ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ସକାଳେ ଦିଲ୍ଲୀରେ ସୁପ୍ରିମ କୋର୍ଟରେ ଆଇନଗତ ଲଢ଼େଇ ଚାଲିଥିଲା। ଏହା ସରିବା ପରେ ସଂଧ୍ୟାରେ ଶିବସେନା-ଏନସିପି-କଂଗ୍ରେସ ବିଧାୟକମାନେ ଏକ ହୋଟେଲରେ ଏକତ୍ରିତ ହୋଇ ଶକ୍ତି ପ୍ରଦର୍ଶନ କରିଛନ୍ତି।
ଗ୍ରାଣ୍ଡ ହୟାତ୍ ହୋଟେଲରେ ସଂଧ୍ୟା ପ୍ରାୟ ୭ଟାରେ ଏକାଠି ହୋଇଛନ୍ତି। ବୈଠକରେ ୧୬୨ ଜଣ ବିଧାୟକ ଉପସ୍ଥିତ ଥିବା ନେଇ ହୋଟେଲରେ ବ୍ୟାନର ଲଗାଯାଇଛି। ଏନସିପି ମୁଖ୍ୟ ଶରଦ ପାୱାର, ସୁପ୍ରିୟା ସୁଲେ, ଶିବସେନା ନେତା ଉଦ୍ଧବ ଠାକ୍ରେ, ଆଦିତ୍ୟ ଠାକ୍ରେ, ସଞ୍ଜୟ ରାଉତ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା। ଏହି ନେତାମାନେ ବିଧାୟକମାନଙ୍କ ସହିତ ଆଲୋଚନା କରୁଥିବା ଦେଖାଯାଇଥିଲା। ବିଧାୟକମାନେ ଲଙ୍ଗ ଲିଭ୍ ମହା ବିକାଶ ଅଗଧି ସ୍ଲୋଗାନ୍ ଦେଇଥିଲେ। ଏକ ବସରେ ଶିବସେନା ବିଧାୟକମାନେ ହୋଟେଲକୁ ଆସିଥିଲେ। ସଞ୍ଜୟ ରାଉତ ଏହି ପରିପ୍ରେକ୍ଷୀରେ ଏକ ଟ୍ବିଟ୍ କରି ଆମର ୧୬୨ ଜଣ ବିଧାୟକଙ୍କୁ ଦେଖନ୍ତୁ ବୋଲି କହିଛନ୍ତି।