ମୋ ପୁଅ ହେଲ୍‌ମେଟ୍‌ ପିନ୍ଧିଥିଲେ ଆଜି ଏ ଅବସ୍ଥା ହୋଇ ନଥାନ୍ତା ! ୫ ମାସ ହେଲା କୋମାରେ ଥିବା ପୁଅର ମା’ଙ୍କ କୋହାଭରା କଥା

ଜଳନ୍ଧର୍‌ : “ମୋ ପୁଅ ହେଲ୍‌ମେଟ୍‌ ପିନ୍ଧିଥିଲେ ଆଜି ସେ ଏପରି ଅବସ୍ଥାରେ ନଥାନ୍ତା । ୧୬ଲକ୍ଷ ଟଙ୍କା ଏବଂ ଘର ବିକି ସାରିବା ପରେ ବି ସେ ଆଜି ଅଚଳ । ଏବେ ଆମେ କରଜ କରିବା ଅବସ୍ଥାକୁ ଆସି ଯାଇଛୁ । ୫ ମାସ ହେଲା ଆମ ଘରେ କେହି ଶାନ୍ତିରେ ଶୋଇ ନାହାନ୍ତି।” ଏପରି କହି ଜୋରରେ କାନ୍ଦି ପକାଇଥିଲେ ୧୬ ବର୍ଷିୟ ମୟଙ୍କଙ୍କ ମା’ ।

୫ମାସ ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଥିବା ମୟଙ୍କ ଏବେ କୋମାରେ । କେବେ ସେ ଭଲ ହୋଇ ଘରକୁ ଫେରିବେ ତାହା ଡ଼ାକ୍ତର ସ୍ପଷ୍ଟ କରି କହି ପାରୁନଥିବା ବେଳେ ପୁଅର ଚିକିତ୍ସା ପାଇଁ ସବୁ ବିକି ସାରିଲେଣି ପରିବାର ଲୋକେ । ମୟଙ୍କ ହେଲମେଟ୍‌ ନ ପିନ୍ଧିଥିବାରୁ ତାଙ୍କର ଏଭଳି ଅବସ୍ଥା ହୋଇଛି ବୋଲି ଡ଼ାକ୍ତର କହିବା ପରେ ମୟଙ୍କଙ୍କ ମା’ ଏବେ ନିଜକୁ ଭୁଲ୍‌ ଦେଇ ବସିଛନ୍ତି । ଯଦି ମୁଁ ମୋ ପୁଅକୁ ହେଲ୍‌ମେଟ୍‌ ପିନ୍ଧିବା ପାଇଁ କହିଥାନ୍ତି ତେବେ ଆଜି ହୁଏତ ଏପରି ହୋଇ ନଥାନ୍ତା । ଅନ୍ୟ ପକ୍ଷରେ ମୟଙ୍କଙ୍କ ୧୦ବର୍ଷର ଭଉଣୀ ନିଜ ଭାଇକୁ ଠିକ୍‌ କରିବା ପାଇଁ ପ୍ରତିଦିନ ତାଙ୍କ ସାମ୍ନାରେ ଭଜନ ଗାନ କରୁଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ସେଣ୍ଟ ଜୋସେଫ ସ୍କୁଲ୍‌ରେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ମୟଙ୍କ ଡ଼ିସେମ୍ବର ୨୫,୨୦୧୭ରେ ସଂନ୍ଧ୍ୟା ୬ଟାରେ ଟିଉସନ୍‌ ବାହାରିଥିଲେ । ତାଙ୍କ ସହ ଯାଇଥିଲେ ତାଙ୍କର ଜଣେ ସାଙ୍ଗ ସୁରଜ । ବାହାରିବାର ଘଣ୍ଟାକ ପରେ ମୟଙ୍କଙ୍କ ଦୁର୍ଘଟଣା ହୋଇ ଯାଇଛି ବୋଲି ତାଙ୍କ ଘରକୁ ଖବର ଆସିଥିଲା । ଦୁର୍ଘଟଣାରେ ମୟଙ୍କଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ସର୍ଜରୀ କରାଯାଇଥିଲା । କିନ୍ତୁ ସର୍ଜରୀ ପରେ ସେ କୋମାକୁ ଚାଲି ଯାଇଥିଲେ । ମୟଙ୍କଙ୍କ ବାପା ମାସକୁ ୧୫ ହଜାର ଟଙ୍କା ଦରମା ପାଉଥିବା ବେଳେ ମୟଙ୍କଙ୍କ ଚିକିତ୍ସାରେ ଏ ପର୍ଯ୍ୟନ୍ତ ପ୍ରାୟ ୧୬ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଗଲାଣି । ଯାହା ପାଇଁ ମୟଙ୍କଙ୍କ ପରିବାର ଲୋକଙ୍କୁ ନିଜ ଘର ମଧ୍ୟ ବିକ୍ରି କରିବାକୁ ପଡ଼ିଛି ।

ସମ୍ବନ୍ଧିତ ଖବର