୧୭ ଚୀନ୍ ବିମାନ, ୫ ଜାହାଜ ତାଇୱାନ ପ୍ରଣାଳୀର ମଧ୍ୟମ ରେଖା ଅତିକ୍ରମ କରିଛନ୍ତି: ରିପୋର୍ଟ

ତାଇପେଇ : ଆଉ ଜଣେ ଆମେରିକା କଂଗ୍ରେସର ପ୍ରତିନିଧି ସ୍ବୟଂଶାସିତ ଦ୍ବୀପଦେଶ ତାଇୱାନ ଗସ୍ତ କରିବା ଭିତରେ ସୋମବାର ସ୍ଥାନୀୟ ସମୟ ଅପରାହ୍ଣ ୫ଟା ସୁଦ୍ଧା ଚୀନ୍‌ର ୫ଟି ଜାହାଜ ଓ ୧୭ଟି ବିମାନ ତାଇୱାନ ପ୍ରଣାଳୀର ମଧ୍ୟମ ରେଖା (ମେଡ଼ିଆନ ଲାଇନ) ଅତିକ୍ରମ କରିଥିବା ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଅଭିଯୋଗ କରିଛି। ମନ୍ତ୍ରଣାଳୟର କହିବା ଅନୁସାରେ ପିପୁଲ୍‌ସ ଲିବରେସନ ଆର୍ମି ଏୟାର ଫୋର୍ସ (ପିଏଲ୍‌ଏଏଏଫ୍‌)ର ଯୁଦ୍ଧ ବିମାନଗୁଡ଼ିକ ମଧ୍ୟରୁ ୧୦ଟି ହେଉଛି ଚାଇନିଜ୍ ବିମାନ, ୪ଟି ସୁଖୋଇ ସୁ-୩୦ ଲଢ଼ୁଆ ବିମାନ, ୩ଟି ସେନ୍ୟାଂଗ ଜେ-୧୧ ଜେଟ୍ ଏବଂ ଗୋଟିଏ ସାଂକ୍ସି ୱାଇ-୮ ପରିବହନ ବିମାନ ତାଇୱାନ ପ୍ରଣାଳୀର ମେଡ଼ିଆନ ଲାଇନ ଅତିକ୍ରମ କରିଥିବା ଟ୍ରାକ୍ କରାଯାଇଛି।

ଚାଇନିଜ୍ ବିମାନ ଓ ଜାହାଜଗୁଡ଼ିକୁ ମନିଟର କରିବା ପାଇଁ ତାଇୱାନ ଲଢ଼ୁଆ ଏୟାର ପାଟ୍ରୋଲ ବିମାନ ଓ ଜାହାଜ ପଠାଇବା ସହ ଉପକୂଳରେ କ୍ଷେପଣାସ୍ତ୍ର ବ୍ୟବସ୍ଥା ମୁତୟନ କରିଛି। ଚୀନ୍ ସେନା ପକ୍ଷରୁ କୁହାଯାଇଛି ଯେ ସେମାନେ ସୋମବାର ତାଇୱାନ ଚାରିପଟେ ଜଳରାଶିରେ ଓ ଆକାଶମାର୍ଗରେ ସାମରିକ ଅଭ୍ୟାସ କରୁଥିଲେ। ସୂଚନାଯୋଗ୍ୟ ଆମେରିକା ସଂସଦ ଅଧ୍ୟକ୍ଷ ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚୀନ୍ କ୍ଷୁବ୍ଧ ହୋଇ ତାଇୱାନକୁ ଧମକାଇବା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲା। ତା’ର ଦୁଇ ସପ୍ତାହରୁ କମ୍ ଦିନ ପରେ ଆମେରିକା କଂଗ୍ରେସର ସେନ ଏଡ୍ ମାର୍କେଙ୍କ ନେତୃତ୍ବାଧୀନ ଆଉ ଏକ ପ୍ରତିନିଧି ଦଳ ଦୁଇଦିନିଆ ତାଇୱାନ ଗସ୍ତରେ ଆସି ରବିବାର ତାଇପେଇରେ ପହଞ୍ଚିଥିଲେ। ଏଥିରେ ଚୀନ୍‌ର ରାଗ ଆହୁରି ବଢ଼ିବା ସ୍ବାଭାବିକ। ତାଇୱାନକୁ ନିଜର ଅଭିନ୍ନ ଅଙ୍ଗ ବୋଲି କହୁଥିବା ଚୀନ୍ ଗତ ବୁଧବାର କହିଥିଲା ଯେ ସେମାନଙ୍କ ସାମରିକ ଅଭ୍ୟାସ ସଫଳତାର ସହ ଶେଷ ହୋଇଛି କିନ୍ତୁ ମଝିରେ ମଝିରେ ସେମାନେ ତାଇୱାନ ପ୍ରଣାଳୀରେ ଅଭ୍ୟାସ ଜାରି ରଖିବେ।

ସମ୍ବନ୍ଧିତ ଖବର