ନୂଆଦିଲ୍ଲୀ: ଯୁଦ୍ଧ ଭୂମିରୁ ଫେରୁଛି ଜୀବନ । ଅପରେସନ ସିନ୍ଧୁ ଜରିଆରେ ସ୍ଵଦେଶ ଫେରୁଛନ୍ତି ଭାରତୀୟ । ଇସ୍ରାଏଲର ଯୁଦ୍ଧ ପରିସ୍ଥିତି ଭିତରେ ଭୟଭୀତ ଥିବା ଭାରତୀୟଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଆରମ୍ଭ ହୋଇଥିବା ଅପରେସନ ସିନ୍ଧୁ ଇସ୍ରାଏଲରେ ଥିବା ଭାରତୀୟଙ୍କ ପାଇଁ ଦେବଦୂତ ସାଜିଛି ଆଉ ସେମାନଙ୍କୁ ଭାରତ ଫରାଇ ଆଣୁଛି ।

Advertisment

ମିଳିଥିବା ସୂଚନା ଅନୁସାରେ ୧୬୧ ଜଣ ଯାତ୍ରୀଙ୍କୁ ନେଇ ଆଜି ଭାରତ ଆସୁଛି ଏକ ସ୍ଵତନ୍ତ୍ର ବିମାନ । ରାତି ୧୧ଟା ୩୦ରେ ଏହି ୧୬୧ ଜଣ ଯାତ୍ରୀ ଦିଲ୍ଲୀରେ ପହଞ୍ଚିବେ ଆଉ ନିଜ ମାଟିରେ ପାଦ ଦେବେ । ଇରାନ-ଇସ୍ରାଏଲ ଯୁଦ୍ଧ ପରିସ୍ଥିତି ଭୟଙ୍କର ହେଉଥିବା ବେଳେ ଏହି ୧୬୧ ଜଣଙ୍କୁ ଇସ୍ରାଏଲରୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସଡକ ପଥରେ ଜୋର୍ଡାନର ଅମ୍ମାନକୁ ସ୍ଥାନାନ୍ତର କରାଯାଇଥିଲା । ଆଉ ଆଜି ସେମାନଙ୍କୁ ଭାରତ ଫେରାଇ ଅଣାଯାଉଛି ।

ସେପଟେ ପୂର୍ବରୁ ଇରାନରୁ ମଧ୍ୟ ଭାରତୀୟଙ୍କ ଅଣାଯାଇଥିଲା । ତିନି ଦିନ ତଳେ ଇରାନରୁ ଭାରତ ଫେରିଥିଲେ ହଜାରେ ଭାରତୀୟ ନାଗରିକ । ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉଗ୍ର ରୂପ ନେଉଥିବା ବେଳେ ଇରାନରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଇରାନରୁ ୧୦୦୦ ଭାରତୀୟ ଭାରତ ଫେରିଥିଲେ । 

ତେବେ ଇରାନ ଏବଂ ଇସ୍ରାଏଲରେ ଥିବା ଭାରତୀୟଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବାକୁ ଭାରତ ଅପରେସନ ସିନ୍ଧୁ ଆରମ୍ଭ କରିଥିବା ବେଳେ ଏହାର ପ୍ରକ୍ରିୟା ଆରମ୍ଭ ଜାରି ରହିଛି । ଆମେ ଆମ ଦେଶକୁ ଫେରି ଆସି ବହୁତ ଖୁସି । ସେଠାରେ ପରିସ୍ଥିତି ବହୁତ ଖରାପ । କ୍ଷେପଣାସ୍ତ୍ର ମାଡକୁ ଆମେ ପାଖରୁ ଦେଖିଛୁ ବୋଲି ଭାରତ ଫେରିଥିବା ଭାରତୀୟମାନେ ନିଜ ଅନୁଭୂତି ବଖାଣୁଛନ୍ତି ।