ନୂଆଦିଲ୍ଲୀ: ଦେଶରେ କରୋନା ନୂଆ ପ୍ରଜାତି ଓମିକ୍ରନ ଭୟଙ୍କର ଭାବରେ ମାଡ଼ିଚାଲିଛି। ଗତକାଲି ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୨୨ ଥିଲା। ଆଜି ଏହା ୫୭୮ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଦେଶରେ ଗୋଟିଏ ଦିନରେ ୧୫୬ ନୂଆ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। ଓମିକ୍ରନ୍ ଗତକାଲି ଦେଶର ୧୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ବ୍ୟାପିଥିଲା। ଆଜି ଗୋଆ, ମଣିପୁର ଓ ମଧ୍ୟପ୍ରଦେଶରେ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଆଜିସୁଦ୍ଧା ଦିଲ୍ଲୀରେ ୧୪୨ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୧୪୧, କେରଳରେ ୫୭, ଗୁଜରାଟରେ ୪୯, ରାଜସ୍ଥାନରେ ୪୩, ତେଲେଙ୍ଗାନାରେ ୪୧, ତାମିଲନାଡ଼ୁରେ ୩୪ ଏବଂ କର୍ଣ୍ଣାଟକରେ ୩୧ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ୨୪ ଘଣ୍ଟାରେ ଓମିକ୍ରନ୍ ମାମଲା ୭୯ରୁ ୧୪୨କୁ ବୃଦ୍ଧି ପାଇବା ଚିନ୍ତାର ବିଷୟ ପାଲଟିଛି। ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ଓମିକ୍ରନ୍ ମାମଲା ୧୦୮ରୁ ୧୪୨କୁ ବୃଦ୍ଧି ପାଇଛି। ସେହିପରି କେରଳରେ ଓମିକ୍ରନ୍ ମାମଲା ୩୮ରୁ ୫୭କୁ ବୃଦ୍ଧି ପାଇଛି। ମଧ୍ୟପ୍ରଦେଶରେ ଦିନକରେ ଓମିକ୍ରନ୍ ମାମଲା ଶୂନରୁ ୯ରେ ପହଞ୍ଚିଛି। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ୧୫୧ ଜଣ ଓମିକ୍ରନରୁ ସୁସ୍ଥ ହୋଇଛନ୍ତି।
ଦେଶବ୍ୟାପୀ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତବେଗରେ ବଢ଼ୁଥିବାରୁ କେନ୍ଦ୍ର ସରକାର ଆଜି ପୁଣି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ସତର୍କ କରାଇଛନ୍ତି। କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ରାଜ୍ୟଗୁଡ଼ିକ ସ୍ବାସ୍ଥ୍ୟ ଭିତ୍ତିଭୁମି ସୁଦୃଢ଼ ରଖିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏକ ଚିଠି ଲେଖି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା କହିଛନ୍ତି, ଦେଶରେ ସକ୍ରିୟ ମାମଲା କମୁଥିଲେ ସୁଦ୍ଧା ଓମିକ୍ରନ୍ ସଂକ୍ରମଣ ବଢ଼ୁଛି। ଏହା ଡେଲ୍ଟା ପ୍ରଜାତି ତୁଳନାରେ ୩ ଗୁଣା ଅଧିକ ସଂକ୍ରାମକ। ତେଣୁ ଏଦିଗରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଜାନୁଆରି ୩୧ ପର୍ଯ୍ୟନ୍ତ କରୋନା କଟକଣା ଅବଧି ବଢ଼ାଇବା ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସୋମବାର ସଂଧ୍ୟାସୁଦ୍ଧା ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ଆଜି ୨୬ ନୂଆ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। ଫଳରେ ଏଠାରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬୭ ଛୁଇଁଛି।
ଦିଲ୍ଲୀରେ ୬ ମାସରେ ସର୍ବାଧିକ ସଂକ୍ରମଣ
ମୁମ୍ବାଇରେ ଅଚାନକ ସଂକ୍ରମଣ ବୃଦ୍ଧି
