ଫଟୋଚିତ୍ର ବିକିବାରୁ ୧୮ ମାସ ଜେଲ ଦଣ୍ଡ ସହ ୪୧୦ କୋଟି ଟଙ୍କାର ଜରିମାନା ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ: ସରକାରଙ୍କ ବିନା ଅନୁମତିରେ ବିଶ୍ୱ ପ୍ରସିଦ୍ଧ ଚିତ୍ରକର ପିକାସୋଙ୍କ ଫଟୋ ଚିତ୍ର ବିକିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି | ସ୍ପେନରେ ଜଣେ କଳାକୃତି ସଂଗ୍ରହ କରୁଥିବା ବ୍ୟକ୍ତିଙ୍କୁ ୧୮ ମାସ ଜେଲ ଦଣ୍ଡ ସହ ୪୧୦ କୋଟି ଟଙ୍କାର ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି | ଏହି କୋଟିପତି ବ୍ୟକ୍ତି ଜେମି ବେଟିଂ(୮୩ ବର୍ଷ)ଙ୍କ ନାମରେ ଅଭିଯୋଗ ହୋଇଛି ଯେ ସରକାରଙ୍କ ବିନା ଅନୁମତିରେ ପିକାସୋଙ୍କ ଏକ ପ୍ରସିଦ୍ଧ ଫଟୋଚିତ୍ରକୁ ଅନ୍ୟ ଦେଶରେ ବିକ୍ରି କରିବାର ଚେଷ୍ଟା କରିଛନ୍ତି | ଏହା ପରେ ପେଣ୍ଟିଙ୍ଗ ଚାଲାଣ ଅଭିଯୋଗରେ ମାଡ୍ରିଦ ହାଇକୋର୍ଟ ତାଙ୍କୁ ୧୮ ମାସ ଜେଲ ସହ ୪୧୦ କୋଟି ଟଙ୍କାର ଦଣ୍ଡ ଶୁଣାଇଛନ୍ତି |

Photo-ARTNETnews

ଜେମି ବେଟିଂ ଦେଶର ଜଣେ ଜଣାଶୁଣା କୋଟିପତି ହୋଇଥିବାବେଳେ ସ୍ପେନର ସବୁଠାରୁ ବଡ ବ୍ୟାଙ୍କର ଅଧ୍ୟକ୍ଷ ମଧ୍ୟ ଥିଲେ | ଅଭିଯୋଗ ମୁତାବକ ଜେମି ବେଟିଂ ଏହି ଚିତ୍ରକୁ ୧୯୭୭ ମସିହାରେ କିଣିଥିଲେ | ଏହି ପେଣ୍ଟିଙ୍ଗର ମୂଲ୍ୟ ୨୦୫ କୋଟି ଟଙ୍କା ହୋଇଥିବାବେଳେ ୨୦୧୫ ମସିହାରେ ଏହାକୁ ସେ ଲଣ୍ଡନରେ ବିକ୍ରି କରିବାକୁ ଯାଉଥିଲେ |

୨୦୧୫ରେ ସୀମା ଶୁଳ୍କ ବିଭାଗ ଏହା ଜାଣିପାରି ତାଙ୍କ ନାମରେ ମାମଲା ରୁଜୁ କରିଥିଲା | ଦୀର୍ଘ ୫ ବର୍ଷ ଧରି କେସ ଚାଲିବା ପରେ କୋର୍ଟ ଏଭଳି ଦଣ୍ଡ ଶୁଣାଇଛନ୍ତି | ପ୍ରକୃତରେ ସ୍ପେନରେ ନିୟମ ରହିଛି ଯେ କୌଣସି ବି ୧୦୦ ବର୍ଷରୁ ଅଧିକ ଦିନର ସାମଗ୍ରୀ ଜାତୀୟ ସ୍ମାରକୀ ଘୋଷିତ ହୋଇଥାଏ | ଏହାକୁ ବିକ୍ରି କରିବା ପୂର୍ବରୁ ପ୍ରଶାସନର ଅନୁମତି ନେବାକୁ ପଡିଥାଏ | କିନ୍ତୁ ଜେମି ବେଟିଂ ଏହା ନ କରି ଲଣ୍ଡନରେ ବିକ୍ରି କରିବାକୁ ଯାଉଥିଲେ |

ସମ୍ବନ୍ଧିତ ଖବର