ଦେଶବ୍ୟାପୀ ସଙ୍କଟ: ନିଜାମୁଦ୍ଦିନ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ୯୦ କରୋନାରେ ଆକ୍ରାନ୍ତ
ଓଡ଼ିଶାରୁ ୧୮ ଜଣ ଏସ୍ସିବିରେ ଭର୍ତ୍ତି
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ଆକ୍ରାନ୍ତ ସଂଖ୍ୟା ଆଜି ମଧ୍ୟ ବୃଦ୍ଧି ପାଇଛି। ତେବେ ଦିଲ୍ଳୀର ନିଜାମୁଦ୍ଦିନରେ ଅନୁଷ୍ଠିତ ଏକ ଧାର୍ମିକ ସମ୍ମିଳନୀକୁ ନେଇ ଚିନ୍ତା ବଢ଼ିଯାଇଛି। ଏହି ସମ୍ମିଳନୀରେ ଦେଶ ବିଦେଶରୁ ଦୁଇ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୯୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି। ୪୦୦ରୁ ଅଧିକ ଲୋକଙ୍କ ମଧ୍ୟରେ ଏହାର ଲକ୍ଷଣ ମଧ୍ୟ ଦେଖାଯାଉଛି। ସେମାନଙ୍କୁ ଦିଲ୍ଳୀର ବିଭିନ୍ନ ସ୍ଥାନରେ ଚିକିତ୍ସା କରାଯିବା ସହିତ ସଂଗରୋଧରେ ରଖାଯାଇଛି। ଏହି ସମ୍ମିଳନୀରେ ଯୋଗଦେଇ ଘରକୁ ଫେରିଯାଇଥିବା ଲୋକଙ୍କୁ ଠାବ କରି ସେମାନଙ୍କୁ ସଂଗରୋଧରେ ରଖିବା ଲାଗି ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ସମ୍ମିଳନୀରେ ଯୋଗଦେଇଥିବା ୧୧୦୦ ବିଦେଶୀ ନାଗରିକଙ୍କ ମଧ୍ୟରୁ ୨୧୬ ଜଣଙ୍କୁ ଠାବ କରାଯାଇଛି ଏବଂ ସେମାନଙ୍କୁ ସଂଗରୋଧରେ ରଖାଯାଇଛି। ଅନ୍ୟ ୮୦୦ ଜଣ ବିଦେଶୀ ଏହି ସମ୍ମିଳନୀ ପରେ ବିଭିନ୍ନ ରାଜ୍ୟକୁ ଯାଇଛନ୍ତି। ସେମାନଙ୍କୁ ତୁରନ୍ତ ଠାବ କରି ସଂଗରୋଧରେ ରଖିବା ଲାଗି କୁହାଯାଇଛି। ବର୍ତମାନ ସୁଦ୍ଧା ୭୦୦ ଲୋକଙ୍କୁ ସଂଗରୋଧ (କ୍ବାରାଣ୍ଟିନ)ରେ ରଖାଯାଇଥିବା ଜଣାପଡ଼ିଛି। ଇତିମଧ୍ୟରେ ଏହି ସମ୍ମିଳନୀରେ ଆୟୋଜକଙ୍କ ବିରୋଧରେ ଏଫ୍ଆଇଆର ଦାଖଲ କରିବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ଦେଶ ଦେଇଛନ୍ତି। କରୋନା ଭଳି ମାରାତ୍ମକ ରୋଗ ବ୍ୟାପି ଚାଲି ଥିବା ବେଳେ ସମସ୍ତ ନିୟମକୁ ଉଲ୍ଲଂଘନ କରି ଏମାନେ ସମ୍ମିଳନୀ କରିଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଦିଲ୍ଲୀ ପୋଲିସ ଆେୟାଜକଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛି। କ୍ରାଇମ ବ୍ରାଞ୍ଚ ମାମଲାର ତଦନ୍ତ ଆରମ୍ଭ କରିଦେଇଛି। କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ଏହି ସମ୍ମିଳନୀରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରୁ ଦିଲ୍ଲୀରେ ୨୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ତାମିଲନାଡ଼ୁରେ ୫୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସମ୍ମିଳନୀରୁ ବିଭିନ୍ନ ରାଜ୍ୟକୁ ଫେରିଥିବା ଲୋକମାନଙ୍କ ମଧ୍ୟରୁ ୨୧୩୭ ଜଣଙ୍କୁ ଚିହ୍ନଟ କରାଯାଇଛି। ତେବେ ଆନ୍ଧ୍ର ପ୍ରଦେଶରୁ ଯାଇଥିବା ୭୦୦ ଲୋକଙ୍କୁ ଖୋଜିବା ଲାଗି ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ମିଳିଥିବା ସୂଚନାନୁଯାୟୀ ଏହି ସମାବେଶରୁ ଫେରିବା ପରେ ତେଲେଙ୍ଗାନାରେ ୬ ଜଣ ଏବଂ ଜମ୍ମୁ କାଶ୍ମୀରରେ ଜଣେ ପ୍ରାଣ ହରାଇଥିଲେ। ତାମିଲନାଡ଼ୁ, ବିହାର, ମଧ୍ୟ ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶରୁ ମଧ୍ୟ େଲାକ ଏହି ସମାବେଶରେ ଯୋଗ ଦେଇଥିଲେ। ଇତିମଧ୍ୟରେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ମସ୍ଜିଦ୍ରେ ଲୁଚିଥିବା ୨୪ ଜଣ ବିଦେଶୀ ନାଗରିକ ଧରାପପଡ଼ିଛିନ୍ତି। ୧୩ ମାର୍ଚ୍ଚରୁ ଏହି ବିଦେଶୀ ନାଗରିକମାନେ ମସ୍ଜିଦ୍ରେ ଲୁଚିଥିବା ଖବର ମିଳିବା ପରେ ପୁଲିସ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଆଜି ସେମାନଙ୍କୁ ପୁଲିସ ଧରିବା ପରେ ମେଡିକାଲ ଯାଞ୍ଚ ଆରମ୍ଭ ହୋଇଛି ଏବଂ ସେମାନଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି। ଏହି ବିଦେଶୀଙ୍କ ମଧ୍ୟରେ ୧୪ ଜଣ ବାଂଲାଦେଶୀ ଏବଂ ୧୦ ଜଣ କଜାକିସ୍ତାନର ନାଗରିକ ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ଦିଲ୍ଲୀର ନିଜାମୁଦ୍ଦିନରେ ଅନୁଷ୍ଠିତ ଏକ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିଲେ। ସମ୍ମିଳନୀରେ ୟୁପିରୁ ୬୦୦ରୁ ଅଧିକ ଲୋକ ସାମିଲ ହୋଇଥିବାରୁ ସମସ୍ତଙ୍କୁ ଠାବ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଦେଶୀ ନାଗରିକଙ୍କୁ ବେଆଇନ ଆଶ୍ରୟ ଦେଇଥିବା ମାମଲାରେ ମଧ୍ୟ ୨ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି।
ସମ୍ମିଳନୀରୁ ଫେରିବା ପରେ ତେଲେଙ୍ଗାନାରେ ୬ ମୃତ
ଆୟୋଜକଙ୍କ ବିରୋଧରେ ମାମଲା, ୭୦୦ କ୍ବାରାଣ୍ଟିନ୍ରେ
ତାମିଲନାଡ଼ୁରେ ୫୦, ଦିଲ୍ଲୀରେ ୨୪ ଆକ୍ରାନ୍ତ
୧୧୦୦ ବିଦେଶୀଙ୍କ ମଧ୍ୟରୁ ୮୦୦ ଅନ୍ୟ ରାଜ୍ୟକୁ ଯାଇଛନ୍ତି
ବିଭିନ୍ନ ରାଜ୍ୟରେ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ
କଟକ: ନିଜାମୁଦ୍ଦିନ ଲିଙ୍କ୍ରେ ଥିବା ବକ୍ସିବଜାର ପେନ୍ସନ୍ ଲେନ୍ ଜଣେ ୪୦ବର୍ଷର ବ୍ୟକ୍ତିଙ୍କ ସମେତ ୧୮ଜଣଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଛି। ପେନ୍ସନ୍ଲେନ୍ର ଉକ୍ତ ବ୍ୟକ୍ତି ଗତ ୧୩ ତାରିଖରୁ କଟକ ଫେରିଥିଲେ ସୁଦ୍ଧା ଏ ସମ୍ପର୍କରେ ପ୍ରଶାସନ, ପୁଲିସ କିମ୍ବା ରାଜ୍ୟ ସରକାରଙ୍କ ୧୦୪ରେ ପଞ୍ଜୀକରଣ କରି ନଥିଲେ। ଏ ସଂପର୍କରେ ସ୍ଥାନୀୟ ଅଞ୍ଚଳରୁ ଖବର ପାଇ ଉପ-ଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ରଙ୍କ ନେତୃତ୍ବରେ ପୁଲିସ ତାଙ୍କୁ ଆମ୍ବୁଲାନ୍ସରେ କଟକ ବଡ ଡାକ୍ତରଖାନାକୁ ନେଇ ସ୍ବତନ୍ତ୍ର କରୋନା ୱାର୍ଡରେ ଭର୍ତ୍ତି କରାଇଥିଲା। ନିଜାମୁଦ୍ଦିନ୍ ଲିଙ୍କରେ ଥିବା କିଛି ଲୋକଙ୍କ କରୋନା ଲକ୍ଷଣ ଥିବାରୁ ତାଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ, ତାଙ୍କ ସଂସ୍ପର୍ଶରେ ଆସିଥିବା ୧୭ଜଣଙ୍କୁ ମଧ୍ୟ ଚିହ୍ନଟ କରାଯାଇ ଏସ୍ସିବିରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ମଧ୍ୟ ଆଇସୋଲେସନ୍ରେ ରଖାଯାଇଛି। ସମସ୍ତ ୧୮ଜଣଙ୍କ ସ୍ବାବ୍ ପରୀକ୍ଷା ପାଇଁ ପଠାଯାଇଥିବା ଏସ୍ସିବି ସୂତ୍ରରୁ ସୂଚନା ମିଳିଛି। ସମାବେଶରେ ଓଡ଼ିଶାରୁ ୧୫ ଜଣ ଯୋଗ ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପ୍ରକୃତରେ ଓଡ଼ିଶାରୁ କେତେ ଜଣ ଯୋଗ ଦେଇଥିଲେ ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ସରକାରୀ ସୂତ୍ରରୁ କିଛି ଜଣାପଡ଼ି ନାହିଁ। ୧୫ ତାରିଖ ପରେ କେତେ ଜଣ ଓଡ଼ିଶା ଫେରିଛନ୍ତି ସେ ସମ୍ପର୍କରେ ଏଠାରେ କୌଣସି ସୂଚନା ନାହିଁ।