୧୭ ବର୍ଷିୟ ବାଳକର କାର୍‌ ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଜଣେ ୧୭ ବର୍ଷିୟ ବାଳକଙ୍କ ବେପରୁଆ କାର୍‌ ଚାଳନା ଯୋଗୁଁ ଜଣେ ଅଟୋରିକ୍ସା ଚାଳକଙ୍କର ମୃତ୍ୟୁ ଘଟିଛି। ଗୁରୁବାର ପ୍ରତ୍ୟୁଷରେ ସେ ବାଳକଟି ନିଜର ଦୁଇ ବନ୍ଧୁଙ୍କୁ ମାରୁତି ସିଏଜ୍‌ ସେଡାନ୍‌ ଚଳାଇ ଯାଉଥିବା ବେଳେ ଟଲ୍‌ଷ୍ଟୟ ମାର୍ଗ ଏବଂ କସ୍ତୁରବା ଗାନ୍ଧୀ ମାର୍ଗ ଛକରେ ଅଟୋରିକ୍ସାକୁ ଧକ୍କା ଦେଇଥିଲା। ପୂର୍ବ ଦିଲ୍ଲୀର ଏକ କମ୍ପାନିରେ ପଞ୍ଜିକୃତ ହୋଇଥିବା କାର୍‌ଟି ଅଭିଯୁକ୍ତ ବାଳକର ଦାଦିଙ୍କର। ତାଙ୍କ ଦାଦି ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରନ୍ତି। କାର୍‌ରେ ଥିବା ଅନ୍ୟ ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି।

ଦେଖଣାହାରିଙ୍କ କହିବା ଅନୁସାରେ, କାର୍‌ଟି ସମ୍ଭବତଃ ଘଣ୍ଟା ପ୍ରତି ୧୦୦ କିଲୋମିଟର୍‌ ବେଗରେ ଯାଉଥିବା ବେଳେ ବ୍ଲିଙ୍କର୍‌ ମୋଡ୍‌ରେ ଥିବା ଟ୍ରାଫିକ୍‌ ସଙ୍କେତକୁ ଟପି ଯାଇ ଅଟୋରିକ୍ସାକୁ ଧକ୍କା ଦେବା ଫଳରେ ତାହା ଦୁଇ ପେଞ୍ଚ ଗଡ଼ି ଯାଇ ରାସ୍ତା ଆର ପଟରେ ପଡ଼ିଥିଲା। ଅଟୋଚାଳକ ଶିବ ଶଙ୍କର ମେହତୋ ଅଟୋରୁ ପଡ଼ିଯାଇ ଫୁଟ୍‌ପାଥ୍‌ରେ ପିଟି ହୋଇ ଯାଇଥିଲେ।

ଘଟଣାଟି ଭୋର୍‌ ୫. ୪୦ ରେ ଘଟିଥିଲା। ଅଟୋଚାଳକ ୬୫ ବର୍ଷିୟ ଶିବ ଜନପଥ ସ୍ଥିତ ସିଏନ୍‌ଜି ପମ୍ପ୍‌ରୁ ମାତା ସୁନ୍ଦରୀ ରୋଡ୍‌ରେ ଥିବା ଡିଡିଏ ଫ୍ଲାଟ୍‌କୁ ଫେରୁଥିଲେ।

ଅଟୋରିକ୍ସାର ପଛକୁ କିଛି ମିଟର ବ୍ୟବଧାନରେ ଗାଡ଼ି ଚଳାଉଥିବା ଶିବଙ୍କର ପୁତୁରା ଓ ତାଙ୍କ ବନ୍ଧୁ କହିଛନ୍ତି ଯେ, କାରଟି ମଧ୍ୟ କେଇ ପେଞ୍ଚ ଗଡ଼ି ଯାଇ ଟଲ୍‌ଷ୍ଟୟ ମାର୍ଗରେ ଥିବା ପଥବିଭାଜିକାରେ ପିଟି ହୋଇଯାଇଥିଲା। ଫଳରେ କାର୍‌ର ପଛଭାଗରେ ବସିଥିବା ଜଣେ ତରୁଣ ପଦାକୁ ବାହାରି ପଡ଼ି କାର୍‌ ତଳେ ଚାପି ହୋଇ ଯାଇଥିଲା।

ଏୟାର୍‌ ବ୍ୟାଗ୍‌ ଯୋଗୁଁ କାର୍‌ ଚାଳକ ତରୁଣ ଜଣକ ରକ୍ଷା ପାଇ ଯାଇଥିଲେ। ସମସ୍ତଙ୍କୁ ଏକ ପିସିଆର୍‌ ଯୋଗେ ଲେଡି ହାର୍ଡିଙ୍ଗ୍‌ ମେଡିକାଲ୍‌ କଲେଜକୁ ନିଆ ଯାଇଥିଲା। ସେଠାର ଶିବ ମୃତ ବୋଲି ଘୋଷଣା କରାଯାଇଥିଲା।

ଅବହେଳା ଜନିତ ଦୁର୍ଘଟଣା ଯୋଗୁଁ ଘଟିଥିବା ମୃତ୍ୟୁ ଯୋଗୁଁ ଏକ ମାମଲା ରୁଜୁ କରାଯାଇଛି। ବାଳକର ଦାଦିଙ୍କୁ ମଧ୍ୟ ବୁକ୍‌ କରାଯାଇଛି।

ସେମାନେ ଖୁସିରେ କନୌଟ୍‌ ପାଲେସ୍‌ ଆଡ଼କୁ ବୁଲି ଯାଇଥିଲେ ବୋଲି ପୁଲିସକ କହିଛନ୍ତି। କାର୍‌ର ଥିବା ଅନ୍ୟ ଦୁଇ ଜଣ ତାଙ୍କର ପଢ଼ାସାଥି ଏବଂ ତୃତୀୟ ଜଣକ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଜଣକର ସମ୍ପର୍କୀୟ ଭାଇ।

ସମ୍ବନ୍ଧିତ ଖବର