କାବୁଲ : ଆଫଗାନିସ୍ତାନର ବାଗଲାନ ପ୍ରଦେଶର ରାଜଧାନୀ ପୋଲ-ଇ-କୋମରିଠାରେ ଥିବା ଇମାନ ଜମାନ ମସଜିଦରେ ଶୁକ୍ରବାର ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟି ୧୭ ଜଣଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ନମାଜ ସମୟରେ ବିସ୍ଫୋରଣ ହୋଇଥିବାରୁ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି ଓ ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି ।

Advertisment

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ମସଜିଦଟି ସିଆ ସଂପ୍ରଦାୟର ଥିଲା । ସ୍ଥାନୀୟ କର୍ତ୍ତୃପକ୍ଷ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏବେ ବି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଶାସନ ପକ୍ଷରୁ ମୃତଦେହଗୁଡ଼ିକୁ ଚିହ୍ନଟ କରାଯାଉଛି । ତେବେ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ତେବେ ଏହି ଆକ୍ରମଣ ପଛରେ ଆଇଏସ ଆତଙ୍କବାଦୀଙ୍କ ହାତ ଥିବା ସଂଦେହ କରାଯାଉଛି ।

ତାଲିବାନ ସରକାରର ଉପ-ମୁଖପାତ୍ର ବିଲାଲ କରିମି ଏହି ବିସ୍ଫୋରଣକୁ ନିନ୍ଦା କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,  ଯେଉଁ ଅଞ୍ଚଳରେ ଏହି ବୋମା ବିସ୍ଫୋରଣ ହୋଇଥିଲା ତାହା ଏକ ସିହା ସମ୍ପ୍ରଦାୟ ଅଧ୍ୟୁଷିତ ଅଞ୍ଚଳ। ଏଣୁ ସିହା ସଂପ୍ରଦାୟକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିବା ସଂଦେହ କରାଯାଉଛି । ଗତ କିଛି ବର୍ଷ ମଧ୍ୟ ମଧ୍ୟରେ ଆଫଗାନିସ୍ତାନରେ ସିହା ସଂପ୍ରଦାୟ ଉପରେ ଆକ୍ରମଣ ସଂଖ୍ୟା ବଢିଚାଲିଛି ।