ନୂଆଦିଲ୍ଲୀ : ବିହାରରେ ଏନସେଫାଲାଇଟିସ୍ ଜନିତ ମୃତ୍ୟୁ ସଂଖ୍ୟା ୧୭୦ରେ ପହଞ୍ଚିଛି। ଏଇଏସ୍( ଆକ୍ୟୁଟ୍ ଏନସେଫାଲାଇଟିସ୍ ସିଣ୍ଡ୍ରୋମ୍) ଯୋଗୁଁ ଅସମୟରେ ଝଡ଼ି ପଡ଼ୁଛନ୍ତି ଅନେକ କୋମଳମତି ଶିଶୁ। ବିହାରର ୪୦ରୁ ୨୦ଟି ଜିଲା ଏଇଏଏସ୍ ପ୍ରଭାବିତ। ମୁଜାଫରପୁର ସ୍ଥିତି ସଙ୍କଟଜନକ। କେବଳ ମୁଜାଫରପୁରରେ ୧୨୫ରୁ ଅଧିକ ଶିଶୁ ପ୍ରାଣ ହରାଇଛନ୍ତି। କିନ୍ତୁ ବିଭିନ୍ନ ପଦକ୍ଷେପ ଗ୍ରହଣ ସତ୍ତ୍ବେ ଏଇଏସ୍କୁ କାବୁ କରିହେଉନି। ତେବେ ବିହାରରେ ମୌସୁମି ପହଞ୍ଚିଥିବାରୁ ଏଇଏସ୍ ସଂକ୍ରମଣ କମିବା ପରି ଲାଗୁଛି। ଏଇଏସ୍ ରୋକିବା ଦିଗରେ ଉଭୟ କେନ୍ଦ୍ର ଏବଂ ବିହାର ସରକାରଙ୍କ ଚିନ୍ତା ବଢ଼ିଯାଇଥିବାବେଳେ ଏବେ ସୁପ୍ରିମକୋର୍ଟରେ ଏହି ମାମଲା ପହଞ୍ଚିଛି। ଆଜି ସୁପ୍ରିମକୋର୍ଟ ଦୁଇଜଣ ଆଇନଜୀବୀଙ୍କ ଆବେଦନ ଆଧାରରେ ଉଭୟ କେନ୍ଦ୍ର ଏବଂ ବିହାର ସରକାରଙ୍କୁ ନୋଟିସ୍ କରିଛନ୍ତି। ବିହାରରେ ଏତେ ସଂଖ୍ୟାରେ ଶିଶୁ ପ୍ରାଣ ହରାଉଥିବା ନେଇ କୋର୍ଟ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କଠାରୁ ଜବାବ ମାଗିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ସଂଜୀବ ଖାନ୍ନା ଏବଂ ବି ଆର ଗବାଇଙ୍କ ଖଣ୍ଡପୀଠ ବିହାର ସରକାରଙ୍କୁ ୮ ଦିନ ମଧ୍ୟରେ ଏବାବଦ ଜବାବ ରଖିବାପାଇଁ କହିଛନ୍ତି। ବିହାର ସରକାର ରାଜ୍ୟରେ ଏଇଏସ୍ ଚିକିତ୍ସା ପାଇଁ ଥିବା ମେଡିକାଲ ସୁବିଧା ଏବଂ ସ୍ବଚ୍ଛ ପରିବେଶ ବାବଦରେ ବିସ୍ତୃତ ବିବରଣୀ ଏକ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାପାଇଁ କୋର୍ଟ କହିଛନ୍ତି। ଅନ୍ୟପକ୍ଷେ ମୁଜାଫରପୁର ସିଜେଏମ୍ କୋର୍ଟ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଏବଂ ବିହାର ସ୍ବାସ୍ଥ୍ୟ ମନ୍ତ୍ରୀ ମଙ୍ଗଳ ପାଣ୍ଡେଙ୍କ ବିରୋଧରେ ଏହି ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଇଏସ୍ ଜନିତ ମୃତ୍ୟୁସଂଖ୍ୟା ବଢ଼ିବାରୁ ଦୁଇ ଜଣ ଆଇନଜୀବୀ ନିକଟରେ ସୁପ୍ରିମକୋର୍ଟରେ ଏକ ପିଆଇଏଲ୍ ଦାଖଲ କରି ରାଜ୍ୟରେ ଏଇଏସ୍ ଚିକିତ୍ସା ପାଇଁ ଜରୁରୀ ଭିତ୍ତିରେ ଏକ ମେଡିକାଲ୍ ବିଶେଷଜ୍ଞ ଦଳ ଗଠନ କରିବାପାଇଁ କହିଥିଲେ।