ବିଜେପିରେ ଯୋଗଦେଲେ ୧୬ ବିଦ୍ରୋହୀ ବିଧାୟକ, ଉପନିର୍ବାଚନ ପାଇଁ ୧୩ ଜଣଙ୍କୁ ଟିକଟ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବି‌ଜେପି ପାଇଁ ବଡ଼ ବିଜୟ ହୋଇଛି। କର୍ଣ୍ଣାଟକର ପୂର୍ବତନ ବାଚସ୍ପତି କେ ଆର ରମେଶ କୁମାରଙ୍କ ଦ୍ବାରା ଅଯୋଗ୍ୟ ଘୋଷିତ ହୋଇଥିବା ୧୭ ଜଣ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ୧୬ ଜଣ ଆଜି ବିଜେପିରେ ଯୋଗ ଦେଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପାଙ୍କ ଉପସ୍ଥିତିରେ ଏହି ବିଧାୟକମାନେ ବିଜେପିରେ ସାମିଲ ହୋଇଛନ୍ତି। ସୁପ୍ରିମକୋର୍ଟ ଗତକାଲି ଏହି ୧୭ ଜଣ ବିଧାୟକଙ୍କ ଅଯୋଗ୍ୟ ଘୋଷଣାକୁ କାଏମ ରଖିବା ସହ ସେମାନଙ୍କୁ ଉପନିର୍ବାଚନ ଲଢ଼ିବାପାଇଁ ଅନୁମତି ଦେଇଥି‌ଲେ। ଆଜି ବି‌ଜେପିରେ ଯୋଗ ଦେଇଥିବା ୧୬ ବିଧାୟକଙ୍କ ମଧ୍ୟରୁ ୧୩ ଜଣ କଂଗ୍ରେସ ଏବଂ ୩ ଜଣ ଜେଡିଏସ୍‌ରେ ଥିଲେ। ୧୩ ଜଣଙ୍କୁ ଉପନିର୍ବାଚନ ଲଢ଼ିବାପାଇଁ ବିଜେପି ଟିକଟ ଦେଇଛି ଏବଂ ଅନ୍ୟ ୨ଟି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ। ସମସ୍ତ ୧୩ ବିଧାୟକ ସେମାନଙ୍କ ନିଜ ନିଜ ଆସନରୁ ଉପନିର୍ବାଚନ ଲଢ଼ିବେ। ଆସନ୍ତା ଡିସେମ୍ବର ୫ ତାରିଖରେ କର୍ଣ୍ଣାଟକର ୧୫ଟି ଆସନରେ ଉପନିର୍ବାଚନ ହେବ। ବି‌ଜେପି କ୍ଷମତାରେ ରହିବାକୁ ହେଲେ ଉକ୍ତ ୧୫ଟି ଆସନରୁ ୬ଟିରେ ଜିତିବାକୁ ପଡ଼ିବ। ଏହି ୧୫ଟି ନିର୍ବାଚନ ମଣ୍ଡଳୀରୁ ୧୨ଟିରେ କ‌ଂଗ୍ରେସ ଏବଂ ୩ଟି‌ରେ ଜେଡିଏସ୍‌ ପ୍ରତିନିଧିତ୍ବ କରିଥିଲା। ଅନ୍ୟପକ୍ଷେ ବିଜେପି ଏହି ୧୫ଟି ଯାକ ଆସନରେ ନିର୍ବାଚନ ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି। ବିଜେପିରେ ଯୋଗ ଦେଇଥିବା ୧୬ ଜଣ ବିଧାୟକଙ୍କୁ ୟେଦୁରପ୍ପା ଭବିଷ୍ୟତର ବିଧାୟକ ଏବଂ ମନ୍ତ୍ରୀ ବୋଲି କହିଛନ୍ତି। ୧୭ କଂଗ୍ରେସ ଏବଂ ଜେଡିଏସ୍‌ ବିଧାୟକଙ୍କ ତ୍ୟାଗ ପାଇଁ ୟେଦୁରପ୍ପା ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଥିବା କହିଛନ୍ତି। ୟଦ୍ୟୁରପ୍ପା କହିଛନ୍ତି ସେମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଅକ୍ଷରେ ଅକ୍ଷରେ ପାଳନ ହେବ।

ସମ୍ବନ୍ଧିତ ଖବର