ତାମିଲନାଡୁରେ କେରଳ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା: ଅନ୍ୟୂନ ୧୯ ଯାତ୍ରୀ ମୃତ, ୧୫ ଆହତ

ଚେନ୍ନାଇ: ଗୁରୁବାର ପ୍ରତ୍ୟୁଷରେ ତାମିଲନାଡୁର ତିରୁପୁର ଜିଲ୍ଲାରେ ଏକ ଭୟାବହ ବସ୍‌ ଦୁର୍ଘଟଣାରେ ୧୯ ଜଣରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ରାତି ପ୍ରାୟ ୩ଟା ବେଳେ ଘଟିଥିବା ଏହି ଦୁର୍ଘଟଣାରେ ଆହୁରି ୧୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

ଦୁର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ବସ୍‌ଟି କେରଳ ରାଜ୍ୟ ସଡ଼କ ପରିବହନ ନିଗମର। ଏଥିରେ ପ୍ରାୟ ୪୮ଜଣ ବ୍ୟକ୍ତି ଥିଲେ ବୋଲି କୁହାଯାଉଛି। ଏହି ବସ୍‌ଟି ତାମିଲନାଡୁ ନିକଟ ଅବିନାଶୀ ସହରରେ ଏକ କଣ୍ଟେନର୍‌ ଟ୍ରକ୍‌ ସହ ଧକ୍କା ଖାଇଥିଲା।

Image Source: Hindustan Times

ମୃତବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ୧୪ ଜଣ ପୁରୁଷ ଏବଂ ୫ ଜଣ ମହିଳା।

କେରଳ ରାଜ୍ୟ ସଡ଼କ ପରିବହନ କର୍ପୋରେସନ୍‌ର ପରିଚାଳନା ନିର୍ଦେଶକଙ୍କୁ ରାଜ୍ୟ ସରକାର ଘଟଣାସ୍ଥଳକୁ ପଠାଇଛନ୍ତି। ରାଜ୍ୟ ପରିବହନ ମନ୍ତ୍ରୀ ଏ କେ ଶଶୀନ୍ଦ୍ରନ୍‌ କହିଛନ୍ତି ଯେ ସମସ୍ତ ଆହତଙ୍କୁ କେରଳ ଅଣାଯିବ। ସରକାର ସେମାନଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ।

କେରଳ ରାଜ୍ୟ ସରକାରଙ୍କର ଏହି ଭୋଲ୍‌ଭୋ ବସ୍‌ଟି କର୍ଣ୍ଣଟକର ବେଙ୍ଗାଲୁରୁ ରୁ କେରଳର ଏର୍ଣ୍ଣାକୁଲମ୍‌ ଅଭିମୁଖେ ଯାଉଥିଲା।

ସମ୍ବନ୍ଧିତ ଖବର