ମୁମ୍ବାଇ : ମହାରାଷ୍ଟ୍ରର ଗଡ଼ଚିରୋଲି ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ଗତରାତିରୁ ଚାଲିଥିବା ବିଶାଳ ଅପରେସନ ସଫଳ ହୋଇଛି। ପ୍ରାୟ ୯ ଘଣ୍ଟା ଧରି ପୁଲିସ-ମାଓବାଦୀ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ମାଓନେତା ତଥା କମାଣ୍ଡର ସାଇନାଥ ଓ ସିନୁ ସମେତ ୧୭ ଜଣ ମାଓବାଦୀ ପ୍ରାଣ ହରାଇଥିବା ଜଣାପଡ଼ିଛି। ଗୋଟିଏ ଦିନରେ ଦୁଇଜଣ ମାଓ କମାଣ୍ଡର ଏନ୍‌କାଉଣ୍ଟରରେ ନିହତ ହେବା ଏକ ରେକର୍ଡ ବୋଲି ଗଡ଼ଚିରୋଲି ଡିଆଇଜି ଅଙ୍କୁଶ ସିନ୍ଧେ କହିଛନ୍ତି। ମୃତକଙ୍କ ମଧ୍ୟରେ କେତେଜଣ ମହିଳା ମାଓବାଦୀ ଅଛନ୍ତି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଅପରେସନ ଜାରି ରହିଥିବା ଗଡ଼ଚିରୋଲି ଆଇଜି ଶରଦ ସେଲାର କହିଛନ୍ତି। ଏହି ଘଟଣାରେ କୌଣସି ସୁରକ୍ଷାକର୍ମୀ ମୃତାହତ ହୋଇନଥିବା ଜଣାପଡ଼ିଛି।

Advertisment

ଗଡ଼ଚିରୋଲି ଜିଲ୍ଲା ଭମରାଗଡ଼ ଅଞ୍ଚଳର ତଡ଼ଗାଓଁ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ଖବର ମିଳିବା ପରେ ପୁଲିସ୍‌ ପକ୍ଷରୁ ଗତକାଲି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ମାଓବାଦୀଙ୍କ ଦୁଇଟି ଶିବିର ଠାବ ହେବାପରେ ଗଡ଼ଚିରୋଲି ପୁଲିସ୍‌ ଓ ସି-୬୦ କମାଣ୍ଡୋଙ୍କ ସ୍ୱତନ୍ତ୍ର ୟୁନିଟ ମିଳିତଭାବେ ଚଢଉ କରିଥିଲେ। ପୁଲିସର ଯୋଜନାବଦ୍ଧ କମ୍ବିଂ ଏବଂ ଘେରାବନ୍ଦୀ ଯୋଗୁଁ ମାଓବାଦୀ ଖସିବାକୁ ବାଟ ପାଇନଥିଲେ। ପୁଲିସ କାର୍ଯ୍ୟାନୁଷ୍ଠାନରେ ଘଟଣାସ୍ଥଳରେ ହିଁ ୧୭ ମାଓବାଦୀ ନିହତ ହୋଇଥିଲେ। କିଛିଦିନ ତଳେ ଏହି ଅଂଚଳରେ ପୁଲିସ କାର୍ଯ୍ୟାନୁଷ୍ଠାନରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ। ଗତବର୍ଷ ମଧ୍ୟ ଗଡ଼ଚିରୋଲିରେ ୧୯ଜଣ ମାଓବାଦୀଙ୍କୁ ନିପାତ କରାଯାଇଥିଲା। ଉଲ୍ଳେଖଯୋଗ୍ୟ, ଏହି ଅଞ୍ଚଳରେ ମାଓବାଦୀମାନେ ପୁଲିସ୍‌ ଓ ଯବାନଙ୍କ ସମେତ ସାଧାରଣ ଲୋକଙ୍କ ଉପରେ ବି ଆକ୍ରମଣ କରୁଛନ୍ତି। ଅନେକ ସ୍ଥାନରେ ସେମାନେ ଲୁଟ୍‌ପାଟ କରି ଆତଙ୍କ ସୃଷ୍ଟି କରିବା ପରେ ରାଜ୍ୟ ସରକାର ମାଓ ଦମନ ଆଭିମୁଖ୍ୟକୁ ଅଧିକ କଠୋର କରିଛନ୍ତି।