ନୂଆଦିଲ୍ଲୀ: ଦିଲ୍ଲୀରେ ୬ ମାସରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହୋଇଛି। ଲଗାତାର ୨ ଦିନ ଧରି ଦିଲ୍ଲୀରେ ସଂକ୍ରମଣ ମାମଲା ବଢ଼ିଛି। ଗତ ୨୪ ଘଣ୍ଟାରେ ଦିଲ୍ଳୀରେ ୩୩୧ କରୋନା ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ରବିବାର ଦିନ ଦିଲ୍ଲୀରେ ନୂଆ ସଂକ୍ରମଣ ମାମଲା ୨୯୦ ଥିଲା। ଦିଲ୍ଲୀରେ ପଜିଟିଭ୍ ହାର ୦.୬୮ ପ୍ରତିଶତ। ଗତକାଲି ଏହା ୦.୫ ପ୍ରତିଶତ ଥିଲା। ସଂକ୍ରମଣ ବଢ଼ୁଥିବାରୁ ଦିଲ୍ଲୀରେ ଖୁବ୍ ଶୀଘ୍ର ୟେଲୋ ଆଲର୍ଟ ଜାରି ହୋଇପାରେ। ଆଜିଠାରୁ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହେବ। ଦିଲ୍ଲୀରେ ଓମିକ୍ରନ୍ ମାମଲା ୧୪୯ରେ ପହଞ୍ଚିଛି। ଅନ୍ୟପକ୍ଷେ ସକ୍ରିୟ ମାମଲା ୧୨୮୯ ରହିଛି। ସେହିପରି ମୁମ୍ବାଇରେ ଗତ ୨୪ ଘଣ୍ଟାରେ ୮୦୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ବିଏମ୍ସି ତଥ୍ୟ ଅନୁଯାୟୀ ରବିବାର ଦିନ ମୁମ୍ବାଇରେ ୯୨୨ ମାମଲା ଚିହ୍ନଟ ହୋଇଥିଲା। ରବିବାର ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମଣ ମାମଲାର ୭୨ ପ୍ରତିଶତ କେବଳ ମୁମ୍ବାଇରେ ରହିଛି।
ଦିଲ୍ଲୀ ଏବଂ ମୁମ୍ବାଇରେ ସଂକ୍ରମଣ ବଢ଼ୁଥିବାରୁ ଖୁବ୍ ଶୀଘ୍ର ତୃତୀୟ ଲହର ଆସିପାରେ। ବାସ୍ତବ ସ୍ଥିତିକୁ ଅତ୍ୟନ୍ତ ଭଲଭାବେ ସମୀକ୍ଷା କରୁଥିବା ମହାମାରୀ ରୋଗ ବିଶେଷଜ୍ଞ ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି, ଦିଲ୍ଲୀ ଏବଂ ମୁମ୍ବାଇରେ ଯେଭଳି ସଂକ୍ରମଣ ବଢ଼ୁଛି ଯଦି ତାହା ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ ତେବେ ତୃତୀୟ ଲହର ଆରମ୍ଭ ହୋଇଯିବ। ମହାମାରୀ ରୋଗ ବିଶେଷଜ୍ଞ ଡାକ୍ତର ଚନ୍ଦ୍ରକାନ୍ତ ଲହରିୟା କହିଛନ୍ତି, ଯଦି ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ସଂକ୍ରମଣ ବଢ଼େ ତେବେ ତୃତୀୟ ଲହର ଆରମ୍ଭ ହୋଇଯିବ। ଲହରିୟା କହିଛନ୍ତି ଦିଲ୍ଲୀ ଏବଂ ମୁମ୍ବାଇରେ ଯେଭଳି ସଂକ୍ରମଣ ବଢ଼ିଛି ଦେଶରେ ସେଭଳି ସଂକ୍ରମଣ ବଢ଼ିନି। ମୁମ୍ବାଇରେ ଦୈନିକ ସଂକ୍ରମଣ ମାମଲା ଅତ୍ୟନ୍ତ ଚିନ୍ତାଜନକ। ଡିସେମ୍ବର ପ୍ରଥମ ସପ୍ତାହରେ ସହରର ଦୈନିକ ହାରାହାରି କରୋନା ମାମଲା ୧୮୫ ଥିଲା। ଦ୍ବିତୀୟ ସପ୍ତାହ ( ଡିସେମ୍ବର ୭-୧୪) ମଧ୍ୟରେ ସଂକ୍ରମଣ ୨୧୨କୁ ବୃଦ୍ଧି ପାଇଲା। ତୃତୀୟ ସପ୍ତାହ (ଡିସେମ୍ବର ୧୫-୨୧) ମଧ୍ୟରେ ଦିଲ୍ଲୀର ଦୈନିକ ହାରାହାରି ସଂକ୍ରମଣ ୨୭୦ ଥିଲା। ସବୁଠୁ ଚିନ୍ତାଜନକ ହେଉଛି ମୁମ୍ବାଇରେ ଡିସେମ୍ବର ୨୨ରୁ ୨୬ ମଧ୍ୟରେ ଦୈନିକ ହାରାହାରି ସଂକ୍ରମଣ ୬୭୧କୁ ବଢ଼ିଗଲା। ପୂର୍ବ ସପ୍ତାହ ତୁଳନାରେ ଦିଲ୍ଲୀରେ ସଂକ୍ରମଣ ମାମଲାରେ ୧୪୮ ପ୍ରତିଶତ ବୃଦ୍ଧି ହୋଇଛି।
ତିରୁଅନନ୍ତପୁରମ୍: କେରଳରେ ସୋମବାର ଦିନ ନାଇଟ୍ କର୍ଫ୍ୟୁ ଘୋଷଣା ହୋଇଛି। ଡିସେମ୍ବର ୩୦ରୁ ଏହା କାର୍ଯ୍ୟକାରୀ ହେବ। ରାଜ୍ୟ ସରକାଳ କେରଳରେ ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି। ଜାନୁଆରି ୨ ପର୍ଯ୍ୟନ୍ତ ରାଜ୍ୟରେ କର୍ଫ୍ୟୁ ବଳବତ୍ତର ରହିବ। ନୂଆବର୍ଷର ବିଳମ୍ବିତ ରାତ୍ରି ଉତ୍ସବକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। କେରଳରେ ସୋମବାର ଦିନ ୧୬୩୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। କେରଳରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫୨,୨୪,୯୨୯। କେରଳରେ ଗତ ୨୪ ଘଣ୍ଟାରେ ୨୩୬ ଜଣଙ୍କ ମୃତ୍ୟୁସହ ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୪୬,୮୨୨ କୁ ବୃଦ୍ଧି ପାଇଛି। କେରଳରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୭।