ତେହେରାନ୍‌ରେ ଜଳିଗଲା ବିମାନ, ୧୭୬ ମୃତ: ମୃତକଙ୍କ ମଧ୍ୟରେ ଇରାନ୍‌ର ୮୨, କାନାଡାର ୬୩ ନାଗରିକ

ରହସ୍ୟ ଘେରରେ ବିମାନ ଦୁର୍ଘଟଣା : ବ୍ଲାକ୍‌ ବକ୍ସ ଦେବନାହିଁ ଇରାନ୍‌, ରକେଟ୍‌ ମାଡ଼ରେ ବିମାନ ଖସିଥିବା ସନ୍ଦେହ

ତେହେରାନ୍‌ : ଇରାନ୍‌ର ରାଜଧାନୀ ତେହେରାନ୍‌ରେ ଆଜି ଏକ ବିମାନ ଦୁର୍ଘଟଣାରେ ୧୭୬ ଯାତ୍ରୀଙ୍କ ମୃତୁ ଘଟିଛି। ତେହେରାନ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ୟୁକ୍ରେନ୍‌ର ବିମାନ ବୋଇଂ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଏଥିରେ ଥିବା ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଆକାଶରେ ଏହି ବୋଇଙ୍ଗ୍‌ ୭୩୭ ବିମାନଟି ଜଳିଯାଇଛି ବୋଲି ଇରାନ୍‌ର ସଡ଼କ ଓ ପରିବହନ ମନ୍ତ୍ରଣାଳୟର ମୁଖପାତ୍ର କାସିମ୍ ବିନିଆଜ୍‌ ସୂଚନା ଦେଇଛନ୍ତି।

ଏହି ଦୁର୍ଘଟଣାରେ ବିମାନରେ ଥିବା ୧୬୭ ଯାତ୍ରୀଙ୍କ ସମେତ ୯ ଜଣ ବିମାନ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଇରାନ୍‌ର ୮୨, କାନାଡାର ୬୩, ୟୁକ୍ରେନ୍‌ର ୧୧, ସ୍ବିଡେନ୍‌ର ୧୦, ଆଫ୍‌ଗାନିସ୍ତାନର ୩ ଓ ବ୍ରିଟେନ୍‌ର ୩ ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି ବୋଲି ସ୍ପଷ୍ଟ ହୋଇଛି। ୟୁକ୍ରେନ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ଲାଇନ୍‌ର ବୋଇଙ୍ଗ୍‌ ୭୩୭ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ପ୍ରଥମେ ‘ଫାର୍‌ସ’ ଖବର ସରବରାହ ସଂସ୍ଥା ଆଜି ସକାଳେ ଟ୍ବିଟ୍‌ କରିଥିଲା । ସୂଚନା ଅନୁସାରେ, ୧୭୬ ଜଣ ଯାତ୍ରୀଙ୍କୁ ନେଇ ଇରାନ୍‌ର ଇମାମ୍‌ ଖୋମିନି ବିମାନ ବନ୍ଦରରୁ ବିମାନଟି ଉଡ଼ାଣ ଆରମ୍ଭ କରିଥିଲା। ଉଡାଣର ଅଳ୍ପକିଛି ସମୟ ପରେ ବିମାନରେ ନିଆଁ ଲାଗି ଯାଇଥିଲା।

ଇରାନର ରାଜଧାନୀ ତେହେରାନର ଉପାନ୍ତ ଇଲାକା ପରନ୍ଦ ଓ ଶାହରିଆର୍ ମଧ୍ୟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ବେଳେ ଉଦ୍ଧାରକାରୀ ଦଳ ପଠା ଯାଇଥିଲା ବୋଲି ଇରାନ୍‌ ଜରୁରୀକାଳୀନ ସେବାର ମୁଖ୍ୟ ଫିର୍‌ହୁସେନ୍‌ କୁଲିବନ୍ଦ କହିଛନ୍ତି। ମାତ୍ର କୌଣସି ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରି ନଥିଲା। ଏହି ଘଟଣା ପରେ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନ୍‌ସ୍କି ଏବଂ ପ୍ରଧାନମନ୍ତ୍ରୀ ଓଲେକ୍‌ସି ହନ୍‌ଚାରୁକ ମୃତକଙ୍କ ଉଦ୍ଦେଶ୍ୟରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣାର କାରଣ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି ବୋଲି ୟୁକ୍ରେନ୍‌ ପ୍ରଧାନମନ୍ତ୍ରୀ ଓଲେକ୍‌ସି କହିଛନ୍ତି। ଅନ୍ୟପକ୍ଷରେ ଇରାକସ୍ଥିତ ଆମେରିକାର ସାମରିକ ଘାଟି ଉପରେ ଇରାନ୍‌ କ୍ଷେପଣାସ୍ତ୍ର ଆକ୍ରମଣ କରିବାର କିଛି ସମୟ ପରେ ଏହି ବିମାନ ଦୁର୍ଘଟଣା ଘଟିଥିବାରୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି ୟୁକ୍ରେନ୍‌ କହିଛି।

ରହସ୍ୟ ଘେରରେ ବିମାନ ଦୁର୍ଘଟଣା : ବ୍ଲାକ୍‌ ବକ୍ସ ଦେବନାହିଁ ଇରାନ୍‌, ରକେଟ୍‌ ମାଡ଼ରେ ବିମାନ ଖସିଥିବା ସନ୍ଦେହ

ତେହେରାନ : ଆମେରିକା ଏବଂ ଇରାନ୍‌ ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ଆଜି ଇରାନ୍‌ରେ ଘଟିଥିବା ୟୁକ୍ରେନ୍‌ ଯାତ୍ରୀ ବିମାନ ଦୁର୍ଘଟଣା ରହସ୍ୟ ଘେରରେ ରହିଛି। ଏହି ଦୁର୍ଘଟଣାରେ ୧୭୬ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ତଦନ୍ତ ପାଇଁ ଇରାନ୍‌ ସରକାର ବ୍ଲାକ୍‌ ବକ୍ସ ଦେବନାହିଁ ବୋଲି ଘୋଷଣା କରିଛନ୍ତି। କୌଣସି ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ବ୍ଲାକ୍‌ ବକ୍ସ ଅତି ଜରୁରୀ ଥିଲେ ମଧ୍ୟ ଇରାନ୍‌ ଏଥିରେ କୌଣସି ସହଯୋଗ କରିବ ନାହିଁ ବୋଲି କହିବା ପରେ ଦୁର୍ଘଟଣାକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସିବା ପୂର୍ବରୁ ହିଁ ଆକାଶରେ ହିଁ ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇଥିବାରୁ ଏହା ରକେଟ୍‌ କିମ୍ବା ବିମାନ ବିଧ୍ବଂସୀ କ୍ଷେପଣାସ୍ତ୍ର ଆକ୍ରମଣର ଶିକାର ହୋଇଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣାଗ୍ରସ୍ତ ୟୁକ୍ରେନ୍‌ର ବୋଇଂ ୭୩୭ ବିମାନର ଦୁଇ ଦିନ ତଳେ ଯାଞ୍ଚ ହୋଇଥିଲା ଏବଂ ବିମାନରେ ସାମାନ୍ୟତମ ବୈଷୟକ ତ୍ରୁଟି ନଥିଲା ବୋଲି ୟୁକ୍ରେନ୍‌ କହିଛି। ଏହି ଘଟଣାର ଅନ୍ତର୍ଜାତୀୟସ୍ତରରେ ତଦନ୍ତ କରାଯିବ ବୋଲି ୟୁକ୍ରେନ୍‌ ସରକାର ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର