ଚିନ୍ତା ବଢ଼ାଇଲା କୁମ୍ଭମେଳା; ୫ ଦିନରେ ୧,୭୦୧ କୋଭିଡ-୧୯ ସଂକ୍ରମିତ ଚିହ୍ନଟ

ହରିଦ୍ୱାର: କୋରନାର ଦ୍ୱିତୀୟ ଲହର ସଂପ୍ରତି ଦେଶରେ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଛି। ଏ ପରିସ୍ଥିତିରେ ହରିଦ୍ୱାରରେ ଚାଲିଥିବା କୁମ୍ଭମେଳା ଏକ ଚିନ୍ତାର ବିଷୟ ପାଲଟିଛି। କାରଣ, ଗତ ୫ ଦିନ ମଧ୍ୟରେ ହରିଦ୍ୱାର କୁମ୍ଭମେଳାରେ ୧,୭୦୧ କୋଭିଡ-୧୯ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷରେ ଶ୍ରଦ୍ଧାଳୁମାନେ ଲକ୍ଷ ଲକ୍ଷ ସଂଖ୍ୟାରେ କୁମ୍ଭମେଳାରେ ଯୋଗଦେଉଛନ୍ତି ଏବଂ ଖୋଲାଖୋଲି ଭାବେ କୋଭିଡ୍‌-୧୯ ନିୟମ ଓ ପ୍ରୋଟୋକଲ୍‌ର ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି।

ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ, କୁମ୍ଭମେଳାରୁ ୧,୭୦୧ କୋଭିଡ୍‌-୧୯ ମାମଲା ଏପ୍ରିଲ ୧୦ରୁ ୧୪ ମଧ୍ୟରେ ଚିହ୍ନଟ ହୋଇଥିଲା। ଏଥିରେ ବିଭିନ୍ନ ଆଖଡ଼ାର ସାଧୁସନ୍ଥଙ୍କ ସହ ବିଭିନ୍ନ ରାଜ୍ୟରୁ ଆସିଥିବା ଶ୍ରଦ୍ଧାଳୁମାନେ ମଧ୍ୟ ଅନ୍ତର୍ଭୁକ୍ତ ରହିଥିଲେ। ହରିଦ୍ୱାର ମୁଖ୍ୟ ଚିକିତ୍ସା ଅଧିକାରୀ ଶମ୍ଭୁ କୁମାର କହିଛନ୍ତି ଯେ ଏବେବି ବହୁ ଆରଟି-ପିସିଆର ରିପୋର୍ଟ ମିଳିବା ବାକିଅଛି। ତେଣୁ, କୁମ୍ଭମେଳାରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୨,୦୦୦ ଟପିଯିବ ବୋଲି ଆଶଙ୍କା କରାଯାଉଛି।
ଏପ୍ରିଲ ୧୨ ଏବଂ ଏପ୍ରିଲ ୧୪ରେ ଅନୁଷ୍ଠିତ ଶେଷ ଦୁଇଟି ଶାହି ସ୍ନାନରେ ଅଂଶଗ୍ରହଣ କରିଥିବା ୪୮.୫୧ଲକ୍ଷ ଲୋକଙ୍କ ମଧ୍ୟରୁ ଅଧିକାଂଶ ଫେସମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ପରି କୋଭିଡ-୧୯ ପ୍ରୋଟୋକଲକୁ ଖୋଲାଖୋଲି ଭାବରେ ଉଲ୍ଲଂଘନ କରିଥିବା ଦେଖାଯାଇଥିଲା।

ଏପରିସ୍ଥିତିରେ ଜାରି ରହିଥିବା କୁମ୍ଭମେଳାକୁ ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇ କହିଛନ୍ତି ଯେ ମହାମାରୀ ମଧ୍ୟରେ ଏତେ ବଡ ସମାବେଶ ଆୟୋଜନ କରିବା ବିପର୍ଯ୍ୟସ୍ତ ସାବ୍ୟସ୍ତ ହୋଇପାରେ। କାରଣ, ସମଗ୍ର ଦେଶରେ ମହାମାରୀର ସଂକ୍ରମଣ ଏବେ ଉପର ମୁହାଁ ହୋଇ ରହିଛି। ପୁଣି, କୁମ୍ଭମେଳାରେ ଯୋଗ ଦେଉଥିବା ଲୋକମାନେ ଦେଶର ବିଭିନ୍ନ ସ୍ଥାନରୁ ଆସିଛନ୍ତି। ବିଶେଷଜ୍ଞମାନେ ଭୟ କରୁଛନ୍ତି ଯେ ଏମାନେ କୋଭିଡ୍‌-୧୯ ପ୍ରୋଟୋକଲ୍‌ ପାଳନ ନକରିବା ଦ୍ୱାରା ସଂକ୍ରମଣ ଅନେକ ରାଜ୍ୟରେ ବ୍ୟାପିପାରେ।

ସମ୍ବନ୍ଧିତ ଖବର