ନୂଆଦିଲ୍ଲୀ: ପାଖାପାଖି ୩୦୦ କୋଟି ଟଙ୍କାର ଦୁର୍ନୀତି, ୧୦ ବର୍ଷରେ ୧୬୨ ଥର ବିଦେଶ ଗସ୍ତ ଏବଂ ଏକାଧିକ ବିଦେଶୀ ବ୍ୟାଙ୍କ ଆକାଉଣ୍ଟ ସହ ସମ୍ଭାବ୍ୟ ଲିଙ୍କ: ଗାଜିଆବାଦରେ ନକଲି ଦୂତାବାସ ଚଳାଉଥିବା ଅଭିଯୋଗରେ ଗିରଫ ହର୍ଷବର୍ଦ୍ଧନ ଜୈନଙ୍କ ବିରୋଧରେ ହୋଇଥିବା ତଦନ୍ତରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଗତ ସପ୍ତାହରେ ଗାଜିଆବାଦର ଦୁଇ ମହଲା ଭଡ଼ାଘରୁ ଜୈନଙ୍କୁ ଗିରଫ କରାଯାଇଥିଲା। ଉତ୍ତରପ୍ରଦେଶ ସ୍ପେସାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)ର ତଦନ୍ତରୁ ଜଣାପଡିଛି ଯେ ଜୈନ ଚାକିରି ରାକେଟ ଚଳାଇବା ସହ ହାଵାଲା ମାର୍ଗ ଦେଇ ଟଙ୍କା କାରବାରରେ ମଧ୍ୟ ସମ୍ପୃକ୍ତ ଥିଲେ। ଗାଜିଆବାଦ ପରିସରରେ ଚଢ଼ଉ ବେଳେ ପୁଲିସ ନକଲି କୂଟନୈତିକ ନମ୍ବର ପ୍ଲେଟ୍, ନକଲି କାଗଜପତ୍ର ସହ ୪ଟି କାର୍ ଓ ଅନେକ ବିଳାସପୂର୍ଣ୍ଣ ଘଣ୍ଟା ଜବତ କରିଛି। ପୁଲିସ ଆସନ୍ତାକାଲି ଜୈନଙ୍କୁ କୋର୍ଟଚାଲାଣ କରିବ। ଜୈନ ପାଖାପାଖି ୩୦୦ କୋଟି ଟଙ୍କାର ଦୁର୍ନୀତିରେ ସମ୍ପୃକ୍ତ ବୋଲି ପୁଲିସ କହିଛି।

Advertisment

ନକଲି ଦୂତାବାସ: ଗାଜିଆବାଦର ଦୁଇ ମହଲା କୋଠା ବାହାରେ ଏକ ନାମ ଫଳକରେ ଲେଖାଥିଲା, ‘ଗ୍ରାଣ୍ଡ ଡଚି ଅଫ୍ ୱେଷ୍ଟାର୍କଟିକା’ ଓ ‘ଏଚ୍ଇ ଏଚ୍‌ଭି ଜୈନ ସମ୍ମାନିତ କନ୍‌ସଲ୍’। ଏହି ପରିସରରେ ଭାରତ ଓ ୱେଷ୍ଟାର୍କଟିକାର ପତାକା ଥିଲା, ଯାହା ଆଣ୍ଟାର୍କଟିକାର ଏକ ମାଇକ୍ରୋନେସନ୍ ଯାହାକୁ ବିଶ୍ୱର କୌଣସି ସାର୍ବଭୌମ ରାଷ୍ଟ୍ର ସ୍ୱୀକୃତି ଦେଇ ନାହାନ୍ତି। ଅନୁସନ୍ଧାନକାରୀଙ୍କ କହିବା ଅନୁସାରେ ଜୈନ ଏହାକୁ ନେଟୱର୍କିଂ ପାଇଁ ବ୍ୟବହାର କରୁଥିଲେ ଏବଂ ପରେ ଲୋକଙ୍କୁ ବିଦେଶରେ ଚାକିରି ପାଇଁ ପ୍ରଲୋଭିତ କରୁଥିଲେ। ଏହି ନକଲି ଦୂତାବାସ ୨୦୧୭ରୁ ଚାଲୁଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମକୁ ବଜାୟ ରଖିବା ପାଇଁ ଜୈନ ଦୂତାବାସ ବାହାରେ ଭଣ୍ଡାରା (ସାମୂହିକ ଭୋଜି) ସମେତ  ବିଭିନ୍ନ ‘ଚାରିଟି ଇଭେଣ୍ଟ’ ଆୟୋଜନ କରୁଥିଲେ। ପ୍ରାୟ ୮ ବର୍ଷ ହେବ ସେ ନକଲି ଦୂତାବାସ ଚଳାଉଥିଲେ ମଧ୍ୟ ୬ ମାସ ତଳେ ସେ ଏହି କୋଠାକୁ ଭଡ଼ାରେ ନେଇଥିଲେ।

