୧୮,୫୪୮ଟି ଖାଉଟି ମାମଲା ବିଚାରାଧୀନ

ନୂଆଦିଲ୍ଲୀ : ଡିସେମ୍ବର ୩୧, ୨୦୧୯ ସୁଦ୍ଧା ରାଜ୍ୟ ଉପଭୋକ୍ତା କମିସନରେ ୬୮୭୯ ଓ ଜିଲ୍ଲା ଉପଭୋକ୍ତା ଫୋରମ୍‌ରେ ୧୧୬୬୯ ମାମଲା ବିଚାରାଧୀନ ରହିଛି। ଅର୍ଥାତ୍‌ ୧୮,୫୪୮ଟି ମାମଲା ବିଚାରାଧୀନ ରହିଛି।କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରାଳୟ ପକ୍ଷରୁ ଜାତୀୟ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ଉପଭୋକ୍ତା ଫୋରମ୍‌ରେ ବିଚାରାଧୀନ ମାମଲା ଗୁଡ଼ିକର ସ୍ଥିତିକୁ ନେଇ ପ୍ରକାଶିତ ହୋଇଥିବା ଏକ ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ ଅଛି।

ତଥ୍ୟ ଅନୁସାରେ, ଦେଶରେ ବର୍ତ୍ତମାନ ଜାତୀୟ ଉପଭୋକ୍ତା ବିବାଦ ରିଡ୍ରେସଲ କମିସନ, ୩୫ ରାଜ୍ୟ କମିସନ, ୬୭୫ଟି ଜିଲ୍ଲା ଖାଉଟି ବିବାଦ ରିଡ୍ରେସଲ ଫୋରମ୍ କାର୍ଯ୍ୟ କରୁଛି। ଜାତୀୟ କମିସନରେ ଡିସେମ୍ବର ୩୧, ୨୦୧୯ ସୁଦ୍ଧା ୨୧,୧୫୧ଟି ମାମଲା ରାଜ୍ୟ କମିସନ ମାନଙ୍କରେ ୧,୨୫,୯୬୧ ଟି ମାମଲା ଓ ଜିଲ୍ଲା ଖାଉଟି ଫୋରମ୍ ମାନଙ୍କରେ ୩,୪୫,୭୭୦ ଟି ମାମଲା ବିଚାରାଧୀନ ରହିଛି। ଉତ୍ତରପ୍ରଦେଶ ରାଜ୍ୟ କମିସନରେ ସର୍ବାଧିକ ୨୫,୬୯୨ଟି ମାମଲା ବିଚାରାଧୀନ ଥିବାବେଳେ ଜିଲ୍ଲା ଫୋରମ୍‌ରେ ୮୪,୮୫୨ଟି ମାମଲା ବିଚାରାଧୀନ ରହିଛି। ତଥ୍ୟ ଅନୁସାରେ ରାଜ୍ୟ ଓ ଜିଲ୍ଲା ଫୋରମ୍‌ରେ ସଭାପତି ଓ ସଦସ୍ୟ ପଦ ଖାଲି ପଡ଼ିରହୁଥିବା ଯୋଗୁଁ ମାମଲା ଗୁଡ଼ିକ ବିଚାରାଧୀନ ରହୁଛି। ବିଚାରାଧୀନ ମାମଲାଗୁଡ଼ିକର ଫୈସଲା ଓ କାର୍ଯ୍ୟର ସଠିକ ରୂପାୟନ ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଭିତ୍ତିଭୂମି ପ୍ରତିଷ୍ଠା ତଥା କମ୍ପ୍ୟୁଟରୀକରଣ କାର୍ଯ୍ୟକ୍ରମ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା ରାଜ୍ୟମାନଙ୍କୁ ନିୟମିତ ବ୍ୟବଧାନରେ ପତ୍ର ଲେଖାଯାଇ ଖାଲି ପଡ଼ିଥିବା ପଦ ଗୁଡ଼ିକୁ ପୂରଣ କରିବା ତଥା କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇବା ପାଇଁ ପରାମର୍ଶ ଦିଆଯାଇଥାଏ।

ସମ୍ବନ୍ଧିତ ଖବର