ଫ୍ରାନ୍ସ ଆନ୍ଦୋଳନରେ ବ୍ୟାପକ ପୋଡ଼ାଜଳା, ୧୭୦୦ରୁ ଅଧିକ ଆନ୍ଦୋଳନକାରୀ ଗିରଫ

ପ୍ୟାରିସ: ବିଭିନ୍ନ ସାମଗ୍ରୀର ବୃଦ୍ଧି ସମେତ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନଙ୍କ ଇସ୍ତଫା ଦାବିରେ ଫ୍ରାନ୍ସବାସୀ ସେମାନଙ୍କ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଚଳିତ ସପ୍ତାହରେ ଆନ୍ଦୋଳନ ହୋଇଛି। ଏଥିରେ ଆନ୍ଦୋଳନକାରୀମାନେ ବ୍ୟାପକ ହିଂସା ଘଟାଇବା ସହିତ ପୋଡ଼ାଜଳା କରିଛନ୍ତି। ପୁଲିସ ସହିତ ସେମାନଙ୍କର ପ୍ରବଳ ଠେଲାପେଲା ଓ ଧସ୍ତାଧସ୍ତି ହୋଇଛି। ଫଳରେ ପୁଲିସ ଆନ୍ଦୋଳନକାରୀମାନଙ୍କୁ ଘଉଡ଼ାଇବା ପାଇଁ ରବର ଗୁଳି ଓ ଲୁହ ବୁହା ବାଷ୍ପର ପ୍ରୟୋଗ ମଧ୍ୟ କରିଛି। ‌ପୁଲିସ ପକ୍ଷରୁ ୧୭୦୦ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଛି। ପ୍ୟାରିସ ବ୍ୟତୀତ ମାର୍ସିଲି, ବୋରଡିକ୍ସ, ଲାୟନ ଏବଂ ଟାଲୌଜ୍ ଆଦି ସହରରେ ଆନ୍ଦୋଳନକାରୀମାନେ ଏକଜୁଟ ହେବା ସହିତ ହିଂସା ଭିଆଇଛନ୍ତି। କ୍ରମାଗାତ ଚତୁର୍ଥ ସପ୍ତାହାନ୍ତରେ ଆନ୍ଦୋଳନକାରୀମାନେ ଦେଶବ୍ୟାପୀ ବିକ୍ଷୋଭ କରିଛନ୍ତି। ପ୍ୟାରିସଠାରେ ପୁଲିସ କହିଛି, ଶନିବାର ୧୦୮୨ ଜଣଙ୍କୁ ଗିରଫ କରାଯାଇଛି। ପୂର୍ବ ପର୍ଯ୍ୟାୟ ଆନ୍ଦୋଳନରେ ୪୧୨ ଜଣଙ୍କୁ ଗିରଫ କରାଯାଇଥିଲା ବୋଲି ପ୍ୟାରିସ ପୁଲିସ କହିଛନ୍ତି।

ଆଭ୍ୟନ୍ତରୀଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଶନିବାରର ବିକ୍ଷୋଭରେ ୧,୩୬,୦୦୦ ଲୋକ ସାମିଲ ହୋଇଥିଲେ। ଡିସେମ୍ବର ୧ରେ ହୋଇଥିବା ଆନ୍ଦୋଳନରେ ମଧ୍ୟ ସମାନ ସଂଖ୍ୟକ ଆନ୍ଦୋଳନକାରୀ ସାମିଲ ଥିଲେ। ଅନ୍ୟାନ୍ୟ ସ୍ଥାନ ତୁଳନାରେ ପ୍ୟାରିସରେ ଆନ୍ଦୋଳନକାରୀମାନେ ଅଧିକ ମାତ୍ରାରେ ହିଂସାକାଣ୍ଡ ଭିଆଇଛନ୍ତି। ଆନ୍ଦୋଳନକାରୀମାନେ କାରରେ ନିଆଁ ଲଗାଇ ଦେବା ସହିତ ବାରିକେଡ୍‌କୁ ଜାଳିଦେଇଛନ୍ତି। ଡିସେମ୍ବର ୧ ତୁଳନାରେ ଗତ ଶନିବାର ଆନ୍ଦୋଳନକାରୀମାନେ ଅଧିକ ସମ୍ପତ୍ତି ନଷ୍ଟ କରିଛନ୍ତି ବୋଲି ନଗର କର୍ତ୍ତୃପକ୍ଷ କହିଛନ୍ତି। ଆନ୍ଦୋଳନକାରୀମାନେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନଙ୍କ ଇସ୍ତଫା ଦାବି କରିବା ସହିତ ତାଙ୍କ ବିରୋଧରେ ସ୍ଳୋଗାନମାନ ଦେଇଛନ୍ତି।

ସମ୍ବନ୍ଧିତ ଖବର