ଭଣ୍ଡ ବାବାଙ୍କ ସମ୍ପୃକ୍ତି: ନକଲି ଦୂତାବାସ ଉପରେ ଚଢ଼ାଉ ବେଳେ ବିବାଦୀୟ ବାବା ଚନ୍ଦ୍ରସ୍ୱାମୀ ଓ ସାଉଦି ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ଅଦନାନ ଖାସୋଗିଙ୍କ ସହ ଜୈନଙ୍କ ଫଟୋ ପୁଲିସ ପାଇଥିଲା। ସ୍ୱଘୋଷିତ ଧର୍ମଗୁରୁ ଚନ୍ଦ୍ରସ୍ୱାମୀ ୮୦ ଓ ୯୦ ଦଶକରେ ଏତେ ପ୍ରଭାବଶାଳୀ ହୋଇଥିଲେ ଯେ ତାଙ୍କୁ ତିନି ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ଚନ୍ଦ୍ରଶେଖର ଓ ଭିପି ସିଂହଙ୍କ ଆଧ୍ୟାତ୍ମିକ ପରାମର୍ଶଦାତା ଭାବରେ ବିବେଚନା କରାଯାଉଥିଲା। ଆର୍ଥିକ ଅନିୟମିତତା ଅଭିଯୋଗରେ ୧୯୯୬ରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଆଶ୍ରମରେ ଚଢ଼ଉ କରି ଖାସୋଗିଙ୍କ ସହ କାରବାରର ପର୍ଦ୍ଦାଫାସ ହୋଇଥିଲା। ଚନ୍ଦ୍ରସ୍ୱାମୀଙ୍କ ବିରୋଧରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପାଇଁ ପାଣ୍ଠି ଯୋଗାଇଥିବା ଅଭିଯୋଗ ହୋଇଥିଲା।

ବଡ଼ ଧରଣର ଦୁର୍ନୀତି: ୟୁପି ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି ଯେ ଚନ୍ଦ୍ରସ୍ୱାମୀ ହିଁ ଜୈନଙ୍କୁ ଖାସୋଗି ଓ ଠକ ଅହସାନ ଅଲ୍ଲୀ ସୟଦଙ୍କ ସହ ପରିଚିତ କରାଇଥିଲେ। ସୟଦ ଜୈନଙ୍କ ସହ ମିଶି ୨୫ଟି ସେଲ୍ କମ୍ପାନି ଖୋଲି ଟଙ୍କା କାରବାର କରୁଥିବା ଅଭିଯୋଗ ହୋଇଛି। ହାଇଦ୍ରାବାଦରେ ଜନ୍ମିତ ସୟଦ ପରବର୍ତ୍ତୀ ସମୟରେ ତୁର୍କୀର ନାଗରିକ ହୋଇଥିଲେ। ସୟଦ ସ୍ୱିଜରଲାଣ୍ଡ, ୱେଷ୍ଟର୍ଣ୍ଣ ଆଡଭାଇଜରୀ ଗ୍ରୁପ୍‌ରେ ଏକ କମ୍ପାନି ଚଳାଉଥିଲେ, ଯିଏ କି କମ୍ପାନୀଗୁଡିକ ସହିତ ଯୋଗାଯୋଗ କରି କମିସନି ବଦଳରେ ସେମାନଙ୍କୁ ଋଣ ଯୋଗାଇବାରେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି କମ୍ପାନି ୨୫ ନିୟୁତ ପାଉଣ୍ଡ ଅର୍ଥାତ୍ ପାଖାପାଖି ୩୦୦ କୋଟି ଟଙ୍କା  ସଂଗ୍ରହ କରି ସ୍ୱିସ୍ ଅଞ୍ଚଳ ଛାଡ଼ି ପଳାଇଥିବା ଅଭିଯୋଗ ହୋଇଛି। ୨୦୨୨ରେ ଲଣ୍ଡନରେ ଅହସାନ ଅଲ୍ଲୀ ସୟଦଙ୍କୁ ଗିରଫ କରାଯାଇଥିଲା। ଏହି ବଡ଼ ଧରଣର ଦୁର୍ନୀତିରେ ଜୈନଙ୍କ ସମ୍ପୃକ୍ତି ରହିଛି କି ନାହିଁ ସେ ନେଇ ପୁଲିସ ତଦନ୍ତ ଚଳାଇଛି।  

