କଥିୟାଲ୍: ଦିଲ୍ଳୀର ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ନିମନ୍ତେ ଏକାଧିକ ପ୍ରତିଷେଧାତ୍ମକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ମଧ୍ୟରେ ପଞ୍ଜାବ ଓ ହରିୟାଣାରେ ଜମିରେ ନଡ଼ାପାଳ ଆଦି ଜାଳିବା ଉପରେ କଟକଣା ଜାରି ହୋଇଛି। ଏହି କଟକଣାକୁ ଉଲ୍ଲଂଘନ କରି ଆଜି ହରିୟାଣାରେ୧୮ କୃଷକ ଗିରଫ ହୋଇଛନ୍ତି। ଡିଏସ୍ପି ବୀର ଭାନ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୨୨ କୃଷକଙ୍କ ବିରୋଧରେ ନଡ଼ାପାଳ ପୋଡ଼ି ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ଗିରଫ କରାଯାଇଛି। କୃଷି ବିଭାଗ ଓ ପୁଲିସ ମିଳିତ ଭାବେ ନଡ଼ାପାଳ ପୋଡ଼ି ଉପରେ ସତର୍କ ନଜର ରଖିଛନ୍ତି। ଏହା ପୋଡ଼ିବା ଏକ ଧର୍ତ୍ତବ୍ୟ ଅପରାଧ ବୋଲି ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି।
ଗତ ଦୁଇ-ତିନି ଦିନ ଧରି ଦିଲ୍ଲୀର ବାୟୁ ପ୍ରଦୂଷଣସ୍ତର ବୃଦ୍ଧି ପାଇଛି। ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ନିକଟରେ କହିଥିଲେ, ହରିୟାଣାର ବିଜେପି ସରକାର ନଡ଼ାପାଳ ପୋଡ଼ି ନିୟନ୍ତ୍ରଣରେ ବିଫଳ ହୋଇଛି ଏବଂ ପଡ଼ୋଶୀ ରାଜ୍ୟର ଡିଜେଲ୍ ଯାତ୍ରୀବାହୀ ବସ୍ ଯୋଗୁଁ ମଧ୍ୟ ଦିଲ୍ଲୀର ପ୍ରଦୂଷଣ ବୃଦ୍ଧି ପାଉଛି। ଅପରପକ୍ଷରେ ବିଜେପି ମଧ୍ୟ ପଞ୍ଜାବର ଆପ୍ ସରକାର ଉପରେ ପାଲଟା ଅଭିଯୋଗ କରିଛି। ନଡ଼ାପାଳ ପୋଡ଼ୁଥିବା କୃଷକଙ୍କ ଉପରେ କୌଣସି ପଦକ୍ଷେପ ନନେଇ ଆପ୍ ସରକାର ପରୋକ୍ଷରେ ପ୍ରୋତ୍ସାହନ ଦେଉଛି ବୋଲି ବିଜେପି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/24/h4sSXpIBjwPrkHKTD3mR.jpg)