ନୂଆଦିଲ୍ଲୀ : କରୋନା ମୁକାବିଲା ଲାଗି ଦେଶରେ ଜିଲ୍ଲାଗୁଡ଼ିକୁ ତିନି ଭାଗରେ ବିଭକ୍ତ କରାଯାଇଛି। ସେଗୁଡିକ ହେଲା ହଟସ୍ପଟ୍, ନନ୍ ହଟସ୍ପଟ୍ ଏବଂ ଗ୍ରୀନ ଜୋନ୍। ପ୍ରାୟ ୭୦୦ ଜିଲ୍ଲା ମଧ୍ୟରୁ ୧୭୦ ଜିଲ୍ଲାକୁ କେନ୍ଦ୍ର ସରକାର ଆଜି ହଟସ୍ପଟ୍ ଘୋଷଣା କରିଥିବା ବେଳେ ୨୦୭ ଜିଲ୍ଲାକୁ ନନ୍ ହଟସ୍ପଟ୍ ଜିଲ୍ଲା ଘୋଷଣା କରିଛନ୍ତି। ଏହି ଅବସରରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ଯେ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ୧୭୦ ହଟସ୍ପଟ୍ ଜିଲ୍ଲାରେ ଓଡ଼ିଶାର ଖୋର୍ଦ୍ଧା ରହିଛି। ଏହି ଅଞ୍ଚଳରେ ଏଭଳି ସଂକ୍ରମଣକୁ ରୋକିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉଛି।

Advertisment

ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଏହି ସୂଚନା ଦେଇ କହିଛନ୍ତି ଯେ ଦିଲ୍ଲୀ ଓ ମୁମ୍ବାଇର ଅଧିକାଂଶ ଅଞ୍ଚଳକୁ ରେଡ୍ ଜୋନ ଘୋଷଣା କରାଯାଇଛି। ହଟସ୍ପଟ୍ ଏବଂ ନନ୍ ହଟସ୍ପଟ୍ ଜିଲ୍ଲାମାନଙ୍କରେ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଘରକୁ ଘର ବୁଲି ସର୍ଭେ କରୁଛନ୍ତି। ଏହି ସବୁ ଅଞ୍ଚଳରେ କଟକଣାକୁ କଡ଼ାକଡ଼ି କରାଯିବା ସହିତ ସଂକ୍ରମଣକୁ ରୋକିବା ଲାଗି ସବୁ ପ୍ରକାର ପଦକ୍ଷେପ ନିଆଯାଉଛି। ଆସନ୍ତା ୨୮ ଦିନ ଭିତରେ ସମସ୍ତ ରୋଗୀ ସୁସ୍ଥ ନହେବା ପର୍ଯ୍ୟନ୍ତ କଠୋର କଟକଣା ଜାରି ରହିବ। କେଉଁ ସ୍ଥାନଟି କରୋନା ରୋଗର କେନ୍ଦ୍ର ପାଲଟିଛି ସେସଂପର୍କ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ରିପୋର୍ଟ ଦେବେ। ସେହି ଅନୁସାରେ କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଯେଉଁ ଜିଲ୍ଲାରେ କରୋନା ବ୍ୟାପିନାହିଁ ସେଗୁଡ଼ିକୁ ଗ୍ରୀନ ଜୋନ୍ ଘୋଷଣା କରାଯାଇଛି।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଦେଶର ସମସ୍ତ ୬ଟି ମେଟ୍ରୋ ସହର ଦିଲ୍ଳୀ, କୋଲକାତା, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦକୁ ହଟସ୍ପଟ୍ ବା ରେଡଜୋନରେ ରଖାଯାଇଛି। ଏହା ସହିତ ଦେଶର ଅନେକ ବଡ଼ ବଡ଼ ସହର ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି। ତେବେ ତାମିଲନାଡୁର ସର୍ବାଧିକ ୨୨ଟି ଜିଲ୍ଲାକୁ ହଟସ୍ପଟ୍ ଘୋଷଣା କରାଯାଇଥିବା ବେଳେ ମହାରାଷ୍ଟ୍ରର ୧୧, ରାଜସ୍ଥାନର ୧୧, ଦିଲ୍ଲୀର ୯, ତେଲେଙ୍ଗାନାର ୮, କେରଳର ୬ ,ଜମ୍ମୁ କଶ୍ମୀର ୬ ଏବଂ ଉତ୍ତର ପ୍ରଦେଶର ୫ଟି ଜିଲ୍ଲା ହଟ ସ୍ପଟରେ ରହିଛି।