କୋଭିଡ୍ ଯୋଗୁ ମହାରାଷ୍ଟ୍ରର ୧୫,୦୫୧ ପିଲା ଅନାଥ

ମୁମ୍ବାଇ: ମହାରାଷ୍ଟ୍ର ମହିଳା ଓ ଶିଶୁ ବିକାଶ ବିଭାଗ (ଡବ୍ଲୁସିଡି)ର ତଥ୍ୟରୁ ଜଣାପଡ଼ିଛି ଯେ, କୋଭିଡ୍-୧୯ ମହାମାରୀ ଯୋଗୁ ରାଜ୍ୟର ୧୫,୦୫୧ ପିଲା ବାପା ଓ ମାଆଙ୍କ ମଧ୍ୟରୁ ଜଣଙ୍କୁ ବା ଉଭୟଙ୍କୁ ହରାଇ ଅନାଥ ହୋଇଛନ୍ତି ଏବଂ ୪୮୨ ଜଣ ପିଲା ବାପା ଓ ମାଆ ଉଭୟଙ୍କୁ ହରାଇ ସମ୍ପୂର୍ଣ୍ଣ ଅନାଥ ହୋଇଯାଇଛନ୍ତି। ଡବ୍ଲୁସିଡି ତଥ୍ୟରୁ ଜଣାପଡ଼ିଛି ଯେ ପୁଣେ ଡିଭିଜନ୍, ଯାହା ଭିତରେ ପୁଣେ, ସତାରା, ସାଙ୍ଗଲି, ସୋଲାପୁର ଓ କୋହ୍ଲାପୁର ଅନ୍ତର୍ଭୁକ୍ତ, ତାହାର ପିଲାମାନେ ସବୁଠାରୁ ବେଶି ସଂଖ୍ୟାରେ ପ୍ରଭାବିତ ହୋଇଛନ୍ତି। ଏହି ଡିଭିଜନ୍‌ର ୩,୬୬୪ ଜଣ ଶିଶୁ ବାପା ଓ ମାଆଙ୍କ ମଧ୍ୟରୁ ଜଣଙ୍କୁ କିମ୍ବା ଉଭୟଙ୍କୁ ହରାଇଛନ୍ତି।

ପୁଣେରେ ୧,୫୩୪ ଜଣ ପିଲା ଅନୁରୂପ ଦଶା ଭୋଗିଛନ୍ତି। ନାଗପୁର ଓ ଠାଣେରେ ଏହି ସଂଖ୍ୟା ଯଥାକ୍ରମେ ୧,୪୭୦ ଓ ୧,୨୨୮। ପୁଣେରେ ୧୯୫ ପିଲା ସେମାନଙ୍କ ମାଆଙ୍କୁ ହରାଇଥିବା ବେଳେ ୧,୨୯୭ ଜଣ ବାପାଙ୍କୁ ହରାଇଛନ୍ତି ଏବଂ ୪୨ ଜଣ ଉଭୟଙ୍କୁ ହରାଇଛନ୍ତି। ସାରା ରାଜ୍ୟରେ ୧,୬୬୫ ଜଣ ପିଲା ସେମାନଙ୍କ ମାଆଙ୍କୁ ହରାଇଥିବା ବେଳେ ୧୩,୩୮୬ ଜଣ ପିଲା ବାପାଛେଉଣ୍ଡ ହୋଇଯାଇଛି। କୋଙ୍କଣ ଡିଭିଜନରେ, ଯାହା ଭିତରେ ମୁମ୍ବାଇ ନଗରୀ ଓ ପାଶ୍ବବର୍ତ୍ତୀ ଅଞ୍ଚଳ, ଠାଣେ, ରାୟଗଡ଼, ପାଲଘର, ରତ୍ନଗିରି ଓ ସିନ୍ଧୁଦୁର୍ଗ ଅନ୍ତର୍ଭୁକ୍ତ, ସେଠାରେ ୩୪୯୮ ଜଣ ପିଲା ବାପାମାଆଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି। ସେହିପରି ନାଗପୁର, ନାସିକ, ଔରଙ୍ଗାବାଦ ଓ ଅମରାବତୀ ଡିଭିଜନରେ ଏହି ସଂଖ୍ୟା ଯଥାକ୍ରମେ ୩୦୭୯, ୨୩୦୫, ୧୮୬୦ ଏବଂ ୧୨୦୭।

ସମ୍ବନ୍ଧିତ ଖବର