ନିଉୟର୍କ: ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ୧୦୦୦ ଦିନରୁ ଊର୍ଦ୍ଧ୍ବ ସମୟ ବିତିଯାଇଛି। ରୁଷ ବିରୋଧରେ ଦୂରଗାମୀ କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ କରିବାକୁ ୟୁକ୍ରେନ୍‌କୁ ଆମେରିକାର ଅନୁମତି ଓ ରୁଷ୍‌ର ବିରୋଧକୁ ନେଇ ସଂପ୍ରତି ଯୁଦ୍ଧ ପୁଣି ଗମ୍ଭୀର ହୋଇଛି। ଏହି ସମୟରେ ବିଶ୍ବରେ ଶିଶୁଙ୍କ ବିକାଶ ନିମନ୍ତେ କାର୍ଯ୍ୟକରୁଥିବା ମିଳିତ ଜାତିସଂଘର ୟୁନିସେଫ୍‌ ଏକ ଦୁଃଖଦ ତଥ୍ୟ ଉପସ୍ଥାପିତ କରିଛି।

Advertisment

ଏହି ଯୁଦ୍ଧରେ, ବିଶେଷତଃ ୟୁକ୍ରେନ୍‌ର ୨୪୦୬ଜଣ ଶିଶୁ ନିହତ କିମ୍ବା ଆହତ ହୋଇଛନ୍ତି ବୋଲି ନିଜ ରିପୋର୍ଟରେ ଦର୍ଶାଇଛି। ପ୍ରକାଶିତ ରିପୋର୍ଟ ଅନୁସାରେ, ଯୁଦ୍ଧରେ ୬୫୯ ଶିଶୁଙ୍କ ମୃତ୍ୟୁ ଓ ୧୭୪୭ ଶିଶୁ ଆହତ ହୋଇଛନ୍ତି। ଅର୍ଥାତ୍‌ ପ୍ରତି ସପ୍ତାହରେ ୧୬ଜଣ ଶିଶୁଙ୍କ ମୃତ୍ୟୁ ଘଟୁଛି କିମ୍ବା ଆହତ ହେଉଛନ୍ତି। ୟୁ‌ନିସେଫ୍‌ର ନିର୍ବାହୀ ନିର୍ଦ୍ଦେଶକ କାଥେରାଇନ୍‌ ରସେଲ୍‌ କହିଛନ୍ତି, ସେମାନଙ୍କ ଶଯ୍ୟା, ହସ୍‌ପିଟାଲ୍‌, ଖେଳପଡ଼ିଆରେ ଶିଶୁଙ୍କ ମୃତ୍ୟୁ ଘଟୁଛି। ଏହାଦ୍ବାରା ପରିବାର ଉଜୁଡ଼ିଯାଉଛି। ୧୦୦୦ ଦିନ ମଧ୍ୟରେ ୧୪୯୬ ଶିକ୍ଷାନୁଷ୍ଠାନ, ୬୬୨ଟି ସ୍ବାସ୍ଥ୍ୟାନୁଷ୍ଠାନ ଧ୍ବସ୍ତ ହୋଇଛି। ୧.୭ ନିୟୁତ ଶିଶୁ ବିଶୁଦ୍ଧ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି।