ୱାସିଂଟନ: ସମଗ୍ର ବିଶ୍ବରେ କରୋନା ଭାଇରସ୍ର ପ୍ରକୋପ ଜାରି ରହିଛି ଏବଂ ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧୫୧୪ ଜଣ କରୋନା ମହାମାରୀରେ ପ୍ରାଣ ହରାଇଛନ୍ତି। ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୨୨ ହଜାର ଅତିକ୍ରମ କରିଯାଇଥିବା ବେଳେ ବିଶ୍ବ୍ୟବ୍ୟାପୀ ୧ ଲକ୍ଷ ୫ ହଜାର ଲୋକ ଏ ପର୍ଯ୍ୟନ୍ତ କରୋନାରେ ପ୍ରାଣ ହରାଇଛନ୍ତି। ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୫୫୦୦ରେ ପହଞ୍ଚିଛି ଏବଂ ସିନ୍ଧ ପ୍ରଦେଶରେ ହାହାକାର ସୃଷ୍ଟି ହୋଇଛି। ଏଠାରେ ୧୦୦ ଜଣ ସନ୍ଦିଗ୍ଧଙ୍କ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୨୦ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି।
ଆମେରିକା ପରେ ସ୍ପେନ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୮ ହଜାରରେ ପହଞ୍ଚିଛି। ଇଟାଲିରେ ୧ ଲକ୍ଷ ୫୬ ହଜାର, ଫ୍ରାନ୍ସରେ ୧ ଲକ୍ଷ ୩୨ ହଜାର ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ଇଟାଲିରେ କରୋନାରେ ପ୍ରାୟ ୨୦ ହଜାର ଲୋକ ପ୍ରାଣ ହରାଇଛନ୍ତି। ଚୀନ୍ରେ ଗୋଟିଏ ଦିନରେ ଅଚାନକ ୩ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିବା ପରେ କଟକଣା କଡ଼ାକଡ଼ି କରାଯାଇଛି। ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଲୋକଙ୍କ ଘରେ ରହିବାକୁ ବାର୍ତ୍ତା ଦେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯେଉଁ ଲୋକମାନେ ଘରେ ନ ରହି ସେବାରେ ନିୟୋଜିତ ହେବେ ସେମାନଙ୍କ ପାଇଁ କ୍ଷତିପୂରଣ ଘୋଷଣା କରାଯାଇ ନଥିବାରୁ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଚୀନ୍ରେ ୨୪ ଘଣ୍ଟାରେ ପୁଣି ଶତାଧିକ କରୋନା ମାମଲା ସାମ୍ନାକୁ ଆସିଥିବାରୁ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି।
ଚୀନ୍କୁ ଟପିଗଲା ନ୍ୟୁୟର୍କ ସହର
ନ୍ୟୁୟର୍କ: ବିଶ୍ବସ୍ତରରେ ଏବେ କରୋନାର କେନ୍ଦ୍ରସ୍ଥଳ ହୋଇଛି ଆମେରିକା । କିନ୍ତୁ ଆମେରିକାରେ କରୋନା ମହାମାରୀର କେନ୍ଦ୍ର ହେଉଛି ନ୍ୟୁୟର୍କ ସହର। କେବଳ ନ୍ୟୁୟର୍କରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ରହିଛି। ଯାହା ଚୀନ୍ ଏବଂ ବ୍ରିଟେନ୍ର କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ବି ଟପି ଯାଇଛି। ବ୍ରିଟେନ୍ରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫,୨୦୮ ଥିବାବେଳେ ଚୀନ୍ରେ ୮୩,୧୩୫ ଏବଂ ଇରାନ୍ରେ ୭୧,୬୮୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ନ୍ୟୁୟର୍କ ସିଟି ସରକାରୀ ତଥ୍ୟ ଅନୁଯାୟୀ ନ୍ୟୁୟର୍କରେ ରବିବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୬୯୫ ଥିଲା ଏବଂ ଏଥିସହ ନ୍ୟୁୟର୍କରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏପ୍ରିଲ ୧୨ ସୁଦ୍ଧା ୧୦୪,୪୧୦ ରହିଛି। ଏଠାରେ ୨୭,୬୭୬ ଜଣ ହସ୍ପିଟାଲ୍ରେ ଅଛନ୍ତି। ନ୍ୟୁୟର୍କ ସିଟିରେ ମୃତ୍ୟୁସଂଖ୍ୟା ୬,୮୯୮କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ସମଗ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୫୭ ହଜାର ୩୦୦ ଥିବାବେଳେ ମୃତ୍ୟୁସଂଖ୍ୟା ୨୨,୦୦୦ ଟପିଛି। ତେବେ ବୈଶ୍ବିକ ସ୍ତରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୮୦ ହଜାର ନ୍ୟୁୟର୍କ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୮୯ ହଜାର ଏବଂ ମୃତ୍ୟୁସଂଖ୍ୟା ୯,୩୮୫ ରହିଛି। ସାରା ବିଶ୍ବରେ ସମସ୍ତ ସହର ତୁଳନାରେ ନ୍ୟୁୟର୍କ ସହରରେ ମୃତ୍ୟୁସଂଖ୍ୟା ସବୁଠୁ ଅଧିକ ରହିଛି। ନ୍ୟୁୟର୍କରେ ମୃତ୍ୟୁସଂଖ୍ୟା ବଢ଼ିବାର ୩ଟି ପ୍ରମୁଖ କାରଣ ରହିଛି। ପ୍ରଥମ କାରଣ ହେଉଛି ଜନସଂଖ୍ୟା। ଆମେରିକା ରଆର୍ଥିକ ରାଜଧାନୀ ନ୍ୟୁୟର୍କରେ ୮.୬ ନିୟୁତ ଲୋକ ବସବାସ କରନ୍ତି। ପ୍ରତି ବର୍ଗ କିମିରେ ଏଠାରେ ୧୦,୦୦୦ ଲୋକ ବାସ କରନ୍ତି। ଆମେରିକାରେ ଏହା ସବୁଠୁ ଜନବହୁଳ ସହର। ଏଠାରେ ସାମାଜିକ ଦୂରତ୍ବ ଏକ ଜଟିଳ ବ୍ୟାପାର। ତେଣୁ କରୋନା ଭାଇରସ୍ ଭୟଙ୍କର ଭାବେ ବ୍ୟାପିଲା। ଦ୍ବିତୀୟରେ ନ୍ୟୁୟର୍କ ପ୍ରତିବର୍ଷ ୬୦ ନିୟୁତରୁ ଅଧିକ ପର୍ଯ୍ୟଟକଙ୍କୁ ସ୍ବାଗତ କରିଥାଏ। ଅନେକ ପର୍ଯ୍ୟଟକଙ୍କ ପାଇଁ ଏହା ଏକ ଏଣ୍ଟ୍ରି ପଏଣ୍ଟ୍। ତେଣୁ ଜଣେ ବ୍ୟକ୍ତି ଭାଇରସ୍ ସଂକ୍ରମିତ ହେବାପରେ ସେ ଅନ୍ୟମାନଙ୍କୁ ସଂକ୍ରମିତ କଲେ। ତୃତୀୟ ବୃହତ୍ତମ କାରଣ ହେଲା ଦାରିଦ୍ରୢ। ଆମେରିକାର ଆର୍ଥିକ ରାଜଧାନୀ ନ୍ୟୁୟର୍କର କିଛି ଅଂଶରେ ଲୋକ ଘୋର ଅଭାବ ଭିତରେ ରହିଛନ୍ତି। ଏଠାରେ ଅନେକ ଲୋକଙ୍କର ପୂର୍ବରୁ ସ୍ବାସ୍ଥ୍ୟ ସମସ୍ୟା ରହିଛି । ତେଣୁ ସେମାନେ ଖୁବ୍ ଶୀଘ୍ର ଭାଇରସ୍ ସଂକ୍ରମିତ ହୋଇଯାଉଛନ୍ତି। ଏହି ୩ଟି ପ୍ରମୁଖ କାରଣ ପାଇଁ ନ୍ୟୁୟର୍କରେ କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି।