ରାଞ୍ଚି: ଝାଡଖଣ୍ଡ ପକୁର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସାମ୍ନାରୁ ଆସୁଥିବା ଏକ ସିଲିଣ୍ଡର ବୋଝେଇ ଟ୍ରକ ସହ ଯାତ୍ରୀବାହୀ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ୧୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ତେବେ କୁହୁଡିଆ ପାଗ ହିଁ ଅଘଟଣର ମୁଖ୍ୟ କାରଣ ବୋଲି କୁହାଯାଉଛି।

Advertisment

ବୁଧବାର ସକାଳ ପ୍ରାୟ ୮.୩୦ ସମୟରେ ଝାଡଖଣ୍ଡ ପକୁର ଜିଲ୍ଲା ଗୋବିନ୍ଦପୁର ସହିବଙ୍ଗଜ ରାସ୍ତା ନିକଟରେ ଘଟିଥିଲା ଏହି ଅଭାବନୀୟ ଘଟଣା । ଯାତ୍ରୀବାହୀ ବସକୁ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି ୧୬ଜଣ ଯାତ୍ରୀ । ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ବସଟି ସାମ୍ନାରୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି । ପାଗ କୁହୁଡିଆ ଥିବାରୁ ଆଗକୁ କିଛି ସ୍ପଷ୍ଟ ଦେଖା ଯାଉନଥିଲା । ଫଳରେ ସାମ୍ନାରୁ ଆସୁଥିବା ଟ୍ରକ ସହ ଯାତ୍ରୀବାହୀ ବସ ମୁହାଁମୁହିଁ ହୋଇଥିଲା । ଘଟଣାରେ ୧୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୨୬ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

କୁହୁଡି କାରଣରୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଖରାପ ପାଗ, କୁହୁଡି ପାଇଁ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି । ତେବେ ଦୁର୍ଘଟଣାରେ ବସ୍ କି ଟ୍ରକର ତେଲଟାଙ୍କି ଫାଟି ନାହିଁ । ନହେଲେ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହୋଇଥାନ୍ତା ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି । ଘଟଣାସ୍ଥଳରେ ପୁଲିସ ଓ ଦମକଳ ବାହିନୀ ପହଁଚି ତୁରନ୍ତ ଉଦ୍ଧାର କାମରେ ନିୟୋଜିତ ହୋଇଥିଲା । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦୁଃଖ ପ୍ରକାଶ କରିଛନ୍ତି । ସମସ୍ତ ଆହତଙ୍କୁ ଭଲ ଚିକିତ୍ସା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।