ସିଆଚୀନ୍: ସିଆଚୀନ୍ରେ ଅତି ଭୟଙ୍କର ପ୍ରତିକୂଳ ପାଣିପାଗ ଭିତରେ ବି ଭାରତୀୟ ଯବାନ ମୁତୟନ ରହି ଦେଶର ସୀମାକୁ ସୁରକ୍ଷିତ ରଖିଛନ୍ତି। ବିଗତ ୩୦ ବର୍ଷ ହେଲା ଏହି ଅଂଚଳରେ ଭାରତୀୟ ସେନା ପାକିସ୍ତାନର ଅତିକ୍ରମଣ ପ୍ରୟାସକୁ ପଣ୍ଡ କରିବାରେ ସକ୍ଷମ ହୋଇଛନ୍ତି। ପ୍ରବଳ ବରଫପାତ ଭିତରେ ବି ଭାରତୀୟ ଯବାନ ସେମାନଙ୍କ କର୍ତ୍ତ୍ୟବ ସଂପାଦନ କରି ଆସୁଛନ୍ତି। ତେବେ ବିଶ୍ବର ସବୁଠାରୁ ଉଚ୍ଚ ଏହି ଯୁଦ୍ଧକ୍ଷେତ୍ରରେ ଶତ୍ରୁଙ୍କ ଗୁଳି ଅପେକ୍ଷା ପ୍ରକୃତିର ପ୍ରକୋପ ଯୋଗୁଁ ଯବାନଙ୍କ ମୃତ୍ୟୁ ଘଟୁଛି । ଏହି ବରଫାଛନ୍ନ ଅଂଚଳରେ ଯେଉଁଠି ଘାସଟିଏ ବି ଉଠେନାହିଁ, ସେଠାରେ ମୁତୟନ ଥିବା ଯବାନଙ୍କ ପାଇଁ ପ୍ରତିଦିନ ୪ରୁ ୮ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ୧୯୮୪ରୁ ଆଜି ପର୍ଯ୍ୟନ୍ତ ଏହି ଅଂଚଳରେ ପାକିସ୍ତାନର ଅନୁପ୍ରବେଶକୁ ରୋକିବାରେ ଭାରତ ସମର୍ଥ ହୋଇଛି। ସିଆଚୀନ୍ରେ ପ୍ରାୟତଃ ଦିନର ତାପମାତ୍ରା ଶୂନରୁ ବିଯୁକ୍ତ ୪୦ ଡିଗ୍ରି ତଳେ ରହିଥାଏ ଏବଂ ରାତିରେ ଏହା ବିଯୁକ୍ତ ୭୦ ଡିଗ୍ରିରେ ପହଞ୍ଚିଥାଏ। ୧୯୮୪ରୁ ଆଜି ପର୍ଯ୍ୟନ୍ତ ସିଆଚୀନ୍ର ରକ୍ଷାରେ ନିୟୋଜିତ ପ୍ରାୟ ୧୭ ଶହ ଯବାନଙ୍କ ମୃତ୍ୟୁ ଘଟିସାରିଛି। ସିଆଚୀନ୍ ହିମାଳୟର କରାକୋରମ ରେଂଜ୍ରେ ରହିଛି। ଏହି ଅଂଚଳକୁ ଚୀନ୍କୁ ଭାରତୀୟ ଉପମହାଦେଶରୁ ଅଲଗା କରୁଛି। ସିଆଚୀନ୍ ୭୬ କିମି ଲମ୍ବା ବିଶ୍ବର ଦ୍ବିତୀୟ ବଡ଼ ଗ୍ଲାସିୟର। ୨୩ ହଜାର ଫୁଟ ଉଚ୍ଚରେ ସିଆଚୀନ୍ ଗ୍ଲାସିୟର ‘ଇନ୍ଦ୍ର’ ନାମକ ଏକ ପାହାଡ଼ରୁ ଆରମ୍ଭ ହୋଇଛି। ସିଆଚୀନ୍ ଗ୍ଲାସିୟରର ୧୫ କିମି ପଶ୍ଚିମରେ ସଲତୋରୋ ରିଜ୍ ଆରମ୍ଭ ହେଉଛି। ଏହି ଅଂଚଳରେ ଭାରତୀୟ ସେନାର ନିୟନ୍ତ୍ରଣ ଥିବା ବେଳେ ପଶ୍ଚିମରେ ଗ୍ୟୋଙ୍ଗ୍ ଗ୍ଲାସିୟରରୁ ପାକ୍ ସେନାର ନିୟନ୍ତ୍ରଣ ଆରମ୍ଭ ହେଉଛି। ସିଆଚୀନ୍ରେ ଭାରତୀୟ ସେନାର ୧୫୦ଟି ପୋଷ୍ଟ ରହିଛି ଏବଂ ୧୦ ହଜାର ଯବାନ ମୁତୟନ ରହିଛନ୍ତି।