୧୬ ଷ୍ଟାର ପ୍ରଚାରକ, ତଥାପି ଫେଲ୍

୧୫ ବର୍ଷ ପ୍ରତୀକ୍ଷାର ଅନ୍ତ : ମୋଦୀ-ଶାହ ରଣନୀତି ବିଫଳ: ଅଖିଳେଶ

ରାଜସ୍ଥାନରେ ପୁଣି କ୍ଷମତାକୁ ଫେରିବ ବୋଲି ଶାସକ ବିଜେପି ଅନେକ ସ୍ବପ୍ନ ଦେଖିଥିଲା ଏବଂ ଏଥିପାଇଁ ସବୁ ବଳ ଲଗାଇ ଦେଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ମୁଖ୍ୟ ଅମିତ୍‌ ଶାହ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ପ୍ରାୟ ୧୬ ଜଣ ଷ୍ଟାର୍‌ ପ୍ରଚାରକ ଏଠାରେ ୧୫ ଦିନ ଧରି ପ୍ରଚାର ଅଭିଯାନ ଜାରି ରଖିଥିଲେ। ରାଜସ୍ଥାନରେ ବିଜେପି ଏଥର ଇତିହାସ ରଚିବ ବୋଲି ଅମିତ୍‌ ଶାହ ମଧ୍ୟ ଦ‌ୃଢ଼ୋକ୍ତି ପ୍ରକାଶ କରିଥିଲେ। କିନ୍ତୁ ରାଜ୍ୟର ଭୋଟର୍‌ମାନେ ତାଙ୍କୁ ଭୁଲ ପ୍ରମାଣିତ କରିଛନ୍ତି। କଂଗ୍ରେସ ଏଠାରେ ବିଜୟ ହାସଲ କରିନେଇଛି। ୧୯୯ ଆସନ ମଧ୍ୟରୁ କଂଗ୍ରେସ ଏକାକୀ ୧୦୧ ଆସନରେ ଜିତି ସ୍ପଷ୍ଟ ବହୁମତ ହାସଲ କରିଛି। ଅନ୍ୟପକ୍ଷରେ ଶାସକ ବିଜେପି ୭୩ ଆସନ ପାଇ ପରାଜିତ ହୋଇଛି। ତେବେ ଏଠାରେ ଗୋଟିଏ କଥା କୁହାଯାଇ ପାରିବ ଯେ ରାଜ୍ୟରେ ଭୋଟର୍‌ମାନଙ୍କର ହିଁ ବିଜୟ ହୋଇଛି। ୧୯୯୩ ମସିହା ପରଠାରୁ ରାଜସ୍ଥାନରେ କୌଣସି ଗୋଟିଏ ଦଳ ଲଗାତର ବିଧାନସଭା ନିର୍ବାଚନ ଜିତିପାରି ନାହିଁ। ପ୍ରତି ୫ ବର୍ଷରେ ଏଠାରେ ସରକାର ବଦଳିବା ଧାରା ଅବ୍ୟାହତ ରହିଛି। ୧୯୯୩ରେ ରାଜ୍ୟରେ ବିଜେପି ସରକାର ଥିଲା ବେଳେ ୧୯୯୮ରେ କଂଗ୍ରେସ, ୨୦୦୩ରେ ବିଜେପି, ୨୦୦୮ରେ ପୁଣି କଂଗ୍ରେସ ଏବଂ ୨୦୧୩ରେ ପୁନଃ ବିଜେପି ସରକାର କ୍ଷମତାକୁ ଆସିଥିଲା। କିନ୍ତୁ ଏଥର ଏହି ଧାରାରେ ବ୍ରେକ୍‌ ଲଗାଇବ ବୋଲି ବିଜେପି ଯେଉଁ ସ୍ବପ୍ନ ଦେଖିଥିଲା, ରାଜ୍ୟ ଭୋଟର୍‌ ତାହା ଧୂଳିସାତ୍‌ କରିଦେଇଛନ୍ତି। ୫ ବର୍ଷ ପରେ ପୁଣି ସେମାନେ ସରକାର ବଦଳାଇ ଦେଇଛନ୍ତି। ଆସନ୍ତା ୫ ବର୍ଷ ରାଜସ୍ଥାନରେ କଂଗ୍ରେସ ସରକାର ଚାଲିବ ବୋଲି ସ୍ପଷ୍ଟ ହୋଇଯାଇଛି। ରାଜସ୍ଥାନରେ କଂଗ୍ରେସ ନେତା ସଚିନ୍‌ ପାଇଲଟ୍‌ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ରହିଛନ୍ତି।

ଦୀର୍ଘ ୧୫ ବର୍ଷର ପ୍ରତୀକ୍ଷା ପରେ ଛତିଶଗଡ଼ରେ କଂଗ୍ରେସ ନିଜ ବିଜୟ ଧ୍ବଜା ଉଡ଼ାଇଛି। ଲଗାତର ୩ ଥର ବିଧାନସଭା ନିର୍ବାଚନ ଜିତି କ୍ଷମତାରେ ରହିଆସିଥିବା ବିଜେପି ସରକାରକୁ ଏଥର ବଡ଼ ଝଟ୍‌କା ଲାଗିଛି। ରାଜ୍ୟ ବିଧାନସଭାର ମୋଟ ୯୦ ଆସନ ମଧ୍ୟରୁ କଂଗ୍ରେସ ଏକାକୀ ୬୮ରେ ଜିତି ବହୁମତ ହାସଲ କରିନେଇଛି। ଏଥିପାଇଁ ଅନ୍ୟ କୌଣସି ଛୋଟ ଦଳର ସହାୟତା ନେବାକୁ ଆବଶ୍ୟକ ପଡ଼ିବ ନାହିଁ। ସରକାର ଗଠନ ପାଇଁ ୪୬ ଅଙ୍କ ଦରକାର ପଡୁଥିବା ବେଳେ କଂଗ୍ରେସ ଏକାକୀ ଏହି ଅଙ୍କ ପାର୍‌ କରିନେଇଛି। ଅନ୍ୟପକ୍ଷରେ ଶାସକ ବିଜେପି ୧୫ ଆସନ ପାଇ ପରାଜୟବରଣ କରିଛି। ରାଜ୍ୟରେ ୨୦୦୩ ପରେ କଂଗ୍ରେସ ଗାଦିଚ୍ୟୁତ ହୋଇଥିଲା ଏବଂ ବିଜେପି କ୍ଷମତାକୁ ଆସିଥିଲା। ୧୫ ବର୍ଷ ବ୍ୟବଧାନ ପରେ ପୁଣି କଂଗ୍ରେସ ଏଠାରେ ସରକାର ଗଢ଼ିବାକୁ ଯାଉଛି। ରାଜ୍ୟରେ ବିଜେପିର ରମଣ ସିଂହ ସରକାର ଭାଙ୍ଗି ଚୂର୍‌ମାର ହୋଇଯାଇଛି। ଆଜି ଛତିଶଗଡ଼ ସମେତ ୫ଟି ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଚାଲିଥିବା ବେଳେ ଛତିଶଗଡ଼ରେ ବିଜେପିର ସ୍ଥିତି ଦେଖି ଦେଶବାସୀ ଚକିତ ହୋଇଯାଇଥିଲେ। ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟରେ କୌଣସି ଦଳକୁ ବହୁମତ ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା। କିନ୍ତୁ ଶାସକ ବିଜେପିର ଏଭଳି ଦଶା ହେବ ବୋଲି କେହି କେବେ କଳ୍ପନା କରିନଥିଲେ। ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ଏଠାରେ ବାଜି ମାରିନେଇଛି। ବର୍ତ୍ତମାନ ଏଠାରେ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ, ତାହାକୁ ନେଇ ଆଲୋ‌ଚନା ଆରମ୍ଭ ହୋଇଯାଇଛି। ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ରମଣ ସିଂହ ଦଳର ମଙ୍ଗ ଧରିଥିଲେ।

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ସିଂହ ଯାଦବ ବିଧାନସଭା ନିର୍ବାଚନ ପରିଣାମ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ କଟାକ୍ଷ କରିଛନ୍ତି। ବିଜେପି ସରକାରଙ୍କ ନୀତିକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ମୋଦୀ-ଶାହ ଯୋଡ଼ିଙ୍କ ରଣନୀତି ବିଫଳ ହୋଇଛି ବୋଲି ଅଖିଳେଶ କହିଛନ୍ତି।

 

ସମ୍ବନ୍ଧିତ ଖବର