରୁଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ କଷ୍ଟକର ହୋଇଯାଇଥିବାରୁ ସେମାନେ ଅନ୍ୟ କେତେକ ରୁଟ ଦେଇ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି ।

 

ସମ୍ବନ୍ଧିତ ଖବର