ମୁମ୍ବାଇ: ମୁମ୍ବାଇର ପୋଵାଇ ଅଞ୍ଚଳରେ ଥିବା ‘ଆର୍ଏ ଷ୍ଟୁଡିଓ’ରେ ଆଜି ଏକ ବଡ଼ଧରଣର ପଣବନ୍ଦୀ କାଣ୍ଡ ଆତଙ୍କ ସୃଷ୍ଟି କରିଛି। ରୋହିତ ଆର୍ଯ୍ୟ ନାମକ ଜଣେ କର୍ମଚାରୀ ୧୭ ଜଣ ଶିଶୁ ଓ ଅନ୍ୟ ଦୁଇ ଦୁଇ ବ୍ୟକ୍ତିଙ୍କୁ ପଣବନ୍ଦୀ ରଖିଥିବା ଜଣାପଡ଼ିବା ପରେ ସହରରେ ହଇଚଇ ସୃଷ୍ଟି ହୋଇଥିଲା। ତେବେ ପୁଲିସର ସାହସିକ ଉଦ୍ଧାର ଅଭିଯାନ ପରେ ସମସ୍ତ ବନ୍ଧକଙ୍କୁ ନିରାପଦରେ ମୁକ୍ତ କରାଯାଇଛି ଏବଂ ପୁଲିସ ଗୁଳିରେ ଅଭିଯୁକ୍ତ ରୋହିତର ମୃତ୍ୟୁ ଘଟିଛି।
ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ପୋଵାଇ ଥାନାକୁ ଏକ ଜରୁରିକାଳୀନ ଫୋନ୍ ଆସିଥିଲା। ଷ୍ଟୁଡିଓ ଭିତରେ ଜଣେ ବ୍ୟକ୍ତି ଶିଶୁମାନଙ୍କୁ ବନ୍ଧକ ରଖିଥିବା ସୂଚନା ମିଳିଥିଲା। ତୁରନ୍ତ ପୁଲିସ୍ର ଏକାଧିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଷ୍ଟୁଡିଓର କାଚ ଝରକା ଦେଇ ଆତଙ୍କିତ ଶିଶୁମାନେ ବାହାରକୁ ଚାହୁଁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି କାଣ୍ଡ ଘଟାଇଥିବା ରୋହିତ ନିଜର ମୋବାଇଲ୍ରେ ଏକ ଭିଡିଓ ରେକର୍ଡ କରି ପଠାଇଥିଲା, ଯେଉଁଥିରେ ସେ କହିଥିଲା- ‘ମୁଁ ରୋହିତ ଆର୍ଯ୍ୟ ଏକ ଯୋଜନା ପ୍ରସ୍ତୁତ କରିଛି ଏବଂ ଆତ୍ମହତ୍ୟା କରିବା ପରିବର୍ତ୍ତେ କିଛି ପିଲାଙ୍କୁ ଏଠାରେ ପଣବନ୍ଦୀ ରଖିଛି। ମୋର ବେଶି ଦାବି ନାହିଁ, ଅତି ସରଳ ଓ ଯୁକ୍ତିଯୁକ୍ତ ଦାବି। ମୋର କିଛି ପ୍ରଶ୍ନ ଅଛି । ମୁଁ କିଛି ଲୋକଙ୍କ ସହ କଥା ହେବାକୁ ଚାହୁଛି। ମୁଁ ସେମାନଙ୍କୁ ପ୍ରଶ୍ନ ପଚାରିବାକୁ ଚାହୁଛି। ମୁଁ ଆତଙ୍କବାଦୀ ନୁହେଁ କି ପିଲାମାନଙ୍କୁ ମୁକ୍ତ କରିବା ପାଇଁ ବିପୁଳ ଅର୍ଥ ଦାବି କରୁନାହିଁ। ମୁଁ କେବଳ କଥାବାର୍ତ୍ତା ମାଧ୍ୟମରେ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇବାକୁ ଚାହୁଛି।’ ରୋହିତ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇ କହିଥିଲା ଯେ ଯଦି ପିଲାମାନେ କ୍ଷତିଗ୍ରସ୍ତ ହୁଅନ୍ତି, ତାକୁ ଦାୟୀ କରାଯିବା ଉଚିତ ନୁହେଁ। ପ୍ରଥମେ ପୁଲିସ ରୋହିତ ସହ ଆଲୋଚନା କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ସେ ଅଟଳ ରହି କାହାକୁ ଛାଡ଼ିବାକୁ ରାଜି ହୋଇନଥିଲା। ଅବଶେଷରେ ପୁଲିସ୍ ଏକ ରଣନୀତି ପ୍ରସ୍ତୁତ କରି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା। ଷ୍ଟୁଡିଓର ବାଥରୁମ୍ ଝରକା ଦେଇ ପୁଲିସ୍ ଭିତରକୁ ପ୍ରବେଶ କରି ଶିଶୁମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଥିଲା। ଏହି ଅଭିଯାନ ସମୟରେ ରୋହିତ ପୁଲିସକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ଏବଂ ପୁଲିସର ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରୋହିତର ମୃତ୍ୟୁ ଘଟିଛି।
ପୁଲିସର ସଫଳ ଅପରେସନ୍ରେ ୧୭ ଜଣ ଶିଶୁ ଓ ଅନ୍ୟ ଦୁଇ ଜଣ ବ୍ୟକ୍ତି ସୁରକ୍ଷିତ ଉଦ୍ଧାର ହୋଇଥିଲେ। ଘଟଣାସ୍ଥଳରେ ହିଁ ଶିଶୁମାନଙ୍କୁ ସେମାନଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଥିଲା। ଜୋନ୍ ୧୦ର ଡେପୁଟି କମିସନର ଦତ୍ତା ନଳବଡେ ଗଣମାଧ୍ୟମକୁ କହିଛନ୍ତି, ‘୩୫ ମିନିଟ୍ର ଏକ ଜଟିଳ ଅପରେସନ୍ରେ ସମସ୍ତ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ଏବଂ ଗୁଳିମାଡ଼ରେ ଆହତ ଅଭିଯୁକ୍ତର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।’
ଅପରାଧ ଘଟାଇଥିବା ରୋହିତ ଆର୍ଯ୍ୟ (ବୟସ ପ୍ରାୟ ୩୦) ନାଗପୁରର ବାସିନ୍ଦା ଓ ମୁମ୍ବାଇର ଚେମ୍ବୁରରେ ରହୁଥିଲା। ସେ ‘ଆର୍ଏ ଷ୍ଟୁଡିଓ’ରେ କର୍ମଚାରୀ ଭାବେ କାମ କରୁଥିଲା ଏବଂ ଅଡିସନ୍ ପରିଚାଳନା କରୁଥିଲା। କିଛି ଦିନ ଧରି ସେ ଅଭିଭାବକଙ୍କୁ ଆକୃଷ୍ଟ କରିବା ପାଇଁ ଅଡିସନ୍ ଆୟୋଜନ କରୁଥିଲା। ରୋହିତର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଥିବା ଜଣାପଡ଼ିଛି। ପୁଲିସ ପ୍ରାଥମିକ ତଦନ୍ତରେ ରୋହିତର ମାନସିକ ଅସ୍ଥିରତା ଥାଇପାରେ ବୋଲି ସନ୍ଦେହ କରୁଛି। ତା’ର କୌଣସି ପୂର୍ବ ଆପରାଧିକ ରେକର୍ଡ ନାହିଁ। ଏହି ଘଟଣା ଅଡିସନ୍ ଷ୍ଟୁଡିଓଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୁମ୍ବାଇ ପୁଲିସ୍ ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ଜାରି ରଖିଥିବା ବେଳେ ପ୍ରଭାବିତ ପରିବାରଙ୍କ ପାଇଁ କାଉନସେଲିଙ୍ଗ୍ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ପୁଲିସର ସାହସିକତାକୁ ପ୍ରଶଂସା କରିଛନ୍ତି ଏବଂ ଶିଶୁମାନଙ୍କ ନିରାପଦ ଉଦ୍ଧାର ସମସ୍ତଙ୍କ ପାଇଁ ଆଶ୍ବସ୍ତି ଆଣିଛି ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/31/untitled-8-2025-10-31-06-59-14.jpg)
