କରୋନା ରୋକିବ ‘୧୮୯୭ ମହାମାରୀ ଆଇନ’!

ନୂଆଦିଲ୍ଲୀ: କରୋନା ଭାଇରସ୍‌ ରୋକବା ପାଇଁ ଏବେ ବିଶ୍ବବ୍ୟାପୀ ବିଭିନ୍ନ ପ୍ରୟାସ ଜାରି ରହିଛି। ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଥିବାରୁ ସରକାର ଏହାର ପ୍ରତିକାର ପାଇଁ ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏ ଦିଗରେ କେନ୍ଦ୍ର ସରକାର ୧୮୯୭ ମହାମାରୀ ଆଇନର ଧାରା ୨କୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏବେ ସମଗ୍ର ବିଶ୍ବରେ କରୋନା ଭାଇରସ୍‌ ଭୟାନକ ସ୍ଥିତି ସୃଷ୍ଟି କରିଥିବାରୁ ଏହାକୁ ମହାମାରୀ ଭାବେ ମଧ୍ୟ ଘୋଷଣା କରାଯାଇଛି। ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କ୍ୟାବିନେଟ୍‌ ସଚିବ ରାଜୀବ ଗୌବାଙ୍କ ମାଧ୍ୟମରେ ୧୨୩ ବର୍ଷ ପୁରୁଣା ମହାମାରୀ ରୋଗ ନିୟନ୍ତ୍ରଣ ଆଇନ ୧୮୯୭ର ଧାରା ୨କୁ ଲାଗୁ କରିବା ପାଇଁ କେତେକ ପଦକ୍ଷେପ ଗ୍ରହଣ କରିଛି। ଏହି ଆଇନର ଧାରା ୨ରେ ମହାମାରୀ ନିୟନ୍ତ୍ରଣ ପାଇଁ ସରକାରଙ୍କୁ କ୍ଷମତାପନ୍ନ କରାଯାଇଛି। ମହାମାରୀ ବ୍ୟାପିଲେ ରାଜ୍ୟ ସରକାର ଏ ଦିଗରେ କିଛି ନୂଆ ଉପାୟ ଗ୍ରହଣ କରିପାରିବେ। ଏହି ଉପାୟରେ ଲୋକଙ୍କ ସାର୍ବଜନୀନ ସୂଚନା ମାଧ୍ୟମରେ ରୋଗର ପ୍ରକୋପ ଓ ପ୍ରସାରକୁ ରୋକିବା ଦିଗରେ କାର୍ଯ୍ୟକାରୀ ହେବ। ଧାରା ୨(ଏ)ରେ କୁହାଯାଇଛି ଯେ କେନ୍ଦ୍ର ସରକାର ଯଦି ଅନୁଭବ କରିବେ ଭାରତର କୌଣସି ଅଂଚଳରେ ମହାମାରୀ ବ୍ୟପୁଥିବା କିମ୍ବା ବ୍ୟାପିବା ସମ୍ଭାବନା ରହିଛି ତ‌େବେ ଏ ଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରିପାରିବେ। ଯେ କୌଣସି ଅଂଚଳରେ ଥିବା ସଂକ୍ରମିତ ଓ ସନ୍ଦିଗ୍ଧଙ୍କୁ ନିରୀକ୍ଷଣରେ ରଖିପାରିବେ। ରେଳ ଓ ବନ୍ଦର ମାଧ୍ୟମରେ ଯାତ୍ରା କରୁଥିବା ସନ୍ଦିଗ୍ଧଙ୍କୁ କେନ୍ଦ୍ର ସରକାର ହସ୍ପିଟାଲ ଏବଂ ଅସ୍ଥାୟୀ ଶିବିରରେ ରଖିବା ଅଧିକାର ରହିଛି। ୨୦୨୦ରେ କର୍ଣ୍ଣାଟକ ପ୍ରଥମ ରାଜ୍ୟ ଭାବେ ୧୮୯୭ ମହାମାରୀ ଆଇନକୁ ଲାଗୁ କରିଛି। ଏହି ଆଇନ ବଳରେ ସରକାର ଯେ କୌଣସି ରୋଗାକ୍ରାନ୍ତ ଏବଂ ସନ୍ଦିଗ୍ଧଙ୍କୁ ଯାଞ୍ଚ ଏବଂ ସ୍ବତନ୍ତ୍ର ଭାବେ ଚିକିତ୍ସା ପାଇଁ ପଦକ୍ଷେପ ନେଇପାରିବେ।

ସମ୍ବନ୍ଧିତ ଖବର