ଆସନ ଗୋଟିଏ, ପ୍ରାର୍ଥୀ ୧୮୫

ହାଇଦ୍ରାବାଦ୍‌ : ତେଲେଙ୍ଗାନାର ନିଜାମାବାଦ୍‌  ଚଳିତ ‌ଲୋକସଭା ନିର୍ବାଚନରେ ଏକ ଚର୍ଚ୍ଚିତ ଆସନରେ ପରିଣତ ହୋଇଛି। ଏହି  ଆସନରୁ ନିର୍ବାଚନ ଲଢ଼ୁଛନ୍ତି ୧୮୫ ପ୍ରାର୍ଥୀ। ଫଳରେ ଏହି ଆସନରେ ନିର୍ବାଚନ ପାଇଁ ଇଭିଏମ୍‌ର ବ୍ୟବହାର ହୋଇପାରିବ ନାହିଁ। ମୁଖ୍ୟ ନିର୍ବାଚନ ଅଧିକାରୀ ରଜତ କୁମାରଙ୍କ କହିବା ଅନୁଯାୟୀ  ଇଭିଏମ୍‌ରେ ଅତି ବେଶୀରେ ୬୪ ଜଣଙ୍କ  ନାମ ରହିପାରିବ। ତେବେ ଏହି ଆସନରେ ୧୮୫ ପ୍ରାର୍ଥୀ ରହିଥିବାରୁ ଏଠାରେ ଇଭିଏମ୍‌ ବ୍ୟବହାର ହୋଇପାରିବ ନାହିଁ। ଉଲ୍ଲେଖଯୋଗ୍ୟ ‌ତେଲେଙ୍ଗାନା ରାଷ୍ଟ୍ର ସମିତିର କେ କବିତା ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ  ନିଜାମାବାଦ୍‌ ଆସନରୁ ପ୍ରତିନିଧିତ୍ବ କରୁଛନ୍ତି। ଏହି ଆସନରୁ ନିର୍ବାଚନ ଲଢ଼ୁଥିବା ୧୮୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୧୭୫ ଜଣ ଅସନ୍ତୁଷ୍ଟ ହଳଦୀ ଚାଷୀ ରହିଛନ୍ତି। ଗତ ୧୦ ବର୍ଷ  ମଧ୍ୟରେ ହଳଦିର ମୂଲ୍ୟ ମାତ୍ରାଧିକ କମିଯାଇଥିବାରୁ  ହଳଦୀ ଚାଷୀମାନେ ନିଜ ସମସ୍ୟା ପ୍ରତି ଦେଶର ଦୃଷ୍ଟି ଆକର୍ଷଣ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଟିଆରଏସ୍‌ ନେତାମାନେ ଏହି କୃଷକ ପ୍ରାର୍ଥୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ବୁଝିନାହାନ୍ତି। ନାନା ପ୍ରତିଶ୍ରୁତି ଦିଆଯାଇଥିବା ସତ୍ତ୍ବେ ସେମାନେ ନିଜର  ଜିଦ୍‌ରେ ଅଟଳ ରହିଛନ୍ତି। ତେବେ ନାମାଙ୍କନପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଯିବା ସତ୍ତ୍ବେ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର ନ କରିବାରୁ  ଏଠାରେ ବାଲଟ ପେପର୍‌ ବ୍ୟବହ‌ାର ପାଇଁ କମିସନ ବାଧ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର