ଢାକା: ବାଂଲାଦେଶ ରାଜଧାନୀ ଢାକାର ଗୁଲିସ୍ତାନ ଅଞ୍ଚଳରେ ଥିବା ଏକ ବହୁତଳ କୋଠାରେ ମଙ୍ଗଳବାର ଅପରାହ୍ଣରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଛି। ୧୨୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି।
ରିପୋର୍ଟରୁ ପ୍ରକାଶ, ସ୍ଥାନୀୟ ସମୟ ଅପରାହ୍ଣ ପ୍ରାୟ ୪ଟାରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଅଗ୍ନିଶମ ବିଭାଗର ୧୧ଟି ଗାଡି ନିଆଁ ଲିଭା ସହିତ ଉଦ୍ଧାର କାର୍ଯ୍ୟ କରିଥିଲେ। ଗୁରୁତରମାନଙ୍କୁ ଢ଼ାକା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାୟ ୧୨୦ ଲୋକ ଏହି ବିସ୍ଫୋରଣରେ ଘାଇଲା ହୋଇଥିବା ମେଡିକାଲର ନିର୍ଦ୍ଦେଶକ ବ୍ରିଗେଡିୟର ଜେନେରାଲ ମହମ୍ମଦ ନଜମୁଲ ହକ୍କ କହିଛନ୍ତି। ଢ଼ାକା ମେଟ୍ରୋଲପଲିଟାନ ପୁଲିସ ଅତିରିକ୍ତ କମିଶନର ହାଫିଜ ଆକତେର କହିଛନ୍ତି ଯେ, ଘଟଣା ପରେ ତତକ୍ଷଣାତ ଉଦ୍ଧାର କାର୍ଯ୍ୟ କରାଯାଇଥିଲା।
ଉକ୍ତ କୋଠାଟି ଜନଗହଳିପୂର୍ଣ୍ଣ ସିଦ୍ଦିକ ବଜାର ଅଞ୍ଚଳରେ ଥିବାବେଳେ ଏହି କୋଠାରେ ଗୁଡିଏ ଅଫିସ ଏବଂ ଦୋକାନ ରହିଛି। କୋଠାର ତଳ ମହଲାରେ ସାନିଟେସନ ମେଟେରିଆଲ ବିକ୍ରି କରୁଥିବା ଏକ ଷ୍ଟୋରରେ ଏହି ବିସ୍ଫୋରଣ ଘଟିଥିଲା। ଫଳରେ ଏତେ ଲୋକଙ୍କ ମୃତ୍ୟୁ ହୋଇଥିଲା। ତେବେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ବିସ୍ଫୋରଣର କାରଣ ଅଦ୍ୟାବଧି ଜଣାପଡିନଥିବାବେଳେ ରାପିଡ୍ ଆକ୍ସନ ବାଟାଲିୟନର ବୋମା ନିଷ୍କ୍ରିୟକାରୀ ୟୁନିଟ୍ ଘଟଣାସ୍ଥଳକୁ ଯାଇ କୋଠାଗୁଡ଼ିକର ଯାଞ୍ଚ କରୁଛି ବୋଲି ହାଫିଜ କହିଛନ୍ତି।