ରୋମ୍‌ରୁ ଆସିଥିବା ୧୭୩ ଅନ୍ତର୍ଜାତୀୟ ଯାତ୍ରୀ ଅମୃତସରରେ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ : ରୋମ୍‌ରୁ ଆଜି ଏକ ଚାର୍ଟଡ ବିମାନ ଯୋଗେ ଅମୃତସରରେ ପହଞ୍ଚିଥିବା ୧୭୩ ଯାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉକ୍ତ ଘଟଣା ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଦେଇ ଶ୍ରୀ ଗୁରୁ ରାମଦାସଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ଭି‌କେ ସେଠ୍‌ କହିଛନ୍ତି, ରୋମ୍‌ରୁ ଫେରିଥିବା ମୋଟ୍‌ ୨୮୫ ଯାତ୍ରୀ ଆସି ଅମୃତସର ବିମାନବନ୍ଦରରେ ପହଞ୍ଚିବାପରେ ସେମାନଙ୍କ କରୋନା ଟେଷ୍ଟ୍‌ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୭୩ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଉଲ୍ଲେଖ‌ଯୋଗ୍ୟ, ଗତକାଲି ମଧ୍ୟ ଇଟାଲିରୁ ୧୭୯ ଯାତ୍ରୀ ଅମୃତସର ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ୧୨୫ ଜଣ ଯାତ୍ରୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି।

ହସ୍ପିଟାଲମାନଙ୍କରେ ଅକ୍ସିଜେନ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଓମିକ୍ରନ୍‌ ପାଇଁ ଦେଶବ୍ୟାପୀ ସଂକ୍ରମଣ ବଢ଼ି ଚାଲିଥିବାରୁ କେନ୍ଦ୍ର ସରକାର ଆଜି ରାଜ୍ୟମାନଙ୍କୁ ପୁଣିଥରେ ସତର୍କ କରାଇଛନ୍ତି। ବର୍ତ୍ତମାନ ସ୍ଥିତିରେ ରାଜ୍ୟର ସମସ୍ତ ହସ୍ପିଟାଲ୍‌ ଗୁଡ଼ିକରେ ଅକ୍ସିଜେନ୍‌ ଉପକରଣ ପ୍ରସ୍ତୁତ ରଖିବା ଆମର ପ୍ରାଥମିକ ଦାୟିତ୍ବ। ଏହାଦ୍ବାରା ଜରୁରୀ ସ୍ଥିତିର ମୁକାବିଲା କରିହେବ ବୋଲି କେନ୍ଦ୍ର ସରକାର କହିଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧିମାନଙ୍କ ସହ ଭିଡିଓ କନଫରେନ୍ସ ଦ୍ବାରା ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଭେଣ୍ଟିଲେଟର, ପିଏସ୍‌ଏ ,ଅକ୍ସିଜେନ ପ୍ଲାଣ୍ଟ୍‌, ଅକ୍ସିଜେନ୍‌ କନ‌ସେନ‌େଟ୍ରେଟର, ଅକ୍ସିଜେନ୍‌ ସିଲିଣ୍ଡର ସମେତ ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ ରଖିବାପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ପିଏସ୍‌ଏ ପ୍ଲାଣ୍ଟ୍‌ ପ୍ରତିଷ୍ଠା କରିବାପାଇଁ ଭୂଷଣ ରାଜ୍ୟମାନଙ୍କୁ କହିଛନ୍ତି।

ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ୭ ଦିନ ବାଧ୍ୟତାମୂଳକ ହୋମ୍‌ କ୍ବାରାଣ୍ଟିନ୍

ନୂଆଦିଲ୍ଲୀ: ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀ ଭାରତରେ ପହଞ୍ଚିବାପରେ ୭ ଦିନ ବାଧ୍ୟତାମୂଳକ ହୋମ୍‌ କ୍ବାରାଣ୍ଟିନ୍‌ରେ ରହିବେ। କେନ୍ଦ୍ର ସରକାର ଆଜି ଯାତ୍ରା ନିର୍ଦ୍ଦେଶାବଳି ପରିବର୍ତ୍ତନ କରିବା ସହ ଏହି ନୂଆ କଟକଣା ଲଗାଇଛନ୍ତି। ଓମିକ୍ରନ୍‌ ପାଇଁ ଦେଶରେ ସଂକ୍ରମଣ ମାଡ଼ି ଚାଲିଥିବାରୁ ଯାତ୍ରା ନିର୍ଦ୍ଦେଶାବଳିରେ ପରିବର୍ତ୍ତନ କରାଯାଇଛି। ବିପଦ ଥିବା ରାଷ୍ଟ୍ରମାନଙ୍କରୁ ଆସୁଥିବା ଯାତ୍ରୀମାନେ ଦେଶରେ ପହଞ୍ଚିବାପରେ ସେମାନଙ୍କ ନମୁନା ଦାଖଲ କରିବେ। ସେମାନଙ୍କ ଟେଷ୍ଟ୍‌ ରିପୋର୍ଟ ଆସିବାପରେ ସେମାନେ ବିମାନବନ୍ଦର ଛାଡ଼ିବେ।

ରିପୋର୍ଟ ନେଗେଟିଭ୍‌ ଆସିଲେ ମଧ୍ୟ ଅନ୍ତର୍ଜାତୀୟ ଯାତ୍ରୀମାନେ ୭ ଦିନ ‌ହୋମ୍ କ୍ବାରାଣ୍ଟିନରେ ରହିବେ ଏବଂ ଅଷ୍ଟମ ଦିନରେ ପୁଣି ଆର୍‌ଟିପିସିଆର ଟେଷ୍ଟ୍‌ କରିବେ। ୫ ବର୍ଷରୁ କମ୍‌ ବର୍ଷର ଶିଶୁଙ୍କର କୋଭିଡ ଟେଷ୍ଟ୍‌ କରାଯିବନି। ଯଦି ସେମାନଙ୍କଠାରେ ଲକ୍ଷଣ ଦେଖାଦିଏ ତେବେ ସେମାନଙ୍କୁ ହୋମ କ୍ବାରାଣ୍ଟିନ୍‌‌ରେ ରଖାଯିବ।

ସମ୍ବନ୍ଧିତ ଖବର