ନୂଆଦିଲ୍ଲୀ: ୧୬ ବର୍ଷ ବୟସ୍କା  ମୁସଲିମ ଝିଅ ବିବାହ କରିପାରିବେ। ଏଭଳି ବଡ଼ ରାୟ ସୁପ୍ରିମକୋର୍ଟ ଦେଇଛନ୍ତି। ଏହା ସହିତ, ଶୀର୍ଷକୋର୍ଟ  ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କର ରାୟରେ ହସ୍ତକ୍ଷେପ କରିବାକୁ ମଧ୍ୟ ମନା କରିଦେଇଛନ୍ତି। ୨୦୨୨ ମସିହାରେ, ପଞ୍ଜାବ-ହରିୟାଣା ହାଇକୋର୍ଟ ୨୧ ବର୍ଷୀୟ ମୁସଲିମ ଯୁବକ ଏବଂ ୧୬ ବର୍ଷୀୟ ମୁସଲିମ ଝିଅଙ୍କ ପ୍ରେମ ବିବାହକୁ ମୁସଲିମ ବ୍ୟକ୍ତିଗତ ଆଇନର ବ୍ୟବସ୍ଥା ଅନୁଯାୟୀ ବୈଧ ବୋଲି ବିବେଚନା କରିଥିଲେ। ହାଇକୋର୍ଟ ବିବାହିତ ଦମ୍ପତିଙ୍କୁ ସୁରକ୍ଷା ଯୋଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Advertisment


ସୁପ୍ରିମକୋର୍ଟରେ ଦାଖଲ ଆବେଦନର ଶୁଣାଣି ସମୟରେ ଜଷ୍ଟିସ୍ ବିଭି ନାଗାରତ୍ନାଙ୍କ ଖଣ୍ଡପୀଠ କହିଥିଲେ ଯେ, ଏହି ମାମଲା ସହିତ ଏନସିପିସିଆରର ସମ୍ପର୍କ କ’ଣ? ଯଦି ଏହି ମାମଲାରେ କମିସନ ଏକ ପକ୍ଷ ନଥିଲେ, ତେବେ ଆବେଦନ କରିବାର ଯଥାର୍ଥତା କ’ଣ? ପୁଅ ଏବଂ ଝିଅର ବିବାହ ଉଭୟଙ୍କ ସମ୍ମତିରେ ହୋଇଥିଲା। ରାୟ ଦେବା ସମୟରେ ଜଷ୍ଟିସ୍ ନାଗାରତ୍ନା ଟିପ୍ପଣୀ ଦେଇଥିଲେ ଯେ, ଏନସିପିସିଆରର ହାଇକୋର୍ଟଙ୍କର ରାୟକୁ ଚ୍ୟାଲେଞ୍ଜ କରିବାର କୌଣସି ଅଧିକାର ନାହିଁ।  ଏନସିପିସିଆର ଏକ ସଂଗଠନ। ଯାହାର କାମ ପିଲାମାନଙ୍କ ଅଧିକାରକୁ ସୁରକ୍ଷା ଦେବା। କିପରି କହିପାରିବା ଯେ, ଦୁଇଟି ପିଲାଙ୍କୁ ସୁରକ୍ଷା ଦିଆଯିବା ଉଚିତ୍ ନୁହେଁ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ।


ଜାତୀୟ ମାନବାଧିକାର କମିସନର ସଦସ୍ୟ ପ୍ରିୟଙ୍କ କାନୁନଗୋ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ହାଇକୋର୍ଟ ଜଣେ ନାବାଳିକା ମୁସଲିମ ଝିଅର ବିବାହକୁ ଯଥାର୍ଥ ଦର୍ଶାଇଛନ୍ତି। ସୁପ୍ରିମକୋର୍ଟରେ ଯୁକ୍ତି ଦିଆଯାଇଥିଲା ଯେ, ଯଦି ଗୋଟିଏ ହାଇକୋର୍ଟ ଏପରି ରାୟ ଦେଇଛନ୍ତି, ତେବେ ଅନ୍ୟ ହାଇକୋର୍ଟ ମଧ୍ୟ ଏପରି କରିପାରିବେ। ଯଦି ଏହା ହୁଏ, ତେବେ ଝିଅମାନଙ୍କ ସୁରକ୍ଷା ବିପଦରେ ପଡ଼ିପାରେ। ଦୁଷ୍କର୍ମ ମାମଲା ବନ୍ଦ ହେବ ନାହିଁ।

ଆମେ ଜାତୀୟ ସ୍ୱାର୍ଥ ପାଇଁ ସୁପ୍ରିମକୋର୍ଟ ଯାଇଥିଲୁ, କିନ୍ତୁ ବରିଷ୍ଠ ଆଇନଜୀବୀଙ୍କ ଅନୁପସ୍ଥିତିରେ, ଏକପାଖିଆ ଶୁଣାଣି କରାଯାଇଥିଲା ଏବଂ ରାୟ ଦିଆଯାଇଥିଲା। ଏପରି ପରିସ୍ଥିତିରେ, ଭବିଷ୍ୟତରେ ପିଲାମାନଙ୍କୁ ସୁରକ୍ଷା ଦେବା କଷ୍ଟକର ହେବ, କାରଣ ଭାରତୀୟ ସଂସଦ ଦ୍ୱାରା ପ୍ରଣୀତ ଆଇନରେ ଯୌନ ସମ୍ପର୍କ ରଖିବାର ବୟସ ୧୮ ବର୍ଷ ହେବା ଉଚିତ୍ ବୋଲି ବ୍ୟବସ୍ଥା ଅଛି। ବର୍ତ୍ତମାନ ସେହି ବୟସକୁ ୧୬ ବର୍ଷକୁ ହ୍ରାସ କରିବା ଦ୍ୱାରା ଯୁବବର୍ଗଙ୍କୁ ଯୌନ ସମ୍ପର୍କ ରଖିବାର ସ୍ୱାଧୀନତା ଦିଆଯାଉଛି।


ମାମଲାଟି ପଞ୍ଜାବର ପଠାନକୋଟର।  ୨୦୨୨ ମସିହାରେ, ପଞ୍ଜାବର ପଠାଣକୋଟରେ, ଜଣେ ୧୬ ବର୍ଷ ବୟସ୍କା ମୁସଲିମ ଝିଅ ତାଙ୍କ ୨୧ ବର୍ଷୀୟ ପ୍ରେମିକଙ୍କୁ ବିବାହ କରିଥିଲେ। ପରିବାର ଲୋକ ଆପତ୍ତି କରିବାରୁ, ଝିଅ ଜଣକ ତାଙ୍କ ସ୍ୱାମୀଙ୍କ ସହିତ ରହିବାକୁ ଇଚ୍ଛା ପ୍ରକାଶ କରି ହାଇକୋର୍ଟରେ ଏକ ସୁରକ୍ଷା ଆବେଦନ ଦାଖଲ କରିଥିଲେ।

ମାମଲାର ଶୁଣାଣି କରି, ହାଇକୋର୍ଟ ଟିପ୍ପଣୀ ଦେଇଥିଲେ ଯେ, ମୁସଲିମ ପର୍ସନାଲ ‘ଲ’ ଅନୁଯାୟୀ, ୧୬ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ଝିଅ ନିଜ ଇଚ୍ଛାରେ ବିବାହ କରିପାରିବେ। ଇସଲାମିକ ଆଇନ ମଧ୍ୟ କୁହେ ଯେ, ଯୌବନ ପ୍ରାପ୍ତି ପରେ, ଜଣେ ୧୫ ବର୍ଷୀୟ ମୁସଲିମ ଝିଅ ବିବାହ କରିବାକୁ ସକ୍ଷମ ବୋଲି ବିବେଚନା କରାଯାଇପାରିବ। ତେଣୁ, ପଠାଣକୋଟର ଏସଏସପି ଝିଅ ଏବଂ ତାଙ୍କ ସ୍ୱାମୀଙ୍କୁ ସୁରକ୍ଷା ଯୋଗାଇବା ଉଚିତ୍।


ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ପଞ୍ଜାବ-ହରିୟାଣା ହାଇକୋର୍ଟର ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ହାଇକୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ଆବେଦନରେ ଯୁକ୍ତି ଦିଆଯାଇଥିଲା ଯେ, ୧୬ ବର୍ଷ ବୟସ୍କ ମୁସଲିମ ଝିଅର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬ର ଉଲ୍ଲଂଘନ। ଏହି ଆଇନ ଅନୁଯାୟୀ, ଭାରତରେ ଝିଅମାନଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ ୧୮ବର୍ଷ ଧାର୍ଯ୍ୟ କରାଯାଇଛି। ୨୦୨୩ ମସିହାରେ ମାମଲାର ଶୁଣାଣି ସମୟରେ, ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଥିଲେ ଯେ, ହାଇକୋର୍ଟଙ୍କର ରାୟକୁ ଉଦାହରଣ ଭାବରେ ବିବେଚନା କରାଯିବା ଉଚିତ୍ ନୁହେଁ। ଏବେ ୨୦୨୫ ମସିହାରେ, ସୁପ୍ରିମକୋର୍ଟ ଝିଅର ବିବାହକୁ ବୈଧ ଘୋଷଣା କରିଛନ୍ତି।

Supreme Court | high court