ଆଇଜଲ: ପଶ୍ଚିମବଙ୍ଗରେ ଆସିଥିବା ‘ରେମାଲ’ ବାତ୍ୟାର ପ୍ରଭାବ ଏବେ ଉତ୍ତର-ପୂର୍ବରେ ଦେଖିବାକୁ ମିଳୁଛି। ମିଜୋରାମରେ ବାତ୍ୟାଜନିତ ଲଗାଣ ବର୍ଷା ଯୋଗୁଁ ମଙ୍ଗଳବାର ସକାଳେ ଆଇଜଲରେ ଏକ ପଥର ଖାଦାନ ଭୁଶୁଡ଼ିବାରୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଓ ୬ ବର୍ଷର ଦୁଇ ଜଣ ଶିଶୁ ଅଛନ୍ତି। ମିଜୋରାମ ଡିଜିପି ଅନୀଲ ଶୁକ୍ଳା କହିଛନ୍ତି, ଆଜି ଅପରାହ୍ନ ୪ଟା ସୁଦ୍ଧା ୧୭ଟି ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୮ ଜଣ ସ୍ଥାନୀୟ ବାସିନ୍ଦା ଥିବା ବେଳେ ୪ ଜଣ ବହାର ରାଜ୍ୟରୁ ଆସିଛନ୍ତି। ଅନ୍ୟ ୫ ଜଣଙ୍କ ମୃତଦେହ ଚିହ୍ନଟ ହୋଇପାରିନାହିଁ। ଭଗ୍ନାବଶେଷ ତଳେ ୭ ଜଣ ଫସି ରହିଥିବାରୁ ଉଦ୍ଧାର କାର୍ଯ୍ୟ ଯୁଦ୍ଧସ୍ତରରେ ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ଏଥିରେ ସମସ୍ୟା ଉପୁଜିଥିଲେ ମଧ୍ୟ ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ଟିମ୍ ଅହରହ ନିୟୋଜିତ ଅଛନ୍ତି। ଅତଡ଼ା ଧସିବା ବେଳେ ଖାଦାନରେ ୨୫ ଜଣ ଥିଲେ।
ଏହାବ୍ୟତୀତ ଉତ୍ତର-ପୂର୍ବ ଆସାମରେ ମଧ୍ୟ ଆଜି ପ୍ରବଳ ପବନ ସହ ବର୍ଷା ହୋଇଛି। ମୋରିଗାଓଁ ଜିଲ୍ଲାରେ ଏକ ଅଟୋ ରିକ୍ସା ଉପରେ ଗଛ ପଡ଼ି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ସେହିପରି ଲକ୍ଷ୍ମୀପୁରରେ ଭୂସ୍ଖଳନରେ ଜଣଙ୍କର ମୃତ୍ୟୁ ଘଟିଛି। ସୋନିତପୁର ଜିଲ୍ଲାରେ ଏକ ସ୍କୁଲ ବସ୍ ଉପରେ ଗଛ ପଡ଼ି ୧୨ ଜଣ ପିଲା ଆହତ ହୋଇଛନ୍ତି। ଲଗାଣ ବର୍ଷା ଯୋଗୁଁ ମିଜୋରାମର ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ଆଜି ବନ୍ଦ ରହିଛି। ଘରୋଇ କଂପାନିଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମିଜୋରାମ ଅନ୍ୟ ସ୍ଥାନରେ ମଧ୍ୟ ଭୂସ୍ଖଳନ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ଆଇଜଲର ସାଲେମ ଭେଙ୍ଗଠାରେ ଭୂସ୍ଖଳନ ପରେ ୩ ଜଣ ନିଖୋଜ ଅଛନ୍ତି। ୬ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ ଯୋଗୁଁ ଆଇଜଲ ଦେଶର ଅନ୍ୟ ସ୍ଥାନରୁ ବିଚ୍ଛିନ୍ନ ହୋଇଯାଇଛି। ରାଜ୍ୟ ଭିତରେ ଅନେକ ରାଜ୍ୟ ରାଜପଥ ମଧ୍ୟ ବନ୍ଦ ରହିଛି। ଲଗାଣ ବର୍ଷା ଯୋଗୁଁ ନଦୀଗୁଡିକର ଜଳସ୍ତର ବୃଦ୍ଧି ପାଉଛି । ନଦୀ ତଟ ଅଞ୍ଚଳରେ ରହୁଥିବା ଅନେକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟରେ ଖରାପ ପାଗକୁ ନେଇ ମୁଖ୍ୟମନ୍ତ୍ରୀ ଲାଲଦୁହୋମା ଏକ ଜରୁରୀ ବୈଠକ ଡକାଇଛନ୍ତି। ଏହି ବୈଠକରେ ଗୃହମନ୍ତ୍ରୀ କେ ସପଦଙ୍ଗା, ମୁଖ୍ୟ ଶାସନ ସଚିବ ରେଣୁ ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବିପର୍ଯ୍ୟୟ ମୁକାବିଲା ସଂକ୍ରାନ୍ତ ବିସ୍ତୃତ ଆଲୋଚନା କରିଛନ୍ତି। ବର୍ଷାଜନିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ସିକ୍କିମରେ ମେ ୩୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଆଇଏମ୍ଡି ସତର୍କ ସୂଚନା ଜାରି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/sfhsfhsffhsf.jpg)