ବାଲାକୋଟ ଏୟାରଷ୍ଟ୍ରାଇକରେ ଅତି କମରେ ୧୭୦ ଜୈସ ଆତଙ୍କବାଦୀ ନିହତ ହୋଇଥିଲେ : ଇଟାଲୀ ସାମ୍ବାଦିକା

ନୂଆଦିଲ୍ଲୀ : ବାଲାକୋଟ ସଂପର୍କରେ ପାକିସ୍ତାନୀ ମିଛର ପର୍ଦ୍ଦାଫାସ କରିଛନ୍ତି ଇଟାଲୀର ଜଣେ ସାମ୍ବାଦିକା । ଭାରତୀୟ ବାୟୁସେନା ପକ୍ଷରୁ ଗତ ଫେବ୍ରୁଆରୀ ମାସରେ ପାକିସ୍ତାନର ବାଲାକୋଟରେ କରାଯାଇଥିବା ଏୟାରଷ୍ଟ୍ରାଇକରେ ମୋଟ ୧୭୦ ଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ମରିଥିଲେ ବୋଲି ଇଟାଲୀର ଏହି ସାମ୍ବାଦିକା ଫ୍ରାନସିସକା ମାରିନୋ କହିଛନ୍ତି । ଏହି ଆତଙ୍କବାଦୀ ଓ ସେଠାରେ ଥିବା ସେମାନଙ୍କର ସହାୟକମାନଙ୍କୁ ମିଶାଇଲେ ଏହି ସଂଖା ଅଧିକ ହେବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଆକ୍ରମଣରେ ଆହତ ହୋଇଥିବା ୪୫ ଆତଙ୍କବାଦୀ ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି ।

ନିଜର ଏକ ରିପୋର୍ଟରେ ସେ ଆହୁରି ମଧ୍ୟ କହିଛନ୍ତି ଫେବ୍ରୁଆରୀ ୨୬ ରାତି ପ୍ରାୟ ୩ରୁ ୪ଟା ମଧ୍ୟରେ ଏହି ଆକ୍ରମଣ ହେବାର ପ୍ରାୟ ଅଢେଇ ଘଣ୍ଟାପରେ ପାକିସ୍ତାନୀ ସେନାର ଏକ ୟୁନିଟ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରୁ ତୁରନ୍ତ ଶବ ସ୍ଥାନାନ୍ତର କରାଯିବା ସହ ଆହତମାନଙ୍କୁ ସିନକାରୀ ସ୍ଥିତ ହରକର-ଉଲ-ମୁଜାହିଦ୍ଦିନ ଶିବିରକୁ ପଠାଯାଇଥିଲା । ସେଠାରେ ପାକ ସେନା ଡାକ୍ତରମାନେ ସେମାନଙ୍କୁ ଚିକିତ୍ସା କରିଥିଲେ ।
ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ମାସେ ପୂର୍ବରୁ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଏହି ଏୟାର ଷ୍ଟ୍ରାଇକ୍ରେ ଜୈସ-ଇ-ମହମ୍ମଦର ୩୦୦ ଆତଙ୍କବାଦୀ ନିହତ ହୋଇଥିବା ନେଇ ଭାରତ ଦାବି କରୁଥିବା ବେଳେ ପାକିସ୍ତାନ ଏହାକୁ ମିଛ ବୋଲି କହି ଆସୁଥିଲା ।

ସମ୍ବନ୍ଧିତ ଖବର