ଲଣ୍ଡନ : ବ୍ରିଟେନରେ ଲଗାତାର ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ସପ୍ତାହରେ ବ୍ରିଟେନ୍‌ରେ ୧୭ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। କରୋନା ମହାମାରୀ ମଧ୍ୟରେ ଏହା ବ୍ରିଟେନରେ ସର୍ବାଧିକ ସାପ୍ତାହିକ ସଂକ୍ରମଣ। ନୂଆ ତଥ୍ୟ ଅନୁଯାୟୀ ଗତ ସପ୍ତାହରେ ଇଂଲାଣ୍ଡରେ ୧,୫୪୪,୬୦୦ ଜଣ ସଂକ୍ରମିତ ହୋଇଥିଲେ। ସବୁ ବୟସର ଲୋକଙ୍କ ମଧ୍ୟ‌ରେ ସଂକ୍ରମଣ ବଢ଼ୁଛି। ଦକ୍ଷିଣ ପଶ୍ଚିମକୁ ଛାଡ଼ିଦେଲେ ଇଂଲଣ୍ଡରେ ସବୁ ଅଞ୍ଚଳରେ ଗତ ସପ୍ତାହରେ ସଂକ୍ରମଣ ବଢ଼ିଛି। ଲଣ୍ଡନରେ ସବୁଠୁ ଦ୍ରୁତ ଗତିରେ ସଂକ୍ରମଣ ମାଡ଼ୁଛି। ଏଠାରେ ପ୍ରତି ୨୦ ଜଣରେ ଜଣେ କରୋନା ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷେ ଉତ୍ତର ପୂର୍ବରେ ପ୍ରତି ୫୫ ଜଣ‌ରେ ଜଣେ ସଂକ୍ରମିତ ହୋଇଛନ୍ତି। ଇଂଲାଣ୍ଡରେ ବି ଓମିକ୍ରନ୍‌ ସଂକ୍ରମଣ ବଢ଼ୁଛି। ୱେଲ୍ସରେ ୭୦ ହଜାର ଲୋକ ଗତ ସପ୍ତାହରେ କରୋନା ସଂକ୍ରମିତ ହୋଇଛନ୍ତି। ଏହି ସମାନ ସମୟରେ ଉତ୍ତର ଆୟରଲାଣ୍ଡରେ ୪୪,୯୦୦ ଲୋକ ସଂକ୍ରମିତ ହୋଇଥିଲେ। ସ୍କଟଲାଣ୍ଡରେ ଡିସେମ୍ବର ୧୩-୧୯ ମଧ୍ୟରେ ୭୯,୨୦୦ ଲୋକ ସଂକ୍ରମିତ ହୋଇଛନ୍ତି। ଗତ କିଛି ଦିନ ଧରି ବ୍ରିଟେନରେ ଲଗାତାର ସଂକ୍ରମଣ ବଢ଼ୁଛି। ବ୍ରିଟେନରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆକଳନ ଅନୁଯାୟୀ ଡିସେମ୍ବର ଶେଷ ସୁଦ୍ଧା‌ ଆଉ ୧୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେବେ।

Advertisment

୪ ମାସରେ ଚୀନ୍‌ରେ ସର୍ବାଧିକ ସଂକ୍ରମଣ
‌ବେଜିଂ : ୪ ମାସରେ ଚୀନ୍‌ରେ ସର୍ବାଧିକ ସଂକ୍ରମଣ ମାମଲା ଏବେ ଚିହ୍ନଟ ହୋଇଛି। ଚିନ୍‌ରେ ସଂକ୍ରମଣ ବଢ଼ିବାରୁ ପୁଣିଥରେ କଟକଣା ଫେରିଛି। ଜିଆନ୍‌ ସହରରେ ୧୩ ନିୟୁତ ଲୋକ ତାଲାବନ୍ଦରେ ଅଛନ୍ତି। ଚୀନ୍‌ରେ ଗତକାଲି ଚିହ୍ନଟ ହୋଇଥିବା ୧୪୦ ନୂଆ ସଂକ୍ରମଣରୁ ୮୭ଟି ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛି। ଖ୍ରୀଷ୍ଟମାସ ସନ୍ଧ୍ୟାରେ ଜିଆନ୍‌ ସହରରେ ସର୍ବାଧିକ ୭୫ ନୂଆ ମାମଲା ଚିହ୍ନଟ ହୋଇଛି। ଚୀନ୍‌ରେ ସଂକ୍ରମଣ ମାମଲା ସେତେ ଅଧିକ ନଥିଲେ ବି ନିକଟରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ହେବା ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କର ଚିନ୍ତା ବଢ଼ାଇଛି। ଡିସେମ୍ବର ୯ରେ ଜିଆନ ସହରରେ ପ୍ରଥମ କରୋନା ମାମଲା ଚିହ୍ନଟ ହୋଇଥିଲା। ଏହାପରଠାରୁ ଏଠାରେ ମୋଟ୍‌ ୩୩୦ ମାମଲା ଚିହ୍ନଟ ହେଲାଣି। କରୋନା ସଂକ୍ରମଣ ନିୟନ୍ତ୍ରଣରେ ତ୍ରୁଟି ଯୋଗୁଁ ଜିଆନ୍‌ରେ ୨୦ ସରକାରୀ ଅଧିକାରୀଙ୍କୁ ଦଣ୍ଡିତ କରାଯାଇଛି।