ନାଗରିକତା ଆଇନ ବିରୋଧୀ ହିଂସା : ଉତ୍ତରପ୍ରଦେଶରେ ୧୯ ମୃତ,୧୧୧୩ ଜଣ ଗିରଫ

ଲକ୍ଷ୍ନୌ : ଦେଶରେ ହୋଇଥିବା ନାଗରିକତା (ସଂଶୋଧନ) ଆଇନ ବିରୋଧୀ ହିଂସାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଉତ୍ତରପ୍ରଦେଶ । ରାଜ୍ୟରେ ଏହି ହିଂସାରେ ମୋଟ ୧୯ ଜଣ ପ୍ରାଣ ହରାଇଥିବାବେଳେ ୧୧୧୩ ଲୋକଙ୍କୁ ପୁଲିସ ଗିରଫ କରିଛି ଓ ପ୍ରାୟ ୫୫୫୮ ଜଣଙ୍କୁ ଅଟକ ରଖାଯାଇଛି ।

ଉତ୍ତରପ୍ରଦେଶ ପୁଲିସ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଫିରୋଜାବାଦରେ ୫, ମିରଟରେ ୪, କାନପୁରରେ ୩, ସମ୍ବଲ ଓ ବିଜନୌରରେ ୨ ଜଣ ଲେଖାଏଁ ଓ ଲକ୍ଷ୍ନୌ, ମୁଜାଫରନଗର ଓ ରାମପୁରରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଏହି ହିଂସା ଯୋଗୁଁ ୨୮୮ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୧ ଜଣଙ୍କ ଶରୀରେ ଗୁଳି ବାଜିଛି ।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ପୁଲିସର ତଥ୍ୟ ଅନୁସାରେ ସୋସିଆଲ ମିଡ଼ିଆରେ ଉତ୍ତେଜକ ଲେଖା ପାଇଁ ୧୨୪ ବ୍ୟକ୍ତି ଗିରଫ ହୋଇଛନ୍ତି ଓ ୯୩ଟି ମାମଲା ରୁଜ୍ଜୁ ହୋଇଛି । ୯୩୭୨ଟି ଟ୍ଵିଟର, ୯୮୫୬ଟି ଫେସବୁକ ଓ ୧୮୧ଟି ୟୁଟ୍ୟୁବ ପ୍ରୋଫାଇଲକୁ ଅଚଳ କରାଯାଇଛି ।
ସୂଚନାଯୋଗ୍ୟ ଯେ ନାଗରିକତା (ସଂଶୋଧନ) ଆଇନକୁ ନେଇ ଉତ୍ତରପ୍ରଦେଶରେ ଏବେବି ଉତ୍ତେଜନା ଜାରି ରହିଛି । ଏହି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର