ମୁମ୍ବାଇ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନାବିସ ଶପଥ ନେବାର ଇତିମଧ୍ୟରେ ଏକମାସ ବିତିବାକୁ ବସିଲାଣି। କିନ୍ତୁ ଏପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇପାରିନାହିଁ। ଖୁବ୍ଶୀଘ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ଏବଂ ଏଥିରେ ସିନ୍ଦେ ଗୋଷ୍ଠୀର ପାଖାପାଖି ୧୫ରୁ ୧୬ ଜଣ ମନ୍ତ୍ରୀ ହେବେ ବୋଲି ଏକ ସୂତ୍ରରୁ ଜଣାଯାଇଛି।
ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ମୋଟ ୪୨ ଜଣ ମନ୍ତ୍ରୀ ହେବାର ବ୍ୟବସ୍ଥା ରହିଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଥିବାରୁ ଆଉ ୪୦ ଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସୁଯୋଗ ରହିଛି। ସିନ୍ଦେଙ୍କ ବିଦ୍ରୋହରେ ଶିବସେନାର ବିଧାୟକଙ୍କ ସହିତ ଠାକ୍ରେ ମନ୍ତ୍ରିମଣ୍ଡଳର ୯ ଜଣ ମନ୍ତ୍ରୀ ମଧ୍ୟ ଥିଲେ। ସେହି ୯ ମନ୍ତ୍ରୀଙ୍କ ମଧ୍ୟରୁ ୫ ଜଣ କ୍ୟାବିନେଟ୍ ଓ ୪ ଜଣ ରାଷ୍ଟ୍ରମନ୍ତ୍ରୀ ରହିଥିଲେ। ତେଣୁ ଏହି ୯ ଜଣ ବିଦ୍ରୋହୀ ମନ୍ତ୍ରୀଙ୍କୁ ପୁଣି ଥରେ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯିବ।
ବିଜେପି-ଶିବସେନାର ସିନ୍ଦେ ଗୋଷ୍ଠୀ ମଧ୍ୟରେ ୬୫:୩୫ ଅନୁପାତରେ ମନ୍ତ୍ରୀ ନିଯୁକ୍ତ ହେବେ। ଅର୍ଥାତ୍ ବିଜେପିର ୬୫ ପ୍ରତିଶତ ଏବଂ ସିନ୍ଦେ ଗୋଷ୍ଠୀର ୩୫ ପ୍ରତିଶତ ମନ୍ତ୍ରୀ ରହିବେ। ତେଣୁ ବିଜେପିକୁ ୨୪ରୁ ୨୫ଟି ମନ୍ତ୍ରୀ ପଦ ଏବଂ ସିନ୍ଦେ ଗୋଷ୍ଠୀକୁ ୧୫ରୁ ୧୬ଟି ମନ୍ତ୍ରୀ ପଦ ଦିଆଯିବ। ଏଥିସହିତ କିଛି ଛୋଟ ଦଳ ଏବଂ ସ୍ବାଧୀନ ବିଧାୟକମାନେ ମଧ୍ୟ ସରକାରଙ୍କୁ ସମର୍ଥନ ଦେଇଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯିବାର ସମ୍ଭାବନା ରହିଛି। ବିଜେପି ନିକଟରେ ଯଦିଓ ମୁଖ୍ୟମନ୍ତ୍ରୀ ପଦ ନାହିଁ ତଥାପି ଏହି ଦଳରୁ ବାଚସ୍ପତି ଓ ଉପମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତି। ତେଣୁ ବିଜେପିକୁ ଅଧିକ ମନ୍ତ୍ରୀ ପଦ ମିଳିବା ସହିତ ଗୁରୁତ୍ବପୂର୍ଣ୍ଣ ବିଭାଗ ମଧ୍ୟ ମିଳିପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/sindhe-3.jpg)