ଉତ୍ତରାଖଣ୍ଡ: ୧୫ ଦିନ ମଧ୍ୟରେ ୧୭୩ ନିଖୋଜ ପିଲାଙ୍କୁ ଠାବ କଲା ପୁଲିସ୍‌

ହରିଦ୍ୱାର: ‘ଅପରେସନ୍‌ ସ୍ମାଇଲ୍‌’ ଜରିଆରେ ଉତ୍ତରାଖଣ୍ଡ ପୁଲିସ୍‌ ଗତ ୧୫ ଦିନ ମଧ୍ୟରେ ରାଜ୍ୟରୁ ୧୭୩ ଜଣ ନିଖୋଜ ଶିଶୁଙ୍କୁ ଖୋଜିପାଇଛି। ଫେବ୍ରୁଆରି ପହିଲାରେ ଆରମ୍ଭ ହୋଇଥିବା ଏହି ଅପରେସନର ଉଦ୍ଦେଶ୍ୟ ନିଖୋଜ ଶିଶୁଙ୍କ ସନ୍ଧାନ ପାଇବା। ମିଳିଥିବା ଶିଶୁମାନଙ୍କ ମଧ୍ୟରେ ମାତ୍ର ୪୧ ଜଣଙ୍କ ନାମରେ ନିଖୋଜ ଅଭିଯୋଗ ଦାୟର ହୋଇଥିଲା। ସମୁଦାୟ ୧୭୩ ଜଣ ମିଳିଥିବା ଶିଶୁଙ୍କ ମଧ୍ୟରୁ ୧୩୫ ଜଣଙ୍କୁ ସେମାନଙ୍କ ପରିବାର ଲୋକଙ୍କ ଜିମାରେ ଦିଆଯାଇଛି। ବାକି ୩୮ ଜଣ ଶିଶୁଙ୍କୁ ବାଲ୍‌ ଆଶ୍ରମକୁ ପଠାଯାଇଛି। ସେମାନଙ୍କ ପରିବାର ଲୋକଙ୍କୁ ଖୋଜି ଖୁବ୍‌ ଶୀଘ୍ର ପୁଲିସ୍‌ ଶିଶୁମାନଙ୍କୁ ହସ୍ତଗତ କରାଇବା ପାଇଁ ତଦନ୍ତ ଆରମ୍ଭ କରିଛି।

ତେବେ, ଜାଣିବାକୁ ମିଳିଛି ଯେ ଉତ୍ତରାଖଣ୍ଡରୁ ମିଳିଥିବା ଏହି ସବୁ ଶିଶୁମାନଙ୍କ ମଧ୍ୟରୁ ୬ ଜଣ ଅନ୍ୟ ରାଜ୍ୟର ପିଲା। ଜାଣିବାକୁ ମିଳିଛି ଯେ ଉତ୍ତରପ୍ରଦେଶରୁ ୨ ଜଣ, ଦିଲ୍ଲୀରୁ ୨ ଜଣ, ଛତିଶଗଡ଼ରୁ ଜଣେ ଏବଂ ହରିଆଣାରୁ ଜଣେ ଶିଶୁ ପୁଲିସ୍‌ ହାତରେ ଧରାପଡ଼ିଛନ୍ତି। ପୁଲିସ୍‌ ଡାଟା ଅନୁଯାୟୀ, ସଂଖ୍ୟାଧିକ ଶିଶୁ ହେଉଛନ୍ତି ହରିଦ୍ୱାରର। ଜିଲ୍ଲାରୁ ଫେବ୍ରୁଆରି ୧ରୁ ୧୫ ତାରିଖ ମଧ୍ୟରେ ସମୁଦାୟ ୨୯ ଜଣ ନିଖୋଜ ଶିଶୁଙ୍କୁ ପୁଲିସ୍‌ ଧରିବାରେ ସମର୍ଥ ହୋଇଛି। ସେହିପରି ଚମ୍ପଓ୍ଵତ ଜିଲ୍ଲାରୁ ୨୮ ଜଣଙ୍କୁ ପୁଲିସ୍‌ ଠାବ କରିଛି।

ସମ୍ବନ୍ଧିତ ଖବର