ବିହାରରେ ଦିନ ୧୧ଟା ସୁଦ୍ଧା ୧୭ % ମତଦାନ

ପାଟନା : ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ ଦିନ ୧୧ଟା ସୁଦ୍ଧା ପ୍ରାୟ ୧୭.୮୫ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି ।  କରୋନା କଟକଣା ଦୃଷ୍ଟିରୁ ପ୍ରତି ମତଦାନ କେନ୍ଦ୍ର ବାହାରେ ତାପମାତ୍ରା ଯାଞ୍ଚ, ସାନିଟାଇଜର, ମାସ୍କ ବଣ୍ଟନର ବ୍ୟବସ୍ଥା କରାଯାଇଛି । ନଓ୍ବାଡ଼ାର ଏକ ପୋଲିଂ ବୁଥରେ ଥିବା ବିଜେପି ଏଜେଣ୍ଟ କୃଷ୍ଣ କୁମାର ସିଂଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ କରୋନା ସତର୍କତା ପାଳନ କରି ଭୋଟ ଦେବାକୁ ନିବେଦନ କରିଛନ୍ତି । ଦରଭଙ୍ଗାଠାରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ଆପଣଙ୍କ ଗୋଟିଏ ଭୋଟ ବିହାରକୁ ପୁଣି ବିମାରୁ ହେବାରୁ ବଞ୍ଚାଇଦେବ ।

ପ୍ରଥମ ପର୍ଯ୍ୟାୟରେ ମୋଟ ୭୧ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି । ଏହି ପର୍ଯ୍ୟାୟ ପାଇଁ ମୋଟ ୨ କୋଟି ୧୫ ଲକ୍ଷ ଭୋଟର ଭୋଟ ଦେବେ । ସେମାନଙ୍କ ମଧ୍ୟରୁ ୧ କୋଟି ୧୨ ଲକ୍ଷ ପୁରୁଷ ଥିବାବେଳେ ୧ କୋଟି ମହିଳା ଭୋଟର ଅଛନ୍ତି । ଏହା ସହିତ ୫୯୯ ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି । ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ୯୫୨ ଜଣ ପୁରୁଷ ଓ ୧୧୪ ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ନିର୍ବାଚନ ପୂର୍ବରୁ ଆଜି ଔରଙ୍ଗାବାଦ ଜିଲ୍ଲାରେ କେତେକ ଆଇଇଡି ଜବତ ହୋଇଛି । ଏହାପରେ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।

ସମ୍ବନ୍ଧିତ ଖବର