ସୁଦାନ୍‌ରେ ଏକ ସେରାମିକ୍‌ ଫ୍ୟାକ୍‌ଟ୍ରିରେ ବିସ୍ଫୋରଣ, ୧୮ ଭାରତୀୟ ମୃତ

ଖାର୍ତୁମ୍‌ (ସୁଦାନ୍‌) : ସୁଦାନ୍‌ର ଏକ ସେରାମିକ୍‌ ଫ୍ୟାକ୍‌ଟ୍ରିରେ ଆଜି ଏଲ୍‌ପିଜି ଟ୍ୟାଙ୍କର ବିସ୍ଫୋରଣ ଯୋଗୁଁ ୨୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ସେମାନଙ୍କ ମଧ୍ୟରେ ୧୮ ଜଣ ଭାରତୀୟ ଅଛନ୍ତି। ଏହି ବିସ୍ଫୋରଣରେ ୧୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ୧୮ ଭାରତୀୟଙ୍କ ମୃତ୍ୟୁକୁ ସ୍ବୀକାର କରିବା ସହ ସହାୟତା ପାଇଁ ଜରୁରୀକାଳୀନ ନମ୍ବର ଜାରି କରିଛନ୍ତି। ସୁଦାନ୍‌ ସ୍ଥିତ ଭାରତୀୟ ଦୂତାବାସ ଏ ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛି ଏବଂ ବିଦେଶ ମନ୍ତ୍ରାଳୟ ସହିତ ଲଗାତାର ସଂପର୍କରେ ଅଛି ବୋଲି ଜୟଶଙ୍କର କହିଛନ୍ତି। ଭାରତୀୟ ଦୂତାବାସ ପକ୍ଷରୁ ମୃତ ଭାରତୀୟଙ୍କ ତାଲିକା ଜାରି କରାଯାଇଛି। ବସ୍ଫୋରଣ ଅତି ଭୟଙ୍କର ଥିବାରୁ ଅନେକ ଶବ ଖଣ୍ଡ ବିଖଣ୍ଡିତ ଶବକୁ ଚିହ୍ନଟ କରିବା ସମ୍ଭବ ହେଉନାହିଁ। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆହତ ଭାରତୀୟ ଏବଂ ନିଖୋଜ ଥିବା ଭାରତୀୟଙ୍କ ତାଲିକା ଜାରି କରାଯିବା ସହ ସେମାନଙ୍କ ପରିବାର ସହ ଯୋଗାଯୋଗ କରାଯାଉଛି।

୭ ଜଣ ଭାରତୀୟ ଏବେ ହସ୍ପିଟାଲରେ ଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଛି। ଏହି ବିସ୍ଫୋରଣରେ ୩୪ ଭାରତୀୟ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଏବଂ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରି ଏକ ଆଶ୍ରୟସ୍ଥଳରେ ରଖାଯାଇଛି। ସୁଦାନ୍‌ର ରାଜଧାନୀ ଖାର୍ତୁମ ସହରର ଉପକଣ୍ଠରେ ଅବସ୍ଥିତ ସୋରମିକ୍‌ ଫ୍ୟାକ୍‌ଟ୍ରିରେ ଏହି ଦୁର୍ଘଟଣା ଘଟିବା ପରେ ଆତଙ୍କ ଖେଳିଯାଇଥିଲା। ଭାରତୀୟଙ୍କ ସଂପର୍କରେ ଖବର ମିଳିବା ମାତ୍ରେ ଦୂତାବାସ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିଥିଲେ। ସୁଦାନ୍‌ ସରକାର କହିଛନ୍ତି ଯେ ଘଟଣାସ୍ଥଳରେ ଆବଶ୍ୟକ ସୁରକ୍ଷା ଉପକରଣ ନଥିଲା ଏବଂ ଦହନଶୀଳ ସାମଗ୍ରୀକୁ ଅସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଥିବାରୁ ଏତେ ବଡ଼ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ପ୍ରବଳ କଳାଧୂଆଁ ଚାରିଆଡ଼େ ଭରିଯିବାରୁ ଅଗ୍ନିଶମ ବାହିନୀ ପହଞ୍ଚିବାରେ ମଧ୍ୟ ସମସ୍ୟା ଉପୁଜିଥିଲା। ଆହତମାନଙ୍କୁ ଖାର୍ତୁମ, ଉତ୍ତର ଖାର୍ତୁମ ଓମ୍‌ଡର୍ମନ ସହରର ୫ଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର