ନୂଆଦିଲ୍ଲୀ: ଜମ୍ମୁକଶ୍ମୀରରୁ ସଫା ହେବେ ଆତଙ୍କବାଦୀ | ଆତଙ୍କବାଦୀଙ୍କ ବିପକ୍ଷରେ କଡା ପ୍ରହାର ପାଇଁ ମୋଦୀ ସରକାର ବଡ ନିଷ୍ପତ୍ତି ନେଇଛନ୍ତି | ମିଳିଥିବା ସୂଚନା ମୁତାବକ ଜମ୍ମୁକଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ସହ ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିପାତ କରିବା ପାଇଁ ଜମ୍ମୁକଶ୍ମୀରକୁ ସିଆରପିଏଫର ଅତିରିକ୍ତ ୧୮କମ୍ପାନୀ (୧୮୦୦ ଯବାନ) ଫୋର୍ସ ପଠାଯିବ | ନିକଟରେ ରାଜୌରୀ ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି | ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସର ଯବାନମାନଙ୍କୁ ପୁଞ୍ଚ ଏବଂ ରାଜୌରୀ ଜିଲ୍ଲାରେ ମୁତୟନ କରାଯିବ। ନିକଟରେ ଜମ୍ମୁକଶ୍ମୀରର ରାଜୌରୀ ଜିଲ୍ଲାରେ ଦୁଇଟି ଆତଙ୍କବାଦୀ ଘଟଣାରେ ଦୁଇ ନାବାଳିକାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଥିଲା । ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଜମ୍ମୁକାଶ୍ମୀରର ବିଭିନ୍ନ ସ୍ଥାନରେ ମୁତୟନ ଆଠ କମ୍ପାନୀ ଯବାନଙ୍କୁ ପଠାଯିବାକୁ ଥିବାବେଳେ ଦିଲ୍ଲୀରୁ ସିଆରପିଏଫର ୧୦ଟି କମ୍ପାନୀକୁ ପଠାଯାଉଛି।

Advertisment

ସୂତ୍ରରୁ ପ୍ରକାଶ ଯେ ଜମ୍ମୁ ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଗୁପ୍ତଚର ସୂଚନା ପାଇବା ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଉଲ୍ଲେଖ ଥାଉ କି ସୋମବାରଦିନ ଆଇଇଡି ବିସ୍ଫୋରଣରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ରବିବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ରାଜୌରୀ ଜିଲ୍ଲାର ତିନିଟି ଘରକୁ ଟାର୍ଗେଟ କରି ଗୁଳି ଚଳାଇଥିଲେ | ଯେଉଁଥିରେ ଚାରିଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ପୁଲିସ ଅଧିକାରୀ କହିଛନ୍ତି ଯେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି। ଅନ୍ୟପଟେ ଏହି ଆକ୍ରମଣକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ଆଜି କହିଛନ୍ତି ଯେ ଗତ ୪-୫ ବର୍ଷ ଧରି ଯାହା ଘଟୁଛି ସେଥିପାଇଁ କିଏ ଦାୟୀ? ଏହି ଘଟଣା କାହିଁକି ହେଲା? ଜମ୍ମୁକଶ୍ମୀରର ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ। ଜାମ୍ମୁର ଲୋକମାନେ ବିଜେପିକୁ ଭୋଟ୍ ଦେଇଛନ୍ତି, କିନ୍ତୁ ବର୍ତ୍ତମାନ ସେମାନଙ୍କୁ ଆକ୍ରମଣ କରାଯାଉଛି |