ରିଓ ଡେ ଜେନେରୋ: ବ୍ରାଜିଲର ରାଜଧାନୀ ରିଓ ଡେ ଜେନେରୋରେ ଆଜିଠାରୁ ଦୁଇ ଦିନିଆ ବିକ୍ସ ସମ୍ମିଳନୀ ଆରମ୍ଭ ହୋଇଛି। ୧୭ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ ବ୍ରିକ୍ସ ନେତାମାନଙ୍କ ସହ ଘନିଷ୍ଠ ସହଯୋଗ ଏବଂ ସାମୂହିକ ବିକାଶ ପାଇଁ  ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବ୍ରିକ୍ସ ଏକ ଅଧିକ ସମାବେଶୀ ବିଶ୍ବ ଗଠନ ଦିଗରେ ନିର୍ଣ୍ଣାୟକ ଭୂମିକା ନେଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସାଂପ୍ରତିକ ବିଶ୍ବ ଏବେ ଅନେକ ଜଟିଳ ଆହ୍ବାନର ସମ୍ମୁଖୀନ ହେଉଛି ଏବଂ ବୈଶ୍ବିକ ଅନୁଷ୍ଠାନଗୁଡ଼ିକ ଆହ୍ବାନର ମୁକାବିଲାରେ ଅସମର୍ଥ ହେବା ସମସ୍ୟା ବଢ଼ାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।  ପୃଥିବୀର ବିଭିନ୍ନ ସ୍ଥାନରେ ସଂଘର୍ଷ, ମହାମାରୀ, ଅର୍ଥନୈତିକ ସଙ୍କଟ ଆଦିର ସମାଧାନରେ ବୈଶ୍ବିକ ଅନୁଷ୍ଠାନ ବିଫଳ ହେଉଥିବାରୁ ନୂତନ ରଣନୈତିକ ଭାଗିଦାରିତାରେ କାମ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। 

Advertisment

ରିଓ ଡେ ଜେନେରୋରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ବାଗତ
ଅପରେସନ୍‌ ସିନ୍ଦୂର ନେଇ ପ୍ରବାସୀ ଭାରତୀୟଙ୍କ ପ୍ରଭାବଶାଳୀ ସାଂସ୍କୃତିକ ପ୍ରଦର୍ଶନ

ପ୍ରଧାନମନ୍ତ୍ରୀ ମୋଦୀ ଆଜି ବ୍ରାଜିଲରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଭାରତର ଆତଙ୍କବାଦ ବିରୋଧୀ ଅଭିଯାନ ‘ଅପରେସନ ସିନ୍ଦୂର’ ଉପରେ ପ୍ରବାସୀ ଭାରତୀୟମାନେ ଏକ ପ୍ରଭାବଶାଳୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପାକିସ୍ତାନଭିତ୍ତିକ ଆତଙ୍କବାଦୀ ସଙ୍ଗଠନ ବିରୋଧରେ ଭାରତର ସାହସିକ ଅଭିଯାନକୁ ଦର୍ଶାଉଥିବା ଏହି ପ୍ରଦର୍ଶନ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ସମ୍ପ୍ରଦାୟର ସୃଜନଶୀଳତା ଓ  ଭାବନାକୁ ପ୍ରଶଂସା କରିଥିଲେ। ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲ୍‌ଭା  ପ୍ରଧାନମନ୍ତ୍ରୀଙ୍କୁ ଜୋର୍‌ଦାର ସ୍ବାଗତ କରିବା ସହ ଦୁଇ ଦେଶର ସଂପର୍କରେ ଏହି ଗସ୍ତ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି କହିଛନ୍ତି। ବ୍ରାଜିଲ, ରୁଷ୍‌, ଭାରତ, ଚୀନ୍‌ ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସରେ ଇଜିପ୍ଟ, ଇଥିଓପିଆ, ଇରାନ, ସାଉଦି ଆରବ ଓ ୟୁଏଇ ଭଳି ପାଞ୍ଚଟି ନୂଆ ସଦସ୍ୟ ରାଷ୍ଟ୍ର ସାମିଲ ହୋଇଛନ୍ତି।