ଜୈନଙ୍କଠାରୁ ନିଜକୁ ଦୂରେଇଲା ୱେଷ୍ଟାର୍କଟିକା: ଜୈନଙ୍କୁ ଗିରଫ କରାଯିବା ପରେ ୱେଷ୍ଟାର୍କଟିକା ତାଙ୍କଠାରୁ ନିଜକୁ ଦୂରେଇ ନେଇଛି। ୱେଷ୍ଟାର୍କଟିକା କହିଛି, ୨୦୧୬ରେ   ଜୈନ ୱେଷ୍ଟାର୍କିକାକୁ ବହୁଟଙ୍କା ଦାନ କରିଥିଲେ। ପରବର୍ତ୍ତୀ ସମୟରେ ଆମର ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀଙ୍କ ଦଳରେ ଯୋଗଦେବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା ଯେଉଁମାନେ ନିଜ ଦେଶରେ ଆମର ପରିବେଶ ଓ ଦାତବ୍ୟ ଅଭିଯାନକୁ ଆଗେଇ ନେଇଥିଲେ। ତାଙ୍କର ଅଫିସିଆଲ ଟାଇଟଲ ଥିଲା ‘ଅନରାରୀ କନସଲ ଟୁ ଇଣ୍ଡିଆ’। ତାଙ୍କୁ କେବେ ବି ‘ରାଷ୍ଟ୍ରଦୂତ’ ପଦ କିମ୍ବା ଅଧିକାର ଦିଆଯାଇ ନ ଥିଲା ବୋଲି ୱେଷ୍ଟାର୍କଟିକା ଏକ ବିବୃତିରେ କହିଛି। ୱେଷ୍ଟାର୍କଟିକା ନିଜେ କୂଟନୈତିକ ନମ୍ବର ପ୍ଲେଟ୍ କିମ୍ବା ପାସପୋର୍ଟ ବ୍ୟବହାର କରେ ନାହିଁ ଏବଂ ଆମେ ଆମ ପ୍ରତିନିଧିମାନଙ୍କୁ ଏହା କରିବାକୁ ଅନୁମତି ଦେଇନାହୁଁ। ନିଜ ଘରକୁ ‘ଦୂତାବାସ’ କହି  ଜୈନ ୱେଷ୍ଟାର୍କଟିକାର ପ୍ରୋଟୋକଲକୁ ଉଲ୍ଲଂଘନ କରିଛନ୍ତି। ଏଣୁ ଜୈନଙ୍କୁ ଆମ ସଂଗଠନର ପ୍ରତିନିଧି ଭାବରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ କରାଗଲା। ଆମେ ଭାରତର ଆଇନ କର୍ତ୍ତୃପକ୍ଷଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବୁ ବୋଲି ୱେଷ୍ଟାର୍କଟିକା କହିଛି।