ନୂଆଦିଲ୍ଲୀ: ସାଧୁ ଏବଂ ସନ୍ଥମାନେ ସମାଧି ନେଉଥିବା ବିଷୟରେ ଆପଣମାନେ ନିଶ୍ଚୟ ଅନେକ ଖବର ଶୁଣିଥିବେ। କିନ୍ତୁ ଆପଣ କେବେ ଏକ କାରକୁ ସମାଧି ଦିଆଯାଉଥିବା ବିଷୟରେ ଶୁଣିଛନ୍ତି ବା ଦେଖିଛନ୍ତି କି? ନିହାତି ଭାବରେ ଆପଣଙ୍କ ଉତ୍ତର ହେବ ନା। ହେଲେ ବର୍ତ୍ତମାନ ଗୁଜରାଟରେ ଏଭଳି ଅଜବ ଘଟଣା ଘଟିଛି | ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୁଜରାଟର ଏକ ପରିବାର ସେମାନଙ୍କ ପାଇଁ ଶୁଭ ଥିବ‌ା କାରର ଅନ୍ତିମ ସଂସ୍କାର କରିଛନ୍ତି। ଏହି ଅନନ୍ୟ ମାମଲା ଗୁଜୁରାଟର ଅମ୍ରୋଲିରେ ଘଟିଛି। ଏକ ପରିବାର ୧୫ଫୁଟ ଗଭୀର ଗାତ ଖୋଳି କାରକୁ ପୋତି ଦେଇଥିଲେ ଏବଂ ପରେ ୧୫୦୦ ଲୋକଙ୍କ ପାଇଁ ଏକ ଭୋଜିର ଆୟୋଜନ କରିଥିଲେ। ଏହି ପୁରା କାର୍ଯ୍ୟକ୍ରମରେ ପ୍ରାୟ ୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।

Advertisment

ସାଧୁ ତଥା ଆଧ୍ୟାତ୍ମିକ ଗୁରୁଙ୍କ ସମେତ ପ୍ରାୟ ୧୫୦୦ ଲୋକ ଗୁରୁବାର ଦିନ ଲାଠି ତାଲୁକା ଅନ୍ତର୍ଗତ ପଦର୍ଶିଙ୍ଗା ଗ୍ରାମରେ ସଞ୍ଜୟ ପୋଲାରା ଏବଂ ତାଙ୍କ ପରିବାର ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ପୋଲାରା ଏବଂ ତାଙ୍କ ପରିବାର ତାଙ୍କ ଫାର୍ମରେ ଶେଷ ରୀତିନୀତି କରୁଥିବା ଦେଖାଯାଇଥିଲା। ସଞ୍ଜୟ ତାଙ୍କର ୧୨ ବର୍ଷ ପୁରୁଣା ୱାଗନ୍ ଆର କାରକୁ ସମାଧି ଦେବା ପାଇଁ ୧୫ଫୁଟ ଗଭୀର ଗାତ ଖୋଳିଥିଲେ। ସମାଧି ଦେବା ପୂର୍ବରୁ କାରକୁ ପ୍ରଥମେ ଫୁଲରେ ସଜା ଯାଇଥିଲା। ଏହା ପରେ କାରକୁ ଖାଲ ପର୍ଯ୍ୟନ୍ତ ନିଆଯାଇ ସମାଧି ଦିଆଯାଇଥିଲା।

ପୋଲାରା କହିଛନ୍ତି ଯେ, "ମୁଁ ପ୍ରାୟ ୧୨ବର୍ଷ ପୂର୍ବେ ଏହି କାର କିଣିଥିଲି ଏବଂ ଏହା ପରିବାର ପାଇଁ ସମୃଦ୍ଧତା ଆଣିଥିଲା। ବ୍ୟବସାୟରେ ସଫଳତା ଦେଖିବା ବ୍ୟତୀତ ମୋ ପରିବାର ସମ୍ମାନ ମଧ୍ୟ ପାଇଥିଲା। ଏହି ଗାଡି ମୋର ଏବଂ ମୋ ପରିବାର ପାଇଁ ଶୁଭ ସାବ୍ୟସ୍ତ ହେଲା। ଏଥିପାଇଁ ମୁଁ ଗାଡ଼ିକୁ ବିକ୍ରି ନକରି ତାକୁ ସମାଧି ଦେଲି। ଏହି ସମାରୋହରେ ୪ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ପୋଲାରା କହିଛନ୍ତି ଯେ, ସେ ତାଙ୍କ ଭବିଷ୍ୟତ ପିଢ଼ିକୁ ଜଣାଇବା ପାଇଁ ସମାଧି ସ୍ଥାନରେ ଏକ ଗଛ ଲଗାଇବାକୁ ଯୋଜନା କରିଛନ୍ତି।