ହସ୍ପିଟାଲ୍‌ର ୧୬ ନର୍ସ ଏକସଙ୍ଗେ ଗର୍ଭବତୀ

ଓ୍ଵାସିଂଟନ୍‌ : ଆମେରିକାର ଆରିଜୋନାସ୍ଥିତ ବ୍ୟାନର୍‌ ଡେଜର୍ଟ ମେଡିକାଲ୍‌ ସେଣ୍ଟରର କର୍ତ୍ତୃପକ୍ଷଙ୍କୁ ଏବେ ଚିନ୍ତା ଘାରିଛି। ହସ୍ପିଟାଲ୍‌ରେ ରୋଗୀସେବା ଯୋଗାଇବା ପାଇଁ ହଠାତ୍‌ ୧୬ ନର୍ସଙ୍କ ଆବଶ୍ୟକତା ପଡ଼ିଛି। କିନ୍ତୁ ଏତେଶୀଘ୍ର ଅଭିଜ୍ଞସଂପନ୍ନ ନର୍ସ କେଉଁଠୁ ଆଣିବେ, ତାହାକୁ ନେଇ ସମସ୍ୟା ଦେଖାଦେଇଛି। ତେବେ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କୁ ହଠାତ୍‌ ୧୬ ନର୍ସଙ୍କ ଆବଶ୍ୟକତା କାହିଁକି ପଡ଼ିଲା, ତାହାର ଏକ କାରଣ ରହିଛି। ଏହି କାରଣ ସଂକ୍ରାନ୍ତରେ ଯେ ବି ଜାଣିବେ ଆଶ୍ଚର୍ଯ୍ୟ ହେବାଟା ନିଶ୍ଚିତ। କାରଣଟି ହେଉଛି ଏହି ହସ୍ପିଟାଲ୍‌ର ୧୬ ଜଣ ନର୍ସ ଏକସଙ୍ଗେ ଗର୍ଭବତୀ ହୋଇଛନ୍ତି। ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ହଇରାଣରେ ପକାଇବାକୁ ନୁହେଁ କି କୁହାକୁହି ହୋଇ ଏମାନେ ଜାଣିଶୁଣି ଗର୍ଭବତୀ ହୋଇନାହାନ୍ତି। ସଂଯୋଗବଶତଃ ଏମାନେ ସମସ୍ତେ ଏକସଙ୍ଗେ ଗର୍ଭବତୀ ହୋଇଛନ୍ତି। ଏହି ନର୍ସମାନଙ୍କ ମଧ୍ୟରୁ କେତେଜଣ ଫେସ୍‌ବୁକ୍‌ ପେଜ୍‌ ତିଆରି କରିବା ପରେ ଘଟଣାଟି ପଦାକୁ ଆସିଥିଲା। ଏହାପରେ ସମସ୍ତେ ପରସ୍ପରକୁ ଭେଟିଥିଲେ ଏବଂ ଫେସ୍‌ବୁକ୍‌ ପେଜ୍‌ରେ ସମସ୍ତେ ଏକାଠି ହୋଇ ଫଟୋ ପୋଷ୍ଟ କରିଛନ୍ତି। ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି। ଏମିତି କି ଫଟୋ ଓ ଭିଡିଓ ମଧ୍ୟ ଭାଇରାଲ୍‌ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର