ନୂଆଦିଲ୍ଲୀ: ଆମେରିକାର ଅଗ୍ରଣୀ ଭେଷଜ କମ୍ପାନି ମଡର୍ଣ୍ଣା ଦ୍ବାରା ବିକଶିତ ଏକ କୋଭିଡ୍‌ ଟିକାର ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଗତ ସୋମବାର ଠାରୁ ଆରମ୍ଭ ହୋଇଛି। ଏହାର ପ୍ରାକ୍‌ ନୈଦାନିକ ପରୀକ୍ଷଣରେ ଟିକା ନେଇଥିବା ୧୬ ଜଣ ମାଙ୍କଡ଼ ଅଭିନବ କରୋନାଭୂତାଣୁର ସଂକ୍ରମଣରୁ ସୁରକ୍ଷିତ ରହିଥିବା ବେଳେ ଏବେ ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣରେ ସାମିଲ ହୋଇଥିବା ୩୦ ହଜାର ସ୍ବେଚ୍ଛାସେବୀଙ୍କଠାରେ ଅନୁରୂପ ସଫଳତା ଦୋହରାଇବ ବୋଲି ଆଶା କରାଯାଉଛି। ସଂପୃକ୍ତ ମାଙ୍କଡ଼ମାନଙ୍କୁ ଦୁଇଟି ଭିନ୍ନ ମାତ୍ରାରେ ପ୍ରୟୋଗ କରାଯାଇଥିବା ଉକ୍ତ ଟିକା ସେମାନଙ୍କୁ କରୋନାଭୂତାଣୁ କବଳରୁ ସୁରକ୍ଷିତ ରଖିପାରିଥିବା ଜଣାଯାଇଛି।

Advertisment

ଏପରିକି ଅଭିନବ କରୋନାଭୂତାଣୁର ସାନ୍ଦ୍ର ଅନାବରଣ ସତ୍ତ୍ବେ ଏହି ମାଙ୍କଡ଼ମାନେ କୋଭିଡ୍‌ ଆହରଣର କୌଣସି ବର୍ଦ୍ଧିତ ଲକ୍ଷଣ ଦେଖାଇନଥିଲେ, ଯାହା କି କୌଣସି ଟିକାର ଉତ୍ତମ ଗୁଣ ବୋଲି କୁହାଯାଇଛି। ତେବେ ପ୍ରାକ୍‌ ନୈଦାନିକ ପରୀକ୍ଷଣର ଏଭଳି ଆଶାନୁରୂପ ଫଳାଫଳ ସତ୍ତ୍ବେ ଏବେ ସମସ୍ତଙ୍କ ନଜର ଏହି ୩୦ ହଜାର ସ୍ବେଚ୍ଛାସେବୀଙ୍କ ସ୍ବାସ୍ଥ୍ୟ ଉପରେ। ଏହି ପର୍ଯ୍ୟାୟରେ ଟିକାର ନିରାପତ୍ତା, ଫଳପ୍ରଦତା ଓ ଆବଶ୍ୟକ ରୋଗପ୍ରତିରୋଧ ପ୍ରତିକ୍ରିୟା ପରଖିବାକୁ ଥିବା ବେଳେ ପରୀକ୍ଷଣର ତଥ୍ୟ ଆଗାମୀ ନଭେମ୍ବର କି ଡିସେମ୍ବର ବେଳକୁ ହସ୍ତଗତ ହେବ ବୋଲି ଜଣାଯାଇଛି। ବିଶ୍ବରେ ମଡର୍ଣ୍ଣା ହିଁ ପ୍ରଥମେ ମାତ୍ର ୪୨ ଦିନରେ ଏହାର ଏମ୍‌ଆର୍‌ଏନ୍‌ଏ-୧୨୭୩ ନାମକ ଟିକା ପ୍ରସ୍ତୁତ କରି ନୈଦାନିକ ପରୀକ୍ଷଣ ପାଇଁ ପଠାଇଥିଲା। ଏହାର ଚୂଡ଼ାନ୍ତ ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସର ୩୦ ହଜାର ସ୍ବେଚ୍ଛାସେବୀ ସାମିଲ ହେବାକୁ ଧାର୍ଯ୍ୟଲକ୍ଷ୍ୟ ରଖାଯାଇଛି।