ଦେଶରେ ୧୫୯୦ ନୂଆ ମାମଲା: ୧୪୬ ଦିନରେ ସର୍ବାଧିକ, ୫ ସପ୍ତାହରେ ଦୈନିକ ହାରାହାରି ସଂକ୍ରମଣ ୯ ଗୁଣା ବୃଦ୍ଧି

ନୂଆ ନିର୍ଦ୍ଦେଶାବଳି ଜାରି କଲେ ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ଆଜି ଦୈନିକ କରୋନା ସଂକ୍ରମଣ ୧୫୦୦ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୯୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୩ ଜଣଙ୍କର ଏବଂ ରାଜସ୍ଥାନ, କର୍ଣ୍ଣାଟକ ଓ ଉତ୍ତରାଖଣ୍ଡରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ମାମଲା ଏବେ ୧୦ ହଜାର ମୁହାଁ ହୋଇଛି। ଦେଶରେ ଏବେ ମୋଟ୍‌ ୮,୬୦୧ ସକ୍ରିୟ ମାମଲା ରହିଛି। ଦୈନିକ ପଜିଟିଭ୍‌ ହାର ୧.୩୩ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୧.୨୩ ପ୍ରତିଶତ ଥିବା ବେଳେ ଗତ ୫ ସପ୍ତାହ ମଧ୍ୟରେ ଦେଶରେ ଦୈନିକ ହାରାହାରି ସଂକ୍ରମଣ ୯ ଗୁଣାରୁ ଅଧିକ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। ଫେବ୍ରୁଆରି ୧୦-୧୬ରେ ହାରାହାରି ଦୈନିକ ସଂକ୍ରମଣ ୧୦୮ ରହୁଥିବାବେଳେ ମାର୍ଚ୍ଚ ୧୭-୨୩ ମଧ୍ୟରେ ଦୈନିକ ହାରାହାରି ସଂକ୍ରମଣ ୯୬୬ ରହିଛି।

ସଂକ୍ରମଣ ବୃଦ୍ଧି ହେବାରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କରୋନା ମୁକାବିଲା ପାଇଁ ଏକ ନୂଆ ନିର୍ଦ୍ଦେଶାବଳି ଜାରି କରିଛନ୍ତି। କିଛି ରାଜ୍ୟରେ କମ୍‌ ଟେଷ୍ଟିଂ ହେଉଥିବାରୁ ସରକାର ଚିନ୍ତା ପ୍ରକଟ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ପାଇଁ ଏକ ବିବୃତି ଜାରି କରି କୁହାଯାଇଛି ଯେ ଗତ କିଛି ସପ୍ତାହ ମଧ୍ୟରେ କିଛି ରାଜ୍ୟରେ କରୋନା ଟେଷ୍ଟିଂ ବହୁତ କମ୍‌ ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ନିଧାର୍ଯ୍ୟ କରିଥିବା ଟେଷ୍ଟିଂ ତୁଳନାରେ ବି କିଛି ରାଜ୍ୟରେ ବହୁତ କମ୍‌ କରୋନା ଟେଷ୍ଟ୍‌ କରାଯାଉଛି। ଜିଲ୍ଲା ଏବଂ ବ୍ଲକ୍‌ ସ୍ତରରେ ଟେଷ୍ଟିଂରେ ବି ବହୁତ ପାର୍ଥକ୍ୟ ରହୁଛି। କିଛି ରାଜ୍ୟ ମଧ୍ୟ ରୢାପିଡ ଏଣ୍ଟିଜେନ ଟେଷ୍ଟ୍‌ ଉପରେ ନିର୍ଭର କରୁଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଚେତାବନୀ ଦେଇ କହିଛନ୍ତି ଯେ ବର୍ତ୍ତମାନ ମାତ୍ରାଧିକ କରୋନା ଟେଷ୍ଟ୍ କରିବାର ଆବଶ୍ୟକତା ରହିଛି। କରୋନା ହଟ୍‌ସ୍ପଟ୍‌ ଚିହ୍ନଟ କରି କରୋନା ନିୟନ୍ତ୍ରଣ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ମାସ୍କ ପିନ୍ଧିବା ସହ ଭିଡ଼ ସ୍ଥାନରେ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର