କେରଳରେ ବିମାନ ଖସି ୧୭ ମୃତ

ଅବତରଣ ବେଳେ ବିମାନ ୨ ଖଣ୍ଡ, ୩୦ ଫୁଟ ଖାତକୁ ଗଳିପଡ଼ିଲା

ନୂଆଦିଲ୍ଲୀ : ପ୍ରବଳ ବର୍ଷା ଯୋଗୁଁ କେରଳରେ ଆଜି ଆଉ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦୁବାଇରୁ କାଲିକଟ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ (ଆଇଏକ୍ସ-୧୩୪୪) ଆଜି ରାତିରେ କୋଜିକୋଡ଼ ଏୟ‌ାରପୋର୍ଟରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ରନ୍‌ୱେରୁ ଖସିଯାଇ ୩୦ ଫୁଟ ଗଭୀର ଖାଲରେ ପଡ଼ି ଦୁଇ ଖଣ୍ଡ ହୋଇଯାଇଛି। ଏଥିରେ ବିମାନର ଦୁଇ ଜଣ ପାଇଲଟ୍‌ଙ୍କ ସମେତ ୧୭ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଅନ୍ୟ ୧୨୩ ଜଣ ଆହତ ହୋଇଛନ୍ତି।

‘ବନ୍ଦେ ଭାରତ ମିଶନ’ ଜରିଆରେ ଏହି ବିମାନଟି ୧୯୦ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସିଥିଲା। ଏଥିରେ ୧୭୪ ଯାତ୍ରୀ, ୧୦ ଶିଶୁ, ଦୁଇ ପାଲଟ ଏବଂ ୪ ଜଣ ବିମାନ କର୍ମଚାରୀ ଥିଲେ। ରାତି ୮ଟା ୧୫ ମିନିଟ୍‌ ସମୟରେ ବିମାନଟି କୋଜିକୋଡ ରନ୍‌ୱେରେ ଅବତରଣ କରୁଥିବା ବେଳେ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ତେବେ ସୌଭାଗ୍ୟବଶତଃ ବିମାନରେ ନିଆଁ ଲାଗିନାହିଁ। ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି ବୋଲି କେରଳ ପୁଲିସ ଡିଜି ଲୋକନାଥ ବେହେରା ସୂଚନା ଦେଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ବିମାନ ଦୀର୍ଘ ସମୟ ଧରି ଆକାଶରେ ଚକ୍କର କାଟିଥିଲା। ଅବତରଣ ପାଇଁ ପ୍ରଥମ ଉଦ୍ୟମ ବିଫଳ ହେବା ପରେ ଦ୍ବିତୀୟ ଉଦ୍ୟମରେ ଓହ୍ଲାଇଥିଲା। ପ୍ରବଳ ବର୍ଷା ଯୋଗୁଁ ରନୱେରେ ପାଣି ଜମି ଥିବାରୁ ବିମାନ ଖସିଯାଇଥିଲା। ଡିଜିସିଏ (ଡାଇରେକ୍ଟୋରେଟ ‌ଜେନେରାଲ ଅଫ୍‌ ସିଭିଲ ଆଭିଏସନ) ପକ୍ଷରୁ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଦୁର୍ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନ୍‌ ଯୋଗେ କଥା ହୋଇଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌ ଟ୍ବିଟ୍‌ କରି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ୨୦୧୦ରେ ମାଙ୍ଗାଲୋରରେ ଅନୁରୂପ ଭାବେ ବିମାନ ଦୁର୍ଘଟଣା ଘଟିଥିଲା। ବିମାନରେ ନିଆଁ ଲାଗିଯିବାରୁ ଏଥିରେ ୧୫୮